fbpx

ପୁଅର ଗୁଳି ମାଡ଼ରେ ମା’ ଗୁରୁତର, ନୟାଗଡ଼ରୁ ଆସିଲା ଏଭଳି ଅଭାବନୀୟ ଘଟଣା

ଓଡ଼ିଶା ଭାସ୍କର: ପୁଣି ସମ୍ପର୍କର ଡୋରୀରେ ଲାଗିଲା ରକ୍ତର ଛିଟା । ପୁଅର ଗୁଳି ମାଡ଼ରେ ମା’ ହେଲା ଗୁରୁତର। ନୟାଗଡ଼ ଜିଲ୍ଲା ବାଣୀଗୋଛା ଥାନା କଳସା ଖମଣ ଗାଁ’ରୁ ଆସିଛି ଏଭଳି ଏକ ଅଭାବନୀୟ ଘଟଣା। ତେବେ ପୁଅର ଗୁଳି ମାଡ଼ରେ ମା ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ଖବର ପାଇ ବାଣୀଗୋଛା ଥାନା ପୋଲିସ ଘଟଣାର ତଦନ୍ତ କରୁଛି। ପୋଲିସର ଏକ ଟିମ୍ ଉକ୍ତ ଗାଁରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି। ସେପଟେ ଅଭିଯୁକ୍ତ ପୁଅ ଫେରାର ଥିବା କୁହାଯାଉଛି।

ସୂଚନା ଅନୁଯାୟୀ, ଆହତ ହୋଇଥିବା ମହିଳାଙ୍କ ନାଁ ହେଉଛି ଦୁହିତା ପ୍ରଧାନ। ଆଜି ଦୁହିତାଙ୍କ ବଡ଼ ପୁଅ ସୁଶାନ୍ତ ପ୍ରଧାନ ଓ ସାନ ପୁଅ ସାଗର ପ୍ରଧାନଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା। ସେହି ସମୟରେ ସୁଶାନ୍ତ ଏକ ଦେଶୀ ବନ୍ଧୁକ ଆଣି ସାଗରଙ୍କ ଉପରକୁ ଗୁଳି କରିବାକୁ ଉଦ୍ୟମ କରିଥିଲେ। ଦୁହିତା ବଡ଼ ପୁଅ ସୁଶାନ୍ତଙ୍କୁ ବାଧା ଦେଇଥିଲେ। ଏହି ସମୟରେ ସୁଶାନ୍ତଙ୍କ ଟ୍ରିଗର ଚିପି ଦେବାରୁ ଗୁଳି ଦୁହିତାଙ୍କ ଶରୀରରେ ପଶି ଯାଇଥିଲା। ତେବେ ଗୁରୁତର ଦୁହିତାଙ୍କୁ ତୁରନ୍ତ ଗ୍ରାମବାସୀ ଉଦ୍ଧାର କରି ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏବଂ ପରେ ସେଠାରୁ ତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

 

Get real time updates directly on you device, subscribe now.