fbpx

Election’24; ନିର୍ବାଚନ ରଣକ୍ଷେତ୍ରରେ ଦୁଇ ପୁରୁଣା ବନ୍ଧୁ ମୁହାଁମୁହିିଁ: ବାଲେଶ୍ୱରରେ ପ୍ରତାପ-ଖାରବେଳ ଲଢେଇ

ଭୁବନେଶ୍ୱର: ବାଲେଶ୍ୱର ଆସନରୁ ସ୍ୱାଧୀନ ଭାବରେ ନିର୍ବାଚନ ଲଢିବାକୁ ଯାଉଛନ୍ତି ପୂର୍ବତନ ବିଜେପି ନେତା ଖାରବେଳ ସ୍ୱାଇଁ । ଏ ନେଇ ସେ ଗଣମାଧ୍ୟମରେ ଘୋଷଣା କରିଛନ୍ତି । ବିଜେପି ପକ୍ଷରୁ ସାଂସଦ ଭାବରେ ପ୍ରତାପ ଷଡ଼ଙ୍ଗୀଙ୍କ ନାଁ ଘୋଷଣା ହେବା ପରେ ପ୍ରେସ ମିଟ୍ ଜରିଆରେ ଖାରବେଳ ଏହି ବଡ଼ ଘୋଷଣା କରିଛନ୍ତି । ନିର୍ବାଚନ ଲଢିବା ନେଇ ଘୋଷଣା କରିବା ସହ ସେ କହିଛନ୍ତି ଯେ, ପ୍ରଚାର ସମୟରେ ବାଜପେୟୀଙ୍କ ଫଟୋ ରଖି ମୁଁ ଭୋଟ ମାଗିବାକୁ ଯିବି । ତେବେ ଏହି ଲଢେଇରେ ଜିତିଲେ ସେ ବିଜେପିରେ ଯୋଗ ଦେବେ ବୋଲି ମଧ୍ୟ ଘୋଷଣା କରିଛନ୍ତି । ଗତଥର ସେ କନ୍ଧମାଳରୁ ନିର୍ବାଚନ ଲଢିଥିଲେ, କିନ୍ତୁ ଏଥର ବାଲେଶ୍ୱରରୁ ଲଢିବେ ବୋଲି ସେ ରଣହୁଙ୍କାର ଦେଇଛନ୍ତି ।

ତେବେ ବିଜେପି ତାଙ୍କୁ ଲୋକସଭା ନିର୍ବାଚନ ପାଇଁ ଟିକେଟ ଦେଇନାହିଁ । ତେଣୁ ସେ କହିଛନ୍ତି ଯେ, ‘ବିଜେପି ମୋତେ ଟିକେଟ ଦେଲାନି, ମୁଁ କନ୍ଧମାଳ ଯିବିନି, ବାଲେଶ୍ୱରରୁ ନିର୍ବାଚନ ଲଢିବି ।’ ତେବେ ବିଜେପିକୁ ସେ ଛାଡ଼ିବେ ନାହିଁ ବୋଲି ମଧ୍ୟ ଘୋଷଣା କରିଛନ୍ତି । କିନ୍ତୁ ଦଳ ଯଦି ବହିଷ୍କାର କରିବାକୁ ଚାହିଁବ କରିପାରିବ ବୋଲି କହିଛନ୍ତି ଖାରବେଳ ସ୍ୱାଇଁ । ତେବେ କିଛି କୁଚକ୍ରୀ ଗୋଷ୍ଠୀ ପାଇଁ ନିର୍ବାଚନରେ ତାଙ୍କୁ ଟିକେଟ ମିଳି ନଥିବା ସେ ପ୍ରକାଶ କରିଛନ୍ତି । ଏହାପରେ ସେ ମନମୋହନ ସାମଲ ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଦେଇଛନ୍ତି । ତେବେ ଗୋଟିଏ ଆସନ ପାଇଁ ବିଜେପିରୁ ପ୍ରତାପ ଷଡ଼ଙ୍ଗୀ ଏବଂ ସ୍ୱାଧୀନ ଭାବରେ ଖାରବେଳ ସ୍ୱାଇଁଙ୍କ ମଧ୍ୟରେ ଏହି ଲଢେଇ ଖୁବ ରୋମାଞ୍ଚକର ରହିବ ।

ଓଡ଼ିଶାର ୧୮ଟି ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିସାରିଛି । ଏହି ତାଲିକାରେ ରାଜ୍ୟର ଅନେକ ଚିହ୍ନା ଚେହେରାଙ୍କୁ ବିଭିନ୍ନ ଆସନରୁ ଟିକେଟ ଦେଇଛି ଭାରତୀୟ ଜନତା ପାର୍ଟି । ସମ୍ବଲପୁରରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟିକେଟ ମିଳିଥିବା ବେଳେ ଭୁବନେଶ୍ୱରରୁ ଅପରାଜିତା ଏବଂ ପୁରୀରୁ ସମ୍ବିତ ପାତ୍ର ନିର୍ବାଚନ ମଇଦାନକୁ ଓହ୍ଲାଇବେ । ଏହାବ୍ୟତୀତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ତାଙ୍କ ଗଡ଼ ବାଲେଶ୍ୱରରୁ ହିଁ ଟିକେଟ ମିଳିଛି । କିନ୍ତୁ ବିଜେପିର ଏହି ଘୋଷଣା ପରେ ପ୍ରତାପଙ୍କ ବିରୋଧରେ ମଇଦାନକୁ ଓହ୍ଲାଇଛନ୍ତି ପୁରୁଣା ବନ୍ଧୁ ଖାରବେଳ ସ୍ୱାଇଁ । ବାଲେଶ୍ୱରରୁ ସ୍ୱାଧୀନ ଭାବରେ ନିର୍ବାଚନ ଲଢିବା ନେଇ ଖାରବେଳ ଘୋଷଣା କରିଛନ୍ତି ।

Get real time updates directly on you device, subscribe now.