fbpx

କାରଗିଲ ଯୁଦ୍ଧର ୨୫ ବର୍ଷ ପରେ ନିଜ ଭୁଲ ସ୍ୱୀକାର କଲା ପାକିସ୍ତାନ, ସତ ମାନିଲେ ନୱାଜ ସରିଫ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ମଙ୍ଗଳବାର ଦିନ ସ୍ୱୀକାର କରିଛନ୍ତି ଯେ, ଇସଲାମାବାଦ ଭାରତ ସହ ୧୯୯୯ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱାରା ସ୍ୱାକ୍ଷରିତ ହୋଇଥିବା ଚୁକ୍ତିନାମାକୁ ଉଲ୍ଲଘଂନ କରିଥିଲା । ସେ ଜେନେରାଲ ପରୱେଜ ମୁଶର୍ରଫାଙ୍କ ଦ୍ୱାରା କାରଗିଲରେ କରାଯାଇଥିବା ଆକ୍ରମଣର ସ୍ପଷ୍ଟ ସନ୍ଦର୍ଭରେ ଏହା କହିଛନ୍ତି ।

ପାକିସ୍ତାନ ମୁସଲିମ ଲିଗ୍‌-ନୱାଜର ଅଧ୍ୟକ୍ଷ ଭାବରେ ନିର୍ବାଚିତ ହେବା ପରେ ନୱାଜ ସରିଫ ଦଳର ସାଧାରଣ ପରିଷଦକୁ ସମ୍ବୋଧିତ କରି କହିଛନ୍ତି ଯେ, ୨୮ ମେ ୧୯୯୮ ମସିହାରେ ପାକିସ୍ତାନ ପାଞ୍ଚଟି ପରମାଣୁ ପରୀକ୍ଷଣ କରିଥିଲା । ଏହାପରେ ବାଜପେୟୀ ସାହେବ ଏଠାକୁ ଆସିଥିଲେ ଏବଂ ଆମ ସହ ଚୁକ୍ତି କରିଥିଲେ । କିନ୍ତୁ ଆମେ ସେହି ଚୁକ୍ତିକୁ ଭଙ୍ଗ କରିଥିଲୁ, ଏହା ଆମର ଭୁଲ ଥିଲା ।

ପାକିସ୍ତାନର ପରମାଣୁ ପରୀକ୍ଷଣର ୨୬ତମ ବାର୍ଷିକୀ ପାଳନ ଅବସରରେ ନୱାଜ ସରିଫ କହିଛନ୍ତି ଯେ, ପାକିସ୍ତାନକୁ ଆଣବିକ ପରୀକ୍ଷଣରୁ ନିବୃତ୍ତ କରିବାକୁ ରାଷ୍ଟ୍ରପତି ବିଲ କ୍ଲିଣ୍ଟନ ପାଞ୍ଚ ବିଲିୟନ ଆମେରିକୀୟ ଡଲାର ପ୍ରସ୍ତାବ ଦେଇଥିଲେ । ହେଲେ ମୁଁ ମନା କରିଥିଲି । ଯଦି ଇମରାନ ଖାନଙ୍କ ଭଳି ବ୍ୟକ୍ତି ମୋ ସିଟରେ ଥାଆନ୍ତେ ତେବେ ସେ କ୍ଲିଣ୍ଟନଙ୍କ ପ୍ରସ୍ତାବକୁ ସ୍ୱୀକାର କରିଥାଆନ୍ତେ ।

Get real time updates directly on you device, subscribe now.