ନେପିଦାଉ,୨୯ା୩: ମିଆଁମାରରେ ଭୂକମ୍ପ ଯୋଗୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇଛି। ମିଆଁମାରର ସାମରିକ ନେତୃତ୍ୱ ଅନୁଯାୟୀ, ଦେଶରେ ମୃତ୍ୟୁସଂଖ୍ୟା ୧,୬୪୪ ରେ ପହଞ୍ଚିଛି, ଆହତଙ୍କ ସଂଖ୍ୟା ୩,୪୦୮ ରେ ପହଞ୍ଚିଥିବାବେଳେ ୧୩୯ ଜଣ ନିଖୋଜ ଅଛନ୍ତି।
ବ୍ୟାଙ୍କକରେ ଭୂକମ୍ପ ଯୋଗୁ ଭୁଶୁଡ଼ି ପଡ଼ିଥିବା କୋଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉଦ୍ଧାରକାରୀମାନେ କହିଛନ୍ତି ଯେ, ଏବେ ରିଲିଫ୍ କାର୍ଯ୍ୟ ପାଇଁ ରୋବୋଟର ସାହାଯ୍ୟ ନିଆଯାଉଛି। ଶହ ଶହ ଉଦ୍ଧାରକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି।
ଏହି ଦୁଃଖଦ ଘଟଣାକୁ ନେଇ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି, ଗତକାଲି, ମିଆଁମାରରେ ଏକ ବଡ଼ ଭୂକମ୍ପ ହୋଇଥିଲା, ଯାହା ଫଳରେ ବହୁତ ଧନଜୀବନ ହାନି ହୋଇଥିଲା। ମିଆଁମାରରେ ଘଟିଥିବା ଏହି ଦୁଃଖଦ ଘଟଣା ପରେ ନରେନ୍ଦ୍ର ମୋଦୀ ତାଙ୍କ ଚିନ୍ତା ପ୍ରକାଶ କରି କହିଥିଲେ ଯେ, ଭାରତ ଏହି ସଙ୍କଟର ମୁହୂର୍ତ୍ତରେ ମିଆଁମାରର ଲୋକମାନଙ୍କୁ ଏବଂ ମିଆଁମାର ସରକାରଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇବାକୁ ପ୍ରସ୍ତୁତ। ଆଜି ପ୍ରଧାନମନ୍ତ୍ରୀ ମିଆଁମାରର ବରିଷ୍ଠ ଜେନେରାଲ ମିନ୍ ଅଙ୍ଗ ହ୍ଲାଇଙ୍ଗଙ୍କ ସହ କଥା ହୋଇଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ଆମେ ମିଆଁମାର ସରକାର ଏବଂ ସେଠାକାର ଲୋକଙ୍କ ସହିତଠିଆ ହୋଇଛୁ। ଏହି ବିପର୍ଯ୍ୟୟର ମୁକାବିଲା ପାଇଁ ଆମେ ରିଲିଫ୍, ଉଦ୍ଧାର ଏବଂ ଆବଶ୍ୟକୀୟ ସହାୟତା ଯୋଗାଇବାକୁ ଯଥାସମ୍ଭବ ଚେଷ୍ଟା କରିବୁ।
ରଣଧୀର କହିଛନ୍ତି, ଆଜି ଆମେ ଅପରେସନ ବ୍ରହ୍ମା ଆରମ୍ଭ କରିଛୁ। ବ୍ରହ୍ମା ହେଉଛନ୍ତି ସୃଷ୍ଟିର ଦେବତା, ଯେତେବେଳେ ଆମେ ଧ୍ୱଂସ ପରେ ମିଆଁମାର ସରକାର ଏବଂ ମିଆଁମାରର ଲୋକମାନଙ୍କୁ ସେମାନଙ୍କ ଦେଶକୁ ପୁନଃନିର୍ମାଣ କରିବା ପାଇଁ ସାହାଯ୍ୟର ହାତ ବଢ଼ାଉଛୁ। ଏହି ଅପରେସନର ଏହି ବିଶେଷ ନାମର ଏକ ବିଶେଷ ଅର୍ଥ ଅଛି। ୧୫ ଟନ୍ ରିଲିଫ୍ ସାମଗ୍ରୀ ବହନ କରୁଥିବା ପ୍ରଥମ ବିମାନଟି ଭୋର ପ୍ରାୟ ୩ଟାରେ ହିଣ୍ଡନ୍ ବାୟୁସେନା ଘାଟିରୁ ଉଡ଼ାଣ ଭରଥିଲା। ଏହା ଭାରତୀୟ ସମୟ ପ୍ରାୟ ସକାଳ ୮ଟାରେ ୟାଙ୍ଗନରେ ପହଞ୍ଚିଥିଲା। ଆମର ରାଷ୍ଟ୍ରଦୂତ ରିଲିଫ୍ ସାମଗ୍ରୀ ଗ୍ରହଣ କରିବାକୁ ସେଠାକୁ ଯାଇଥିଲେ ଏବଂ ତା’ପରେ ସେ ଏହାକୁ ୟାଙ୍ଗନର ମୁଖ୍ୟମନ୍ତ୍ରୀଙ୍କୁ ହସ୍ତାନ୍ତର କରିଥିଲେ।