fbpx

ମହାଷ୍ଟମୀରେ ମୁସଲିମ୍ କନ୍ୟାଙ୍କ ହେବ ଦେବୀ ପରି ପୂଜା, ସ୍ୱାମୀ ବିବେକାନନ୍ଦଙ୍କ ଚିନ୍ତାଧାରାରେ ଅନୁପ୍ରାଣୀତ

କୋଲକାତା: କୋଲକାତାର ନ୍ୟୁଟାଉନରେ ହେଉଥିବା ଦୁର୍ଗାପୂଜାରେ ଏଥର ହିନ୍ଦୁ ମୁସଲିମ୍ ଭାଇଚାରାର ସନ୍ଦେଶ ଦେବା ପାଇଁ ଟିକେ ଭିନ୍ନ ଧରଣର ଯୋଜନା ପ୍ରସ୍ତୁତ କରାଯାଇଛି । ମହାଷ୍ଟମୀରେ ହେବାକୁ ଯାଉଥିବା କୁମାରୀ ପୂଜା ଲାଗି ସମିତି ଏକ ୮ ବର୍ଷୀୟା ମୁସଲିମ୍ କନ୍ୟାଙ୍କୁ ଚୟନ କରିଛି ଯାହାର ନାମ ନଫିସା । ନଫିସା ପଥୁରିଆଘାଟା ଅଞ୍ଚଳରେ ରୁହନ୍ତି । ମୃତ୍ତିକା କ୍ଲବର ଅଲ୍ ୱିମେନ କମିଟି ପୂଜା ପାଇଁ ଏହି କନ୍ୟାଙ୍କୁ ଚୟନ କରିଛନ୍ତି ।

ସାଧାରଣତଃ ମହାଷ୍ଟମୀ ପୂଜା ଲାଗି କୌଣସି ବ୍ରାହ୍ମଣ ପରିବାରର କୁଆଁରୀ କନ୍ୟାକୁ ଚୟନ କରାଯାଇଥାଏ ଓ କନ୍ୟାର ବୟସ ୧୨ ବର୍ଷରୁ କମ୍ ହୋଇଥାଏ । କିନ୍ତୁ ଏଥର ସାଂପ୍ରଦାୟିକ ସଦଭାବନାର ସନ୍ଦେଶ ଦେବା ଲାଗି ଏକ ମୁସଲିମ୍ କନ୍ୟାକୁ ଚୟନ କରାଯାଇଛି । ସମିତି ପକ୍ଷରୁ କୁହାଯାଇଛି ସ୍ୱାମୀ ବିବେକାନନ୍ଦ ସମାଜକୁ ଯେଉଁ ପ୍ରେରଣା ଦେଇଯାଇଛନ୍ତି ତାହାକୁ ଅନୁସରଣ କରି ଏପରି ପଦକ୍ଷେପ ନିଆଯାଇଛି ।

୧୮୯୮ରେ ନିଜର ଯାତ୍ରା ସମୟରେ ସ୍ୱାମୀ ବିବେକାନନ୍ଦ ଜଣେ ମୁସଲିମ୍ ନାବିକଙ୍କୁ ନିବେଦନ କରିଥିଲେ କି ଶ୍ରୀନଗରରେ ଥିବା କ୍ଷୀର ଭବାନୀ ମନ୍ଦିରରେ ପୂଜା ଲାଗି ନିଜ କନ୍ୟାକୁ ପଠାଇବାକୁ । ଏହାପରେ ସେହି ମୁସଲିମ୍ କନ୍ୟାଙ୍କର ମନ୍ଦିରରେ ପୂଜା କରାଯାଇଥିଲା ।

ସମିତି ପକ୍ଷରୁ କୁହାଯାଇଛି ସେମାନେ ସ୍ୱାମୀ ବିବେକାନନ୍ଦଙ୍କର ସେହି ବାର୍ତ୍ତାକୁ ଦୋହରାଇବାକୁ ଚେଷ୍ଟା କରିଛନ୍ତି । ସମିତି ପକ୍ଷରୁ କୁହାଯାଇଛି ଆମର ଏଠାରେ ପରମ୍ପରା ରହିଛି କି ଆମେ ଶିଶୁମାନଙ୍କର ପାଦ ଛୁଇଁ ସେମାନଙ୍କ ଠାରୁ ଆଶୀର୍ବାଦ ନେଇଥାଉ । ଏହି କ୍ଲବର ସଦସ୍ୟମାନେ ରାମକୃଷ୍ଣ ମଠ ଓ ବେଲୁର ମଠ ସହ ସମ୍ବନ୍ଧ ରଖିଥାନ୍ତି ଯାହାର ସ୍ଥାପନା ସ୍ୱାମୀ ବିବେକାନନ୍ଦ କରିଥିଲେ । ନଫିସାଙ୍କ ମା’ ଜଣଙ୍କ ଘରେ କାମ କରିଥାନ୍ତି । ଏହି ପୂଜାକୁ ନେଇ ସେ ବହୁତ ଉତ୍ସାହିତ ଅଛନ୍ତି ।

Get real time updates directly on you device, subscribe now.