fbpx

ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସଇଦର ପୁଅ ନିର୍ବାଚନରେ ପରାସ୍ତ: ଆତଙ୍କବାଦକୁ ବଡ଼ ଶିକ୍ଷା ଦେଲେ ପାକିସ୍ତାନୀ ଜନତା

ନୂଆଦିଲ୍ଲୀ: ଗତ ୮ ତାରିଖରେ ପାକିସ୍ତାନରେ ସାଧାରଣ ନିର୍ବାଚନର ଭୋଟ ଗ୍ରହଣ କରାଯାଇଥିବା ବେଳେ ଆଜି ଗଣତି ପ୍ରକ୍ରିୟା ଚାଲିଛି । ଦେଶର ୩ଟି ପ୍ରମୁଖ ରାଜନୈତିକ ଦଳ ପାକିସ୍ତାନ ତେହରିଖ-ଇ-ଇନସାଫ (ପିଟିଆଇ), ପାକିସ୍ତାନ ମୁସଲିମ ଲିଗ (ଏନ) (ପିଏମଏଲଏନ) ମଧ୍ୟରେ କଡ଼ା ଟକ୍କର ଚାଲିଛି । ଏହା ମଧ୍ୟରେ ପାକିସ୍ତାନର ଦୁଇ ପୂର୍ବତନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଓ ନବାଜ ଶରିଫ ନିର୍ବାଚନରେ ବିଜୟୀ ହୋଇ ସାରିଛନ୍ତି । ଏଥିସହିତ ନବାଜ ଶରିଫଙ୍କ ଝିଅ ମରିୟମ ନବାଜ ଶରିଫ ମଧ୍ୟ ନିର୍ବାଚନରେ ଜିତିଥିବା ଜଣାପଡ଼ିଛି ।

ତେବେ ଗୋଟିଏ ପଟେ ପାକିସ୍ତାନରେ ଇଣ୍ଟରନେଟ ସମସ୍ୟା ଭିତରେ ଭୋଟ ଗଣତି ଚାଲିଥିବା ବେଳେ ଅନ୍ୟପଟେ ହିଂସାକାଣ୍ଡରେ ୯ ଲୋକଙ୍କର ପ୍ରାଣହାନୀ ଘଟିଥିବା କୁହାଯାଉଛି । ତେବେ ଏହି ନିର୍ବାଚନରେ ପାକିସ୍ତାନ ଜନତା ସେମାନଙ୍କର ପସନ୍ଦର ନେତାଙ୍କୁ ଚୟନ କରୁଥିବା ଦେଖାଯାଉଛି । ଏହା ମଧ୍ୟରେ ମୁମ୍ବାଇ ମାଷ୍ଟର ମାଇଣ୍ଡ ତଥା ଲସ୍କର-ଇ-ତୋଏବା (ଏଲଇଟି)ର ପ୍ରତିଷ୍ଠାତା ହାଫିଜ ସଇଦର ପୁଅ ତଲହା ସଇଦ ଲାହୋର ଉତ୍ତର-ପୂର୍ବ-୧୨୭ ଆସନରୁ ପରାସ୍ତ ହୋଇଛି । ତେବେ ଆତଙ୍କବାଦ ବିରୋଧରେ ପାକିସ୍ତାନୀ ଜନତା ରହିଛନ୍ତି ତାହା ଏହା ପ୍ରମାଣିତ କରିଛି ।

ସୂଚନାଯୋଗ୍ୟ ଯେ, ଇଣ୍ଟରନେଟ ସେବା ବ୍ୟାହତ କାରଣରୁ ଆଜି ଭୋଟ ଗଣତି ପ୍ରକ୍ରିୟା ବିଳମ୍ବ ହୋଇଥିଲା । ପ୍ରାଥମିକ ଭୋଟ ଗଣତି ସମୟରେ ଇମ୍ରାନଙ୍କ ପାର୍ଟି ଆଗରେ ରହିଥିବା ବେଳେ ପରବର୍ତ୍ତୀ ସମୟରେ ନବାଜ ଶରିଫଙ୍କ ପାର୍ଟି ଆଗରେ ରହିଥିଲା । ପୂର୍ବ ବର୍ଷମାନଙ୍କରେ ଭୋଟ ଗ୍ରହଣ ଦିନ ବିଳମ୍ବିତ ରାତି ସୁଦ୍ଧା ଫଳାଫଳ ଘୋଷଣା କରାଯାଉଥିବା ବେଳେ ଏଥର ଭୋଟ ପରଦିନ ଗଣନା କରାଯାଉଛି । ସେଥିପାଇଁ ଏବେ ପାକିସ୍ତାନରେ ମତଗଣନାକୁ ପ୍ରଶ୍ନବାଚୀ ଉଠିଥିଲା । ମୋଟ ୩୩୬ଟି ଆସନରେ ଭୋଟ ହୋଇଥିଲେ ହେଁ ସେଥିମଧ୍ୟରୁ ମାତ୍ର ୨୬୬ଟି ଆସନରେ ନିର୍ବାଚନ ଜରିଆରେ ବିଜୟୀଙ୍କୁ ଘୋଷିତ କରାଯିବ । ମୋଟ ୭୦ଟି ଆସନ ସଂରକ୍ଷିତ ରହିଥିବା ବେଳେ ମହିଳାଙ୍କ ପାଇଁ ୬୦ଟି ଓ ଅଣମୁସଲିମଙ୍କ ପାଇଁ ୧୦ଟି ସଂରକ୍ଷିତ ରହିଛି । ୨୦୧୮ରେ ପିଟିଆଇ ୧୪୯ଟି ଆସନରେ ଜିତିଥିବା ବେଳେ ପିଏମଏଲଏନ ୮୨ଟି ଓ ପିପିପି ୫୪ଟିରେ ଜିତିଥିଲା ।

Get real time updates directly on you device, subscribe now.