ଜୋମାଟୋକୁ କୋଟିପତି କଲେ ଏହି ବ୍ୟକ୍ତି: ବର୍ଷକରେ ମଗାଇଲେ ୩,୫୮୦ ଅର୍ଡର

ଓଡ଼ିଶା ଭାସ୍କର: ସାରା ଦେଶରେ ଅନେକ ଲୋକ ଅନଲାଇନରେ ଖାଇବା ଅର୍ଡର କରି ଖାଇବାକୁ ବେଶ ପସନ୍ଦ କରିଥାନ୍ତି । ନିକଟରେ ଫୁଡ଼ ଡେଲିଭରି କମ୍ପାନୀ ‘ଜୋମାଟୋ’ ୨୦୨୩ ମସିହାରେ ସାରା ଦେଶରେ ଅର୍ଡର କରାଯାଇଥିବା ଖାଦ୍ୟର ଏକ ବିବରଣୀ ପ୍ରକାଶ କରିଛି । ତେବେ ଏହା ମଧ୍ୟରେ ଜଣେ ବ୍ୟକ୍ତିଙ୍କର ଅର୍ଡର ବିବରଣୀ ସମସ୍ତଙ୍କୁ ବେଶ ଆଶ୍ଚର୍ଯ୍ୟଚକିତ କରିଛି। ମୁମ୍ବାଇର ହନିସ୍ ନାମକ ଜଣେ ବ୍ୟକ୍ତି ସବୁଠାରୁ ଅଧିକ ଖାଦ୍ୟ ଅର୍ଡର କରି ରେକର୍ଡ଼ କରିଛନ୍ତି। ତେବେ ଜୋମାଟୋ ରିପୋର୍ଟ ଅନୁଯାୟୀ ହନିସ୍ ଚଳିତ ବର୍ଷ ସମୁଦାୟ ୩,୫୮୦ଟି ଅର୍ଡର ଜୋମାଟୋରୁ କରିଥିଲେ । ତେବେ ଦିନକୁ ହାରାହାରି ତାଙ୍କର ନଅଟି କିମ୍ବା ଅଧିକ ଅର୍ଡର ରହିଥିଲା।
ହନିସଙ୍କ ସହ ଏହି ରିପୋର୍ଟରେ ଦେଶର ଆଉ ତିନି ଜଣଙ୍କ ନାମ ସାମ୍ନାକୁ ଆସିଛି। ଜୋମାଟୋ ଦେଇଥିବା ସୂଚନା ଅନୁଯାୟୀ, ‘ବେଙ୍ଗାଲୁରୁର ଜଣେ ବ୍ୟକ୍ତି ବର୍ଷର ସବୁଠାରୁ ବଡ ଅର୍ଡର ଜୋମାଟୋରେ କରିଥିଲେ।’ ତେବେ ଏହି ଅର୍ଡରର ମୂଲ୍ୟ ୪୬,୨୭୩ ଟଙ୍କା ଥିବା ଜଣାପଡ଼ିଛି ।

କିନ୍ତୁ ଗୋଟିଏ ଦିନରେ ସର୍ବାଧିକ ସଂଖ୍ୟକ ଅର୍ଡର ସମ୍ପର୍କରେ ଜୋମାଟୋ କହିଛି, “ମୁମ୍ବାଇର ଜନୈକ ବ୍ୟକ୍ତି ଗୋଟିଏ ଦିନରେ ମୋଟ ୧୨୧ଟି ଅର୍ଡର ଜୋମାଟୋରୁ କରିଥିଲେ ।” ଅନ୍ୟପକ୍ଷରେ “ବେଙ୍ଗାଲୁରୁର ଜନୈକ ବ୍ୟକ୍ତି ଜୋମାଟୋ ଦ୍ୱାରା ୬.୬୧ ଲକ୍ଷ ଟଙ୍କା ମୂଲ୍ୟର ୧୩୮୯ଟି ଅର୍ଡର ଉପହାର ସ୍ୱରୂପ କରିଥିଲେ।”

ଏତେ ସଂଖ୍ୟକ ଅର୍ଡର ଭିତରେ ୩ ଟି ଏପରି ଡିସ ରହିଛି ଯାହାକୁ ଲୋକମାନେ ଆପ ଦ୍ୱାରା ସର୍ବାଧିକ ଅର୍ଡର କରିଛନ୍ତି ।

ବିରିୟାନୀ- ୨୦୨୩ ମସିହାରେ ସବୁଠାରୁ ଅଧିକ ଅର୍ଡର କରାଯାଇଥିବା ଡିସ ହେଉଛି ବିରିୟାନୀ । ତେବେ ସମୁଦାୟ ୧୦,୦୯,୮୦,୬୧୫ଥର ବିରିୟାନୀ ଅର୍ଡର କରାଯାଇଥିବା ଜଣାପଡ଼ିଛି ।

ପିଜ୍ଜା- ଏହା ପରେ ଦ୍ୱିତୀୟ ସ୍ଥାନରେ ରହିଛି ପିଜ୍ଜା । ଗତ ବର୍ଷରେ ଏହାକୁ ୭,୪୫,୩୦,୦୩୬ ଥର ଅର୍ଡର କରାଯାଇଛି ।

ନୂଡଲ ବାଉଲ- ଏହି ତାଲିକାରେ ତୃତୀୟ ସ୍ଥାନରେ ନୂଡଲ ବାଉଲ ରହିଛି । ତେବେ ଏହାକୁ ୪,୫୫,୫୫,୪୯୦ ଥର ଅର୍ଡର କରାଯାଇଥିବା ସୂଚନା ମିଳିଛି ।