ଏହି ଦେଶରୁ ମିଳିଲା କରୋନାରେ ସବୁଠାରୁ ସଂକ୍ରାମକ ଭାରିଆଣ୍ଟ ‘ସେଣ୍ଟୁରୁସ୍’: ଓମିକ୍ରନଠାରୁ ଅଧିକ ମାରାତ୍ମକ

ନୂଆଦିଲ୍ଲୀ: ବିଶ୍ୱରେ କରୋନା ମାମଲା କମିଥିଲେ ମଧ୍ୟ ଏହି ଭାଇରସ୍ ସମ୍ପୂର୍ଣ୍ଣ ଦୂରେଇ ଯାଇନି । ସମୟ ସମୟରେ ଏହି ଭାଇରସର ନୂଆ ଭାରିଆଣ୍ଟ ଅଲଗା ଅଲଗା ଦେଶରୁ ଚିହ୍ନଟ ହେଉଥିବା ଦେଖିବକେୁ ମିଳୁଛି ଓ ଲୋକଙ୍କ ଚିନ୍ତାକୁ ଅଧିକ ବଢ଼ାଇଦେଉଛି । ନେଦରଲ୍ୟାଣ୍ଡ ବୁଧବାର ଦିନ କହିଛି ଯେ, ସେଠାରେ କରୋନା ଓମିକ୍ରନ ସବ ଭାରିଆଣ୍ଟ ବିଏ ୨.୭୫ର ଏକ ମାମଲା ଚିହ୍ନଟ ହୋଇଛି । ଏହି ଭାଇରସ୍ ଶୀଘ୍ର ବ୍ୟାପୁଥିବାରୁ ବିଶେଷଜ୍ଞମାନେ ମଧ୍ୟ ଚିନ୍ତାରେ ପଡିଛନ୍ତି ।

କୁହାଯାଉଛି ଯେ ‘ସେଣ୍ଟୁରୁସ୍’ ନାମକ ଏହି ସବଭାରିଆଣ୍ଟ ପ୍ରଥମେ ମେ ମାସରେ ଭାରତରେ ଦେଖା ଦେଇଥିଲା ଏବଂ ସେହି ଦିନଠାରୁ ଆମେରିକା, ବ୍ରିଟେନ, ଜର୍ମାନୀ ଏବଂ ଅଷ୍ଟ୍ରେଲିଆ ସମେତ ପ୍ରାୟ ୧୦ ଟି ଦେଶରେ ଏହାର ରୋଗୀ ଚିହ୍ନଟ ହୋଇଥିଲେ । ଡଚ୍ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ହେଲଥ୍ ଏକ ବିବୃତ୍ତିରେ କହିଛି ଯେ, ଏହି ପ୍ରକାରର ଜଣେ ରୋଗୀ ବର୍ତ୍ତମାନ ନେଦରଲ୍ୟାଣ୍ଡରେ ମଧ୍ୟ ଚିହ୍ନଟ ହୋଇଛନ୍ତିି ।

କରୋନା ଭାଇରସର ସବ ଭାରିଆଣ୍ଟ ବିଏ.୪ ଏବଂ ବିଏ.୫ କିଛି ଦେଶରେ ଚିନ୍ତାର କାରଣ ପାଲଟିଛି, ଅବଶ୍ୟ ଭାରତରେ ଏହାର ପ୍ରଭାବ କମ୍ ରହିଛି । ବିଶେଷଜ୍ଞଙ୍କ କହିବା ଅନୂଯାୟୀ ଦେଶରେ ଲୋକମାନଙ୍କ ମଧ୍ୟରେ ପୂର୍ବରୁ ହିଁ ଓମିକ୍ରନ ବିରୋଧରେ ରୋଗପ୍ରତିରୋଧକ ଶକ୍ତି ମଜବୁତ ରହିଛି ଫଳରେ ଓମିକ୍ରନର ସବ୍ ଭାରିଆଣ୍ଟର କମ୍ ରହିଛି । ତଥାପି ଏହି ସବ୍ ଭାରିଆଣ୍ଟ ପ୍ରତି ସତର୍କ ରହିବାର ଆବଶ୍ୟକତା ରହିଛି ଏବଂ ଏହାର ନେଇ ଟେଷ୍ଟିଂକୁ ମଧ୍ୟ ବଢ଼ାଯାଇଛି ।

ବିଶେଷଜ୍ଞଙ୍କ କହିବା ଅନୂଯାୟୀ ସଂକ୍ରମିତ ରୋଗୀଙ୍କ ଲକ୍ଷଣ ଉପରେ ନଜର ରଖିବା ବହୁତ ଜରୁରୀ, କାରଣ ଭିନ୍ନ ଭିନ୍ନ ଲୋକଙ୍କ ଠାରେ ବିଏ.୪ ଏବଂ ବିଏ.୫ ଲକ୍ଷଣ ଅଲଗା ଅଲଗା ରହିଛି । ଓମିକ୍ରନର ସବ୍ ଭାରିଆଣ୍ଟ ବିଏ.୪ ଏବଂ ବିଏ.୫ ରେ ସଂକ୍ରମିତ ହେବାଦ୍ୱାର ଜ୍ୱର ହେବା, ମୁଣ୍ଡବିନ୍ଧାହେବା, ବାନ୍ତି ଏବଂ ପେଟ କାଟିବା, ତଣ୍ଟିରେ ଯନ୍ତ୍ରଣା ହେବା, କାଶ ହେବା ଭଳି ସାଧାରଣ ଲକ୍ଷଣ ଦେଖାଯାଏ ।

ସେପଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ‘ହୁ’ ଓମିକ୍ରନର ସବ୍ ଭାରିଆଣ୍ଟ ବିଏ.୪ ଏବଂ ବିଏ.୫ ଚିନ୍ତାଜନକ ନୁହେଁ ବୋଲି କହିଛି । ‘ହୁ’ କହିଛି ଯେ ଦୁଇ ସବ୍ ଭାରିଆଣ୍ଟର ଲକ୍ଷଣ ଅଧିକ ଗମ୍ଭୀର ନାହିଁ ଏବଂ ଏହା ପୂର୍ବ ଭାରିଆଣ୍ଟ ତୁଳନାରେ ଅଧିକ ସଂକ୍ରାମକ ମଧ୍ୟ ନୁହେଁ । ଏହା ସହ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପରାମର୍ଶ ଦେଇଛି ଯେ ସବୁ ଦେଶ ଏହି ରୋଗୀଙ୍କ ଲକ୍ଷଣ ଉପରେ ନଜର ରଖନ୍ତୁ ଏବଂ ସତର୍କତାମୂଳକ ପଦକ୍ଷେପ ନିଅନ୍ତୁ ।