ଚଣ୍ଡିଗଡ ୧୮ ।୦୫: ପଞ୍ଜାବରେ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସରେ ଦଳୀୟ କନ୍ଦଳ ଆରମ୍ଭ ହୋଇ ଯାଇଛି । ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ଓ ନବଜୋତ ସିଂହ ସିଧୁଙ୍କ ମଧ୍ୟରେ ଥିବା ମତଭେଦକୁ ଦୂର କରିବା ପାଇଁ କଂଗ୍ରେସ ପ୍ରୟାସ ଜାରି ରଖିଛି । ପାର୍ଟି ଅନୁଯାୟୀ ଯଦି ଦୁଇ ବରିଷ୍ଠ ନେତାଙ୍କ ମଧ୍ୟରେ ମତାନ୍ତର ଏମିତି ଜାରି ରହେ ତେବେ ଆଗାମୀ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ଭାରି ପଡିପାରେ ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସିଧୁ ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ପଦ କିମ୍ବା ରାଜ୍ୟ କଂଗ୍ରେସ ସଭାପତି ହେବାକୁ ଚାହୁଁଛନ୍ତି । ମାତ୍ର କ୍ୟାପଟେନ ଅମରିନ୍ଦର ସିଂହ ସିଧୁଙ୍କୁ ଉପ ମୁଖ୍ୟମନ୍ତ୍ରୀ କରିବାକୁ ପ୍ରସ୍ତୁତ ନୁହନ୍ତି । ମୁଖ୍ୟମନ୍ତ୍ରୀ କୌଣସି ବି ପରିସ୍ଥିତିରେ ସିଧୁଙ୍କ ଦାବି ମାନିବାକୁ ନାରାଜ । ଅନ୍ୟପଟେ ସିଧୁ ମଧ୍ୟ ନିଜ ଜିଦରେ ଅଟଳ ରହିଛନ୍ତି । ସେପଟେ ରାଜ୍ୟରେ ବର୍ତମାନ ପରିସ୍ଥିତି ସମ୍ପର୍କରେ ଦଳର ଶୀର୍ଷ ନେତୃତ୍ୱ ଅବଗତ ଥିବା କହିଛନ୍ତି ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ସୁନିଲ ଜାଖଡ ।
କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ କହିଛନ୍ତି, ସ୍ଥିତିର ସମାଧାନ ଉପରେ ଉଦ୍ୟମ ଜାରି ରହିଛିା ଅନେକ ନେତାଙ୍କ ମତରେ ସିଧୁ ଏଥିପାଇଁ ଏହି ଆଭିମୁଖ୍ୟ ଆପଣେଇଛନ୍ତି ଯଦ୍ୱାରା ସେ ପାର୍ଟି ଉପରେ ଚାପ ପକାଇ ପାରିବେ । ପାର୍ଟିକୁ ମଧ୍ୟ ସିଧୁଙ୍କ କଥା ଉପରେ ଧ୍ୟାନ ଦେବା ଉଚିତ୍ । ପାର୍ଟି ନେତାଙ୍କ କହିବା କଥା ସିଧୁ କେବଳ ଅମୃତସର ପର୍ଯ୍ୟନ୍ତ ସୀମିତ ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ଦିବଙ୍ଗତ ବିଜେପି ନେତା ଅରୁଣ ଜେଟଲୀଙ୍କୁ ଅମୃତସରରେ ହରାଇ ସାରିଛି ।
ଦଳୀୟ ସୂତ୍ର ଅନୁଯାୟୀ, ପଞ୍ଜାବ କଂଗ୍ରେସରେ କ୍ୟାପଟେନଙ୍କ ବ୍ୟତୀତ ଅନ୍ୟ କୌଣସି ବଡ ଚେହେରା ନାହିଁ । ପାର୍ଟି ଯଦି ଅମରିନ୍ଦରଙ୍କୁ ଅଣଦେଖା କରିବ ତେବେ ଦଳର ସ୍ଥିତି ଦୁର୍ବଳ ହେବା ସହ ନିର୍ବାଚନ ଜିତିବା ମୁସ୍କିଲ ହୋଇ ପଡିବ । ତେଣୁ ପାର୍ଟି ଅମରିନ୍ଦରଙ୍କ ଉପରେ କୌଣସି ଚାପ ପକାଇବାକୁ ଚାହୁଁନି । ତେଣୁ ଆଗାମୀ ନିର୍ବାଚନରେ ମଧ୍ୟ କଂଗ୍ରେସ ଅମରିନ୍ଦରଙ୍କ ନେତୃତ୍ୱରେ ନିର୍ବାଚନ ଲଢିପାରେ ।