fbpx

ସୁଧୁରୁନି ସ୍ମାର୍ଟ ସିଟିର ସ୍ୱାସ୍ଥ୍ୟ ବ୍ୟବସ୍ଥା; ପ୍ରଶାସନର ନିଦ ଭଙ୍ଗ ପାଇଁ ପୁଣି ଥରେ ଧାରଣାରେ ମୁକ୍ତିକାନ୍ତ

Advertisement

ରାଉରକେଲା:ପୁଣି ଥରେ ଧାରଣା ଦେଇଛନ୍ତି ସଂଗ୍ରାମୀ ମୁକ୍ତିକାନ୍ତ ବିଶ୍ୱାଳ । ରାଉରକେଲା ସରକାରୀ ଡାକ୍ତରଖାନାର ଅବହେଳାକୁ ନେଇ ପୁଣିଥରେ ସେ ରାସ୍ତାକୁ ଓହ୍ଲାଇଛନ୍ତି। ଆଉ ଏଥର ରାଉରକେଲାର ଅତିରିକ୍ତ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ରାଜ୍ୟରେ ଏବେ ପଶ୍ଚିମାଝଡ ପାଇଁ ୱାର୍ଣ୍ଣିଙ୍ଗ ଦିଆଯାଉଥିବା ବେଳେ ମୁକ୍ତକାନ୍ତ ଏପଟେ ବର୍ଷାକୁ ଖାତିର ନକରି ଲୋକମାନଙ୍କ ସମସ୍ୟାର ସମାଧାନ ପାଇଁ ଖୋଲା ଆକାଶ ତଳେ ବସି ବର୍ଷା ଛିଟା ସହୁଛନ୍ତି ।

ମୁକ୍ତିକାନ୍ତଙ୍କ କହିବା ଅନୁସାରେ ମୁଖ୍ୟମନ୍ତ୍ରୀ ପ୍ରତିଟି ଜୀବନ ମୁଲ୍ୟବାନ ବୋଲି ନାରା ଦେଉଛନ୍ତି । କିନ୍ତୁ ଏହା କେବଳ କଥାରେ ରହି ଯାଇଛି କାର୍ଯ୍ୟକାରୀ ହେଉ ନାହିଁ । ୫ଟି ମାଧ୍ୟମରେ ହସ୍ପିଟାଲର ରୂପାନ୍ତିକରଣ କଥା କୁହାଯାଉଛି ହେଲେ ସ୍ମାର୍ଟ ସିଟିର ସରକାରୀ ହସ୍ପିଟାଲ ଶୋଚନୀୟ ଅବସ୍ଥାରେ ପଡିରହିଛି । ଏଠି ସରକାରୀ ମେଡିକାଲରେ ବିକାଶର ଆଲୋକ ଦେଖା ଯିବା ଦୂର କଥା ଏହାର ବ୍ୟବସ୍ଥା ଗୁଡିକ ଉପରେ ନଜର ନ ପକାଇବା ହିଁ ଭଲ ।

ମନ ଇଚ୍ଛା ଏଠାରେ ତାଲା ଝୁଲୁଛି । ଆଉ ଲୋକ ମାନେ ଏହି ଝୁଲନ୍ତା ତାଲାକୁ ଦେଖି ଆଉଡୋର ବାହାରୁ ହିଁ ଫେରୁଛନ୍ତି । ଡାକ୍ତରଖାନାର ସମସ୍ତ ବିଭାଗକୁ ତଥା ସୁରକ୍ଷାକର୍ମୀଙ୍କଠାରୁ ଆରମ୍ଭ କରି ରକ୍ତ ନମୂନା ପରୀକ୍ଷା କରୁଥିବା ବିଭାଗ ସହିତ ପାରା-ମେଡିକାଲ୍‍ ଷ୍ଟାଫଙ୍କ ଠାରୁ ଆରମ୍ଭ କରି ଷ୍ଟାଫ୍‍ ନର୍ସ ପର୍ଯ୍ୟନ୍ତ ସମସ୍ତ ବିଭାଗକୁ ବେସରକାରୀ ସଂସ୍ଥା ହାତକୁ ଟେକି ଦିଆଯାଇଛି । ଆଉ ଏହି ସବୁ ସମସ୍ୟା ଭିତରେ ହନ୍ତସନ୍ତ ହେଉଛନ୍ତି କେବଳ ଜନସାଧାରଣ ମାନେ ।

ତେବେ ଏହି ସମସ୍ୟାକୁ ଲୋକଲୋଚନକୁ ଆଣିବାକୁ ଯାଇ ଯେତେ ବେଳେ ଡାଇରେକ୍ଟରଙ୍କୁ ଏହି ବିଷୟରେ ପ୍ରଶ୍ନ କରାଯାଇଥିଲା ସେ ଊତ୍ତର ଦେଇ କହିଛନ୍ତି ଯେ ବର୍ତ୍ତମାନ ସର୍ଜିକାଲ ଅପରେସନ ଆଉ ଅର୍ଥୋପେଡିକ ଅପରେସନ ପାଇଁ କୌଣସି ଡାକ୍ତର ନାହାନ୍ତି ସେଥିପାଇଁ ଏହି ବିଭାଗକୁ ବନ୍ଦ କରାଯାଇଛି । ବର୍ତ୍ତମାନ ପ୍ରଶ୍ନ ଉଠୁଛି ସରକାରୀ ହସ୍ପିଟାଲର ଯଦି ଏଭଳି ଅବସ୍ଥା ତେବେ ରୋଗୀ ମାନେ ଯିବେ କୁଆଡେ ?ଆଉ ଏହି ସସସ୍ୟା ଉପରେ କାହାର ନଜର ପଡୁଛି ନା ନାହିଁ ।

ତେଣୁ ଅପରେସନ୍‍ ଥିଏଟର୍‍ ପାଇଁ ଖୁବ୍‍ ଶୀଘ୍ର ଡାକ୍ତର ନିଯୁକ୍ତି କରିବା, ସରକାରଙ୍କ ପ୍ରତିଶ୍ରୁତି ମୁତାବକ ରାଉରକେଲା ସରାକାରୀ ଡାକ୍ତରଖାନାକୁ କ୍ୟାପିଟାଲ୍‍ ହସ୍‍ପିଟାଲ୍‍ ଘୋଷଣା କରିବା, ଖୁବ୍‍ ଶୀଘ୍ର ସରାକାରୀ ଡାକ୍ତରଖାନାରେ ରୋଗୀଙ୍କ ପାଇଁ ଶଯ୍ୟା ବୃଦ୍ଧି କରିବା, ଲିଜ୍‍ ମାଧ୍ୟମରେ ଥିବା ବେସରକାରୀ ହସ୍‍ପିଟାଲ୍‍ ହାଇଟେକ୍‍ର ଲିଜ୍‍ କ୍ୟାନ୍‍ସଲ କରି ରାଉରକେଲା ସରାକାରୀ ଡାକ୍ତରଖାନା ସହିତ ସହବନ୍ଧିତ କରିବା ଦାବୀରେ ଆଜିଠାରୁ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମୁକ୍ତିକାନ୍ତ ବିଶ୍ୱାଳଙ୍କ ଦ୍ୱାରା ଧାରଣା ପ୍ରଦର୍ଶନ କରୁଛନ୍ତି । ଆଉ ତାଙ୍କର ଏହି ଧାରଣା ଦ୍ୱାରା ନୀରବଦଷ୍ଟା ସାଜିଥିବା ସରକାର ଙ୍କ ନିଦ୍ରାଭଙ୍ଗ ହେବା ସହିତ ଖୁବ ଶୀଘ୍ର ଏହି ସମସ୍ୟାର ସମାଧାନ ହେବ ବୋଲି ସେ ଆଶା ରଖିଛନ୍ତି ।

Get real time updates directly on you device, subscribe now.