ସ୍ବାମୀର ଗଞ୍ଜଣା ସହିପାରିଲାନି ସ୍ତ୍ରୀ, ଦୁଇ ଝିଅଙ୍କୁ ବିଷମିଶା କୋଲ୍ଡଡ୍ରିଙ୍କ ପିଆଇ ନିଜେ ପିଇଦେଲା

ସ୍ବାମୀ ସହିତ ଝଗଡ଼ା ପରେ ୨ ଝିଅଙ୍କୁ ବିଷ ଦେଇ ନିଜେ ବିଷ ପିଇଲା ମାଆ ।

ଭୁବନେଶ୍ବର: ସୁନ୍ଦରଗଡ଼ ଜିଲ୍ଲାରୁ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସ୍ବାମୀଙ୍କ ଗଞ୍ଜଣା ସହିନପାରି ଦୁଇ ଝିଅକୁ ବିଷ ଦେଇ ନିଜେ ବିଷ ପିଇଲା ମାଆ ।

ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଥାନା ଅନ୍ତର୍ଗତ ବନ୍ଧବେର୍ଣ୍ଣା ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା । ତେବେ ଏହି ଘଟଣାରେ 3ଜଣଙ୍କୁ ଉଦ୍ଧାର କରାଯାଇ ରାଉରକେଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ପାରିବାରିକ କଳହର କରୁଣ ପରିଣତି- ବନ୍ଧବୋର୍ଣ୍ଣାରେ ସନ୍ତୋଷ ନିଜ ପରିବାର ସହିତ ରୁହନ୍ତି । ସେ ସର୍ବଦା ମଦ୍ୟପାନ କରୁଥିବା ବେଳେ ସର୍ବଦା ପାରିବାରିକ କଳହ ଲାଗି ରହିଥିଲା ।

ତେବେ ଗତକାଲି ରାତିରେ ମଧ୍ୟ ସନ୍ତୋଷ ମଦ ପିଇ ଘରକୁ ଆସି ସ୍ତ୍ରୀ ସହିତ ଝଗଡ଼ା କରିଥିଲେ । ତେବେ ସନ୍ତୋଷର ଗଞ୍ଜଣା ସହିନପାରି ସ୍ତ୍ରୀ ତାରିଣୀ ଭୟଙ୍କର କାମ କରିଥିଲା ।

ହସ୍ପିଟାଲରେ ଚିକିତ୍ସିତ- ଘରେ ଥିବା କୀଟନାଶକ ଆଣି କୋଲ୍ଡଡ୍ରିଙ୍କରେ ମିଶାଇ ଦୁଇ ଝିଅଙ୍କୁ ଦେଇଦେବା ପରେ ନିଜେ ମଧ୍ୟ ପିଇ ଦେଇଥିଲା । ତେବେ 3ଜଣ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ପଡୋଶୀ ଜାଣିପାରି ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ତାଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହୋଇଥିଲା । ଏହାପରେ 3 ଜଣଙ୍କୁ ରାଉରକେଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।