ବିଜାପୁର: ସବୁ ସୀମା ଟପିଲା ମାଓବାଦୀଙ୍କ ନୃଶଂସତା । ସ୍ୱାମୀ ସାମ୍ନାରେ ସ୍ତ୍ରୀକୁ ନିର୍ମମ ଭାବେ କଲେ ହତ୍ୟା । ଛତିଶଗଡ଼ ବିଜାପୁର ଜିଲାରେ ଘଟିଯାଇଛି ଏକ ବର୍ବର କାଣ୍ଡ । ଜଣେ ଅଙ୍ଗନବାଡ଼ି ସହାୟିକାଙ୍କୁ ନୃଶଂସତାର ସହ ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି । ମହିଳାଙ୍କୁ ପୋଲିସ ଇନଫର୍ମର ସନ୍ଦେହ କରି ମାଓବାଦୀମାନେ ହତ୍ୟା କରିଥିବା ଜଣାପଡ଼ିଛି । ବିସାଗୁଡ଼ା ପୋଲିସଷ୍ଟେଶନ୍ ଅଧିନରେ ଥିବା ଟିମାପୁର ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଯାଇଛି ଏହି ଘଟଣା ।
ଅଙ୍ଗନବାଡି ସହାୟିକା ଲକ୍ଷ୍ମଣ ବଦମ (୪୫) ଓ ତାଙ୍କ ସ୍ୱାମୀଙ୍କୁ କେତେଜଣ ମାଓବାଦୀ ଘରୁ ଉଠେଇ ଆଣିଥିଲେ । ଏହାପର ଉଭୟଙ୍କୁ ମାର୍ଧର କରିଥିଲେ ମାଓବାଦୀ । ସ୍ୱାମୀଙ୍କ ଆଗରେ ଲକ୍ଷ୍ମଣଙ୍କ ତଣ୍ଟିଚିପି ହତ୍ୟାକ କରିଥିଲେ ମାଓବାଦୀ । ଲକ୍ଷ୍ମଣଙ୍କ ସ୍ୱାମୀଙ୍କୁ ମାଡ଼ ମାରି ମାଓବାଦୀ ଛାଡ଼ିଦେଇଥିବା ପୋଲିସ କହିଛି । ପୋଲିସ ସୂଚନା ଅନୁସାରେ ଲକ୍ଷ୍ମଣଙ୍କ ମୃତଦେହକୁ ମାଓବାଦୀମାନେ ତାଙ୍କ ଘର ଅଗଣାରେ ପୋତିଥିଲେ । ଘଟଣାର ସୂଚନା ପାଇ ପୋଲିସ ସେଠାରେ ପହଞ୍ଚି ଲକ୍ଷ୍ମଣଙ୍କ ମୃତଦେହ ଜବତ କରି ପୋଷ୍ଟମର୍ଟମ୍ ପାଇଁ ପଠାଇଥିଲା । ଗୋଟିଏ ବର୍ଷରେ ଜିଲାରେ ୬୦ରୁ ଅଧିକ ନୀରିହ ଲୋକଙ୍କୁ ମାଓବାଦୀ ହତ୍ୟା କରିଥିବା ପୋଲିସ କହିଛି ।