କୋରାପୁଟ(ଓଡ଼ିଶା ଭାସ୍କର): ପିଲାଦିନରୁ ଏଇ ପାହାଡ଼ କୋଳରେ ବଢ଼ିଛି । ଜଙ୍ଗଲ ଓ ଜୀବଜନ୍ତୁ ମତେ ସୁରକ୍ଷା ଦେଇ ଆସୁଛନ୍ତି । ଜୀବିକା ଯୋଗାଉଛି ଜଙ୍ଗଲ ଜମି । ଘର ପାଖ ଦେଇ ଯା’ଆସ କରୁଛନ୍ତି ହିଂସ୍ର ଜନ୍ତୁ । କିନ୍ତୁ ଆମର କିଛି କ୍ଷତି କରୁନାହାନ୍ତି । ଦୀର୍ଘ ୩୦ ବର୍ଷ ହେଲାଣି ଏ ପାହାଡ଼ ଆମକୁ କୋଳେଇ ଧରିଛି । ପିଲାଦିନରୁ ଯୌବନ ପର୍ଯ୍ୟନ୍ତ ଜୀବନ ବିତାଇ ଆସିଥିବା ପାହାଡ଼ି କନ୍ୟା ପ୍ରମିଳା କହିଛନ୍ତି ଏଭଳି । ଜଙ୍ଗଲ ଓ ପାହାଡ଼ର ନିର୍ଭୀକ ରାଣୀ ପ୍ରମିଳା ପାଙ୍ଗୀଙ୍କ ବିଷୟରେ ଯିଏ ଜାଣିବ ନିହାତି ସବୁ କାହାଣୀ ଭଳି ଲାଗିବ । ହେଲେ ପିଲାଟି ଦିନରୁ ମା’ଛେଉଣ୍ଡ ହୋଇଗଲା ପରେ ପତ୍ରି ପାହାଡ଼ର ବୁକୁରେ ବିତୁଛି ତାଙ୍କ ଜୀବନ । ଶୈଶବ, ତାରୁଣ୍ୟ ଏବଂ ଯୌବନର ତିନୋଟି ପାହାଚ ଅତିକ୍ରମ କରିସାରିଲେଣି ପ୍ରମିଳା । ତାଙ୍କ ପାଇଁ ପାହାଡ଼ ହିଁ ସବୁକିଛି ଆଉ ପ୍ରକୃତି ହିଁ ଦେବତା ।
ଏକ କିମି ଭିତରେ କୌଣସି ଜନବସତି ନାହିଁ, ଦୁର୍ଗମ ଜଙ୍ଗଲରେ ପ୍ରମିଳାଙ୍କ ସାହା ଭରସା କହିଲେ ୮୦ ବର୍ଷ ବୟସର ବୃଦ୍ଧ ବାପା । ଯାହାଙ୍କ ଆଖିକୁ ଭଲରେ ଆଉ ଦିଶୁନି କି କାନକୁ ଶୁଭୁନି । ତେବେ ପ୍ରମିଳାଙ୍କ କାହାରିକୁ ଭୟ ନାହିଁ କି ଜୀବନରେ କୌଣସି ଅସନ୍ତୋଷ ନାହିଁ । ଦୁଃଖ ତାଙ୍କର ଦିହସୁହା ହୋଇଯିବା ପରେ ସେଇ ପାହାଡ଼-ପ୍ରକୃତି କୋଳରୁ ପ୍ରଚୁର ଆନନ୍ଦ ପାଉଛନ୍ତି ପ୍ରମିଳା । ବାପ-ଝିଅଙ୍କ ଗାଁ ନାଁ ହେଉଛି ଏକଟା ବେଡ଼ା ଅର୍ଥାତ୍ ଆଦିବାସୀ ଭାଷାରେ ସେମାନେ ଦେଇଥିବା ଏହି ନାଁର ଅର୍ଥ କେବଳ ଗୋଟିଏ ଘର ରହିଥିବା ଗାଁ ।
କୋରାପୁଟ ଜିଲ୍ଲାର ଲମତାପୁଟ ବ୍ଲକରୁ ପ୍ରାୟ ୧୫ କିମି ଦୂରରେ ଥିବା ପତ୍ରି ପାହାଡ଼ ଉପରେ ରହୁଥିବା ପ୍ରମିଳା ଓ ତାଙ୍କ ବାପା ଭଗବାନ ପାଙ୍ଗୀଙ୍କୁ ଭେଟିବା ଲାଗି ଆମ ଟିମ୍ କୁ ଖୁବ୍ କଷ୍ଟ ଉଠାଇବାକୁ ପଡ଼ିଛି । ଦୁର୍ଗମ ଜଙ୍ଗଲ ଭିତରେ ପାଦଚଲା ରାସ୍ତା ବି ନଥିଲା । ଘଞ୍ଚ ଜଙ୍ଗଲ ଭିତରେ ଗଛପତ୍ର ଆଡ଼େଇ ଶେଷରେ ପାହାଡ଼ ଉପରେ ଦେଖାଗଲା ଟାଇଲ ଘରଟିଏ । ଭଙ୍ଗାଦଦରା ଘର ଭିତର ବସିଥାନ୍ତି ୮୦ ବର୍ଷ ର ବୃଦ୍ଧ ଭଗବାନ । ପାଖରେ ବସିଥାନ୍ତି ୩୦ ବର୍ଷୀୟା ପ୍ରମିଳା । ଚାରିପଟେ ଜଙ୍ଗଲ ଆଉ ମାତ୍ର ଦୁଇ ଜଣଙ୍କୁ ଦେଖି ଯେ କେହି ଚକିତ ହୋଇଯିବା ସ୍ୱାଭାବିକ । ବୟସର ଅପରାହ୍ନରେ ଉପନୀତ ଭଗବାନଙ୍କ ଚମ ଧୁଡୁଧୁଡୁ ଶରୀର । ତେବେ ବେଶ୍ ଦୃଢ଼ତାର ସହ କହିଥିଲେ ୪୦ବର୍ଷ ହେଲା ସେ ଏହି ଜଙ୍ଗଲ ରହୁଛନ୍ତି । ତାଙ୍କ ଗାଁର ନାଁ ଏକଟା ବେଡ଼ା । ମାତ୍ର ଗୋଟିଏ ଘର ଥିବାରୁ ଆଦିବାସୀ ଭାଷାରେ ନାମକରଣ କରିଛନ୍ତି ।
ଜଙ୍ଗଲ ଯୋଗଉଛି ଖାଦ୍ୟ, ଝରଣା ମେଣ୍ଟାଉଛି ଶୋଷ
୧୯୮୦ ମସିହାରେ ପୋଷ୍ଟ ମାଷ୍ଟର ଚାକିରି କରୁଥିଲେ ଭଗବାନ । ତେବେ ଚାକିରି ଛାଡ଼ିଦେଇ ଏହି ଜଙ୍ଗଲରେ ପରିବାରକୁ ନେଇ ଆସିଥିଲେ । ଝିଅ ୩ ବର୍ଷର ହୋଇଥିବାବେଳେ ଭଗବାନଙ୍କ ସ୍ତ୍ରୀ ଆରପାରିକୁ ଚାଲିଗଲେ । ବହୁ କଷ୍ଟରେ ଝିଅକୁ ବଡ଼ କରିଛନ୍ତି । ଖାଲି ସେତିକି ନୁହେଁ ଝିଅ ପ୍ରମିଳା ସାହାଯ୍ୟରେ ପାହାଡ଼ ଉପରେ ଧାନ, ମାଣ୍ଡିଆ ଏବଂ ପନିପରିବା ଚାଷ କରି ଚଳି ଆସୁଛନ୍ତି । ମନରେ କିଛି ଦୁଃଖ ନାହିଁ ବୋଲି ପଚାରିବାରୁ କହିଲେ ଦୁଃଖ କାହିଁକି… ଏହି ଜଙ୍ଗଲ ହେଉଛି ମୋ ପରିବାର, ଝିଅକୁ ବଡ଼ କରିବାରେ ଅନେକ ସହାୟତା କରିଛି । ଭଗବାନଙ୍କ ମୁଁହରୁ ଏ ସବୁ କଥା ସାଉଁଟିବା ପରେ ରାତି ବଢୁଥିବାରୁ ଫେରି ଆସିଥିଲା ଆମ ଟିମ୍ । ପରଦିନ ପୁଣି ପତ୍ରି ପାହାଡ଼ ଚଢ଼ିଥିଲେ ଆମ ପ୍ରତିନିଧି । ସେତେବେଳକୁ ପ୍ରମିଳା ନିର୍ଭୟରେ ରାଣୀ ଭଳି ଘୂରି ବୁଲୁ ଥିଲେ । କୋଡ଼ି ଏବଂ କୋଦାଳରେ ଏକା ଏକା ଜଙ୍ଗଲର ଛାତି ଚିରି ପନିପରିବା ଗଛକୁ ମାଟି ଯୋଗାଉଥିଲେ । ତାଙ୍କ ହାଡ଼ଭଙ୍ଗା ପରିଶ୍ରମରେ ସବୁଜିମା ଭରି ଯାଇଥିଲା ଆଖପାଖ ପରିବେଶ ।
ପଚାରିବାରୁ କହିଲେ ଏହି ବଡ଼ ବଡ଼ ଗଛ ମତେ ସୁରକ୍ଷା ଦେଉଛନ୍ତି । ପାହାଡ଼ ମତେ ଆପଣାଇ ନେଇଛି । ମୋ ଆତ୍ମବିଶ୍ୱାସକୁ ଆଣ୍ଟ କରିଛି । ଅନ୍ନ ଯୋଗଉଛି ଜଙ୍ଗଲ ଜମି । ବାପାଙ୍କୁ ଭତ୍ତା ମିଳୁଛି । ବାସ୍ ଆଉ କଣ ଲୋଡ଼ା, ଖୁସିରେ ବଞ୍ଚୁଛୁ । କେବଳ ୪/୫ ବର୍ଷକୁ ଥରେ ମାଟିଘର ଭାଙ୍ଗି ଯାଉଛି । ପୁଣିଥରେ ତିଆରି କରିବାକୁ ପଡୁଛି । ନ ହେଲେ ଆଉ କୌଣସି ସମସ୍ୟା ନାହିଁ । ସତରେ ଭଗବାନ ଓ ପ୍ରମିଳାଙ୍କଠାରୁ ଜୀବନ ବଞ୍ଚିବାର ଶୈଳୀ ଏବଂ ଖୁସି ସାଉଁଟିବାର କଳା ସଭ୍ୟ ସମାଜରେ ଲୋଭଗ୍ରସ୍ତ, ଚାପଗ୍ରସ୍ତ ଯେକେହି ଅନେକ ଶିଖିବାର ରହିଛି ।