ଭୁବନେଶ୍ୱର: ଆଜିକାଲି ଅଧିକାଂଶ ମହିଳା ସ୍ତନ କର୍କଟ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏହାର ଚିକିତ୍ସା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ନିମ୍ବପତ୍ରରେ ଏହା ଭଲ ହେବ ବୋଲି ଦାବି କରାଯାଇଛି । କ୍ୟାନସର ଷ୍ଟେମସେଲକୁ ସମୂଳେ ନାଶ କରିବା ପାଇଁ ବ୍ୟବହାର ହେବ ନିମ୍ବପତ୍ର ଔଷଧ । ନିମ୍ବପତ୍ରରେ ଥିବା ନିମ୍ବୋଲାଇଡରରେ ଏଭଳି ଅମୋଘ ଅସ୍ତ୍ର ଅଛି ।
ନିମ୍ବପତ୍ରରେ ସ୍ତନ କର୍କଟ ଭଲ ହେବା ନେଇ ଏକ ଗବେଷଣାରୁ ସ୍ପଷ୍ଟ ହୋଇଛି ବୋଲି ଆଇଏଲଏସ ଭୁବନେଶ୍ୱର ଦାବି କରିଛି । ଆଇଏଲଏସ ଭୁବନେଶ୍ୱରର ବରିଷ୍ଠ ବୈଜ୍ଞାନିକ ଡଃ ସଞ୍ଜୀବ ସାହୁଙ୍କ ନେତୃତ୍ୱରେ ଟିମ୍ ନିମ୍ବପତ୍ରରେ ଥିବା ଫାଇଟୋକେମିକାଲ ନିମ୍ବୋଲାଇଡ ଉପରେ ଗବେଷଣା କରିଥିଲେ । ଏହି ଗବେଷଣାରେ ମିଳିଥିବା ତଥ୍ୟକୁ ଆନ୍ତର୍ଜାତିକ ଗବେଷଣା ପତ୍ରିକା ମଲିକୁଲାର ଥେରାପି ନ୍ୟୁକ୍ଲିକ ଏସିଡରେ ପ୍ରକାଶ କରାଯାଇଛି । ଏହି ପତ୍ରିକାରେ ପ୍ରକାଶ ପାଇଥିବା ତଥ୍ୟ ଅନୁଯାୟୀ, ବିପଦପୂର୍ଣ୍ଣ ଟ୍ରିପଲ ନେଗେଟିଭ ବ୍ରେଷ୍ଟ କ୍ୟାନସରକୁ ନିମ୍ବୋଲାଇଡରେ ମୂଳପୋଛ କରିବାର କ୍ଷମତା ରହିଛି । ମୂଷା ଏବଂ ଜେବ୍ରା ଫିସ୍ ଉପରେ ହୋଇଥିବା ପ୍ରି-କ୍ଲିନିକାଲ ଟେଷ୍ଟରୁ ଏହା ପ୍ରମାଣିତ ହୋଇଥିବାରୁ ସ୍ତନ କର୍କଟରେ ପୀଡ଼ିତାମାନଙ୍କୁ ଚିକିତ୍ସିତ କରାଯିବାର ଆଶା ରହିଛି ।
ସାଧାରଣତଃ କେମୋଥେରାପି କ୍ୟାନସର ସେଲ ସହ ଶରୀରର ସାଧାରଣ ସେଲକୁ ମଧ୍ୟ ନଷ୍ଟ କରିଥାଏ । କିନ୍ତୁ ଆଇଏଲଏସ ଭୁବନେଶ୍ୱର ବୈଜ୍ଞାନିକମାନେ ଗବେଷଣାରୁ ଜାଣିବାକୁ ପାଇଛନ୍ତି ଯେ, ନିମ୍ବପତ୍ରରେ ଥିବା ନିମ୍ବୋଲାଇଡ୍ କେବଳ କ୍ୟାନସର ସେଲସକୁ ହିଁ ନଷ୍ଟ କରୁଛି । ତେଣୁ ଏବେ ଆଇଏଲଏସ ଭୁବନେଶ୍ୱର ସ୍ତନ କର୍କଟ ଚିକିତ୍ସା ପାଇଁ କେମୋଥେରାପି ସହ ନିମ୍ବୋଲାଇଡ ବ୍ୟବହାର ଉପରେ କାମ କରୁଛି । ଏହା ସଫଳ ହେଲେ ଆଗାମୀ ଦିନରେ ନିମ୍ଭ ପତ୍ରରୁ ସ୍ତନ କର୍କଟର ନୂଆ ଅସ୍ତ୍ର ତିଆରି ହେବ ବୋଲି ଆଶା ରହିଛି ।