fbpx

(Video) ମୁଖ୍ୟମନ୍ତ୍ରୀ ଶପଥ ଉତ୍ସବରେ ପହଞ୍ଚିଲେ ନବୀନ: ହାତ ଯୋଡ଼ି ସ୍ୱାଗତ କଲେ ଅମିତ ଶାହ

ଭୁବନେଶ୍ୱର: ଆଜି ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ମୋହନ ଚରଣ ମାଝୀ । ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ବିଜେପିର ଅନେକ ବରିଷ୍ଠ ନେତା-ମନ୍ତ୍ରୀ ଉପସ୍ଥିତ ରହିଥିଲେ । ତେବେ ବିଶେଷ ଅତିଥି ଭାବରେ ଏହି ଉତ୍ସବରେ ସାମିଲ ହୋଇଥିଲେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ନବୀନ ମଞ୍ଚରେ ପହଞ୍ଚିବା ମାତ୍ରେ ତାଙ୍କୁ ପାଛୋଟି ନେଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାପରେ ଗୃହମନ୍ତ୍ରୀ ଅମିତ ଶାହ ମଞ୍ଚ ଉପରେ ନବୀନଙ୍କୁ ସ୍ୱାଗତ କରିଛନ୍ତି । ହାତ ଯୋଡ଼ି ନମସ୍କାର କରିବା ସମ୍ମାନ ଜଣାଇବା ସହ ନବୀନଙ୍କୁ ସ୍ୱାଗତ କରିଥିଲେ ଅମିତ ଶାହ । ଏହାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଭୁବନେଶ୍ୱରର ଜନତା ମୈଦାନରେ ଅନୁଷ୍ଠିତ ଏହି ଶପଥ ସମାରୋହରେ ରାଜ୍ୟପାଳ ରଘୁବର ଦାସ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପରେ ଉପ-ମୁଖ୍ୟମନ୍ତ୍ରୀ ଭାବେ କେଭି ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା ଶପଥ ନେଇଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ମନ୍ତ୍ରିମଣ୍ଡଳରେ ୮ ଜଣ କ୍ୟାବିନେଟ୍ ଓ ୫ ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତେବେ ଶପଥ ଗ୍ରହଣ ଆରମ୍ଭ ହେବା ପୂର୍ବରୁ ଦେଖିବାକୁ ମିଳିଥିଲା ଏମିତି ଏକ ଦୃଶ୍ୟ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହ ବେଶ୍ ଖୁସି ମଧ୍ୟ କରିଥିଲା । କାରଣ ନିଜ ପ୍ରତିଶ୍ରୁତି ରକ୍ଷା କରି ଶପଥ ସମାରୋହରେ ପହଞ୍ଚିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଗତକାଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସହ ଦଳର ଅନ୍ୟ ଛାମୁଆ ନେତାମାନେ ନବୀନ ନିବାସକୁ ଶପଥ ସମାରୋହକୁ ଆସିବା ପାଇଁ ନବୀନଙ୍କୁ ନିମନ୍ତ୍ରଣ କରିଥିଲେ । ଶପଥ ସମାରୋହ ସଭା ମଞ୍ଚରେ ନବୀନ ପହଞ୍ଚିବା ପୂର୍ବରୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା, ପରିବହନ ମନ୍ତ୍ରୀ ନୀତିନ ଗଡକରି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଭଳି ବିଜେପିର ହେଭିୱେଟ୍ ନେତା ମଞ୍ଚରେ ପୂର୍ବରୁ ଉପସ୍ଥିତ ରହିଥିଲେ ।

ତେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଞ୍ଚରେ ପହଞ୍ଚିବା କ୍ଷଣି ମଞ୍ଚରେ ବସିଥିବା ଏହି ବିଜେପି ନେତାମାନେ ତାଙ୍କୁ ସ୍ୱାଗତ କରିବା ପାଇଁ ନିଜ ଆସନରୁ ଉଠି ଛିଡା ହୋଇଥିଲେ । ଏହାପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଗୃହମନ୍ତ୍ରୀ ଅମିତ ଶାହ ନବୀନଙ୍କୁ ହାତ ଯୋଡ଼ି ପ୍ରଣାମ କରିବା ସହ ତାଙ୍କ ଆସନ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ । ନବୀନ ମଧ୍ୟ ସମସ୍ତଙ୍କ ସହିତ ସୌଜନ୍ୟମୂଳକ ବାର୍ତ୍ତାଳାପ କରୁଥିବାର ଦେଖିବାକୁ ମିଳିଛି । ନିର୍ବାଚନ ପୂର୍ବରୁ ପ୍ରଚାର ମୈଦାନରେ ପରସ୍ପରର ପ୍ରବଳ ପ୍ରତିଦ୍ୱନ୍ଦ୍ୱୀ ସାଜିଥିବା ଏବଂ ଆରୋପ ପ୍ରତ୍ୟାରୋପ କରୁଥିବା ବେଳେ ଆଜି ନୂଆ ସରକାରଙ୍କ ଶପଥ ଉତ୍ସବରେ କିନ୍ତୁ ବନ୍ଧୁତ୍ୱ ଭାବ ଦେଖାଇଥିଲେ ଏହି ନେତାମାନେ । ନବୀନ ସରକାରଙ୍କୁ ଶାଣିତ ଆକ୍ରମଣ କରି ନିର୍ବାଚନ ଲଢିଥିବା ବିଜେପିର ଛାମୁଆ ନେତାମାନେ ବି ପ୍ରତିପକ୍ଷ ଦଳ ବିଜେଡିର ମୁଖିଆ ନବୀନଙ୍କୁ ମଞ୍ଚ ଉପରେ ସମ୍ମାନ ଦେଖାଇବାରେ ସାମାନ୍ୟ ଉଣା କରିନଥିଲେ ।

ବିଦାୟୀ ମୁଖ୍ୟମନ୍ତ୍ରୀ ହେଲେ ମଧ୍ୟ ରାଜ୍ୟକୁ ଦୀର୍ଘ ୨୪ ବର୍ଷ କାଳ ଶାସନ କରିଥିବା ନବୀନ ପଟ୍ଟନାୟକଙ୍କର ଖ୍ୟାତି ଜାତୀୟ ସ୍ତରରେ ମଧ୍ୟ ରହିଛି । ଦଳ ମତ ନିର୍ବିଶେଷରେ ନବୀନଙ୍କୁ ଜଣେ ଷ୍ଟେଟ୍ସମ୍ୟାନ୍ ଭାବେ ସମସ୍ତେ ଜାଣନ୍ତି ଆଉ ସମ୍ମାନ ମଧ୍ୟ କରନ୍ତି । ତେଣୁ ରାଜ୍ୟରେ ନୂଆ କରି ସରକାର ଗଢୁଥିବା ବିଜେପିର ନେତାମାନେ ଆଜି ଶପଥ ସମାରୋହରେୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନୟକଙ୍କୁ ନିମନ୍ତ୍ରଣ କରିବା ଏବଂ ମଞ୍ଚ ଉପରେ ତାଙ୍କୁ ଯଥୋଚିତ ସମ୍ମାନ ଜଣାଇବା ଏକ ସୁସ୍ଥ ଗଣତନ୍ତ୍ରର ପ୍ରତୀକ ଓ ପରମ୍ପରା ବୋଲି କୁହାଯାଉଛି ।

Get real time updates directly on you device, subscribe now.