fbpx

(Video) BJD ଛାଡ଼ିବେ ସାଂସଦ ଅନୁଭବ! BJP ପାଇଁ କଟକ ଆସନରୁ ଲଢିପାରନ୍ତି ଲୋକସଭା ନିର୍ବାଚନ

ଓଡ଼ିଶା ଭାସ୍କର: ଲୋକସଭା ନିର୍ବାଚନ-୨୦୨୪ ଏବେ ନୂଆ ମୋଡ଼ ନେଇଛି । ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିବା ପରେ ଏବେ ବିଜେଡି ଓ ବିଜେପି ରାଜ୍ୟରେ ଏକାକୀ ନିର୍ବାଚନ ଲଢିବାକୁ ଯାଉଛନ୍ତିା ଏଥିପାଇଁ ଉଭୟ ଦଳ ମଧ୍ୟରେ ଆରମ୍ଭ ହୋଇଯାଇଛି ଟିକେଟ୍ କସରତ । ଏହାସହିତ ଉଭୟ ଦଳରେ ଦେଖିବାକୁ ମିଳିଛି ଦଳ ଡିଆଁ ପର୍ବ । ଅର୍ଥାତ୍ କିଛି ନେତା ଏ ଦଳରୁ ସେ ଦଳକୁ ଯାଉଛନ୍ତି ତ ଆଉ କିଛି ସେ ଦଳରୁ ଏ ଦଳକୁ ଆସୁଛନ୍ତି । ଏହା ପଛରେ ଟିକେଟ୍ ରାଜନୀତି ରହିଛି ବୋଲି କୁହାଯାଉଥିବା ବେଳେ ଆଉ କିଛି ନେତା କିନ୍ତୁ ବିଭିନ୍ନ କାରଣରୁ ଅସନ୍ତୁଷ୍ଟ ହୋଇ ଗୋଟିଏ ଦଳରୁ ଅନ୍ୟ ଦଳରେ ସାମିଲ ହେଉଛନ୍ତି । ଏହି ମିଶ୍ରଣ ପର୍ବରେ ବର୍ତ୍ତମାନ ସବୁଠାରୁ ବଡ଼ ନାଁ ହେଉଛି ସାଂସଦ ଅନୁଭବ ମହାନ୍ତି । ଏବେ ଚର୍ଚ୍ଚା ଜୋର ଧରିଛି ଯେ, ଓଲିଉଡ୍ ଅଭିନେତା ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ବିଜେଡି ଛାଡି ବିଜେପିରେ ମିଶିପାରନ୍ତି ।

ଓଲିଉଡ ସୁପରଷ୍ୟାର ତଥା କେନ୍ଦ୍ରାପଡ଼ାର ସାଂସଦ ଅନୁଭବ ମହାନ୍ତି ନିଜ ଦଳ ବିଜେଡିରୁ ବିଦାୟ ନେଇପାରନ୍ତି । ଏ ନେଇ ଜାତୀୟ ଗଣମାଧ୍ୟମରେ ଖୁବ ଚର୍ଚ୍ଚା ହେଉଛି । ତେବେ ବିଜୁ ଜନତା ଦଳ ଛାଡି ଖୁବଶୀଘ୍ର ବିଜେପିରେ ସାମିଲ ହୋଇପାରନ୍ତି ସାଂସଦ ଅନୁଭବ ମହାନ୍ତି । ଗତ ଶୁକ୍ରବାର କଟକ ସାଂସଦ ଭର୍ତ୍ତୃହରି ମହତାବ ମଧ୍ୟ ବିଜେଡିରୁ ଇସ୍ତଫା ଦେଇଥିଲେ । ଦଳରେ ତାଙ୍କ ମତକୁ ଗୁରୁତ୍ୱ ଦିଆଯାଉନଥିବା କାରଣ ଦର୍ଶାଇ ବିଜେଡି ଛାଡିଥିବା କହିଛନ୍ତି ଭର୍ତ୍ତୃହରି । ଏହାପରେଶାସକ ଦଳର ଆଉ ଜଣେ ସାଂସଦ ମଧ୍ୟ ଦଳ ଛାଡିପାରନ୍ତି ବୋଲି ଆଲୋଚନା ହେଉଛି ।

ତେବେ ଅନୁଭବଙ୍କ ତରଫରୁ କିମ୍ବା ଦଳ ପକ୍ଷରୁ ଏପର୍ଯ୍ୟନ୍ତ ସେଭଳି କୌଣସି ସଙ୍କେତ ଦିଆଯାଇନାହିଁ । ତଥାପି ଏହି ଚର୍ଚ୍ଚାକୁ ସମ୍ପୂର୍ଣ୍ଣ ଅମୂଳକ ବୋଲି ମଧ୍ୟ କହିହେବ ନାହିଁ । କାରଣ ନିକଟରେ କେନ୍ଦ୍ରାପଡା ଜିଲ୍ଲାର ନେତାମାନଙ୍କୁ ନବୀନ ନିବାସକୁ ଡକାଯାଇଥିବା ବେଳେ ସେଠାରେ ଅନୁଭବ ମହାନ୍ତିଙ୍କୁ ଦେଖିବାକୁ ମିଳିନଥିଲା । ଏହା ସହିତ କେନ୍ଦ୍ରାପଡା ଲୋକସଭା ଆସନରେ ଏଥର ଅଂଶୁମାନ ମହାନ୍ତିଙ୍କୁ ବିଜେଡି ପ୍ରାର୍ଥୀ କରିପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ଯଦି ଏହି ଚର୍ଚ୍ଚାରେ ସତ୍ୟତା ଥାଏ, ତେବେ ୨୦୧୯ରେ କେନ୍ଦ୍ରାପଡାରୁ ସାଂସଦ ଭାବେ ନିର୍ବାଚିତ ହୋଇଥିବା ଅନୁଭବ କେନ୍ଦ୍ରାପଡ଼ାରୁ ନିର୍ବାଚନ ଲଢିପାରିବେ ନାହିଁ । ତେବେ ପ୍ରଶ୍ନ ଉଠୁଛି ଯଦି କେନ୍ଦ୍ରାପଡ଼ାରୁ ଅନୁଭବଙ୍କୁ ଟିକେଟ୍ ନ ମିଳେ, ତେବେ ବିଜେଡି ତାଙ୍କୁ ଅନ୍ୟ କେଉଁ ଆସନ ଦେବା ପାଇଁ ଚିନ୍ତା କରୁଛି କି?

ସେପଟେ ଅନୁଭବଙ୍କ ସାଥୀ ଅଭିନେତା ତଥା ଘନିଷ୍ଠ ବନ୍ଧୁ ଅରିନ୍ଦମ୍ ରାୟ ମଧ୍ୟ କିଛି ଦିନ ତଳେ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ମିଶିଛନ୍ତି । ବର୍ତ୍ତମାନ ପାରିବାରିକ ବିବାଦରୁ ଅନୁଭବ ମୁକ୍ତ ହୋଇ ସାରିଥିବା ବେଳେ ଆଗାମୀ ନିର୍ବାଚନରେ ଶାସକ ଦଳ ତାଙ୍କ ଉପରେ ଭରସା କରି କେଉଁଠାରୁ ପ୍ରାର୍ଥୀ କରିବ କି ନାହିଁ ତାହା ଏଯାବତ୍ ସନ୍ଦେହ ଘେରରେ ରହିଛି । ତେଣୁ ଯଦି ଅନୁଭବ ବିଜେଡି ଛାଡନ୍ତି ତା’ହେଲେ ହୁଏତ ଏହା ଏକ ବଡ କାରଣ ହୋଇପାରେ । ତେବେ ବିଜେଡି ଛାଡିଲେ ଅନୁଭବ ବିକଳ୍ପ ଭାବେ ବିଜେପିକୁ ବାଛିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ଅନୁଭବ ବିଜେପିରେ ସାମିଲ ହେଲେ କଟକ ଆସନ ପାଇଁ ତାଙ୍କୁ ଟିକେଟ ଦିଆ ଯାଇପାରେ । କାରଣ ବର୍ତ୍ତମାନ ସୁଦ୍ଧା ବିଜେପି କଟକ ପାଇଁ ପ୍ରାର୍ଥି ଘୋଷଣା କରିନାହିଁ । ତେଣୁ ଅନୁଭବ ମହାନ୍ତି ବିଜେପିରେ ମିଶିଲେ ଏହି ଆସନ ପାଇଁ ଲୋକସଭା ନିର୍ବାଚନକୁ ଓହ୍ଲାଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।

Get real time updates directly on you device, subscribe now.