‘ଆମକୁ ହଷ୍ଟେଲ ଫେରିବାକୁ ଡ଼ର ଲାଗୁଛି’, କିଟ୍ ମାମଲାରେ ନେପାଳି ଛାତ୍ରଛାତ୍ରୀଙ୍କ ପ୍ରତିକ୍ରିୟା

କିଟ୍ ଛାତ୍ରୀଙ୍କ ମୃତ୍ୟୁ ପରବର୍ତ୍ତୀ ଘଟଣା ନେଇ ସାମ୍ନାକୁ ଆସିଲା ନେପାଳି ଛାତ୍ରଛାତ୍ରୀଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର: ରବିବାର ସଂଧ୍ୟାରେ କିଟ୍‌ରେ ଜଣେ ନେପାଳି ଛାତ୍ରୀ ଜୀବନ ହାରିଥିଲେ। ଏ ନେଇ ସବୁ ମହଲରେ ହଇଚଇ ଦେଖିବାକୁ ମିଳିଛି। ରାଜନୀତି ଜୋର ଧରିବା ସହ ଚାରିଆଡେ ବିରୋଧର ସ୍ୱର ଦେଖିବାକୁ ମିଳୁଛି।

ଏହି ମୃତ୍ୟୁକୁ ନେଇ କ୍ୟାମ୍ପସରେ ବ୍ୟାପକ ଉତ୍ତେଜନା ଦେଖିବାକୁ ମିଳିଥିଲା। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନେପାଳୀ ଛାତ୍ରଛାତ୍ରୀଙ୍କ ପାଇଁ କଲେଜ ସାଇନ-ଏ-ଡାଏ ଘୋଷଣା କରାଯାଇଛି।

ତେବେ ଏହାରି ମଧ୍ୟରେ ଛାତ୍ରୀଙ୍କ ମୃତ୍ୟୁ ପରର ଘଟଣାକୁ ନେଇ ନେପାଳି ଛାତ୍ରଛାତ୍ରୀଙ୍କର ବର୍ତ୍ତମାନ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେମାନେ କହିଛନ୍ତି ଯେ, ସେଦିନ ଯାହା ଘଟିଛି, ତାହା ଭୁଲି ହେଉନି, ଭୟ ଲାଗୁଛି। ଆମେ ଏଯାବତ କେହି ହଷ୍ଟେଲକୁ ଫେରି ନାହୁଁ।

ସେମାନେ ଆହୁରି କହିଛନ୍ତି ଯେ, ନିଜକୁ ସୁରକ୍ଷିତ ମଣୁ ନାହୁଁ, କାରଣ ଆମକୁ ମାଡ଼ ମରାଯାଇଛି। ବାଉଁସର, କିଟ୍ ଗାର୍ଡ, ଅଧ୍ୟାପକ ସମସ୍ତେ ପିଟି ବିଦା କରିଦେଲେ। ବସ୍‌ରେ ପୂରାଇ ଜବରଦସ୍ତ ବସ୍ ଷ୍ଟାଣ୍ଡ, ଷ୍ଟେସନ ପଠାଇଦେଲେ। ୯୦ ପ୍ରତିଶତ ନେପାଳି ପିଲା ଘରକୁ ପଳାଇ ଯାଇଛନ୍ତି। ଏବେ ଫେରିବା ପାଇଁ ମୋବାଇଲ ଯୋଗେ ଅଣ୍ଡରଟେକିଂ ମାଗୁଛନ୍ତି। ଯେଉଁ ପର୍ଯ୍ୟନ୍ତ ସୁରକ୍ଷିତ ଅନୁଭବ କରିନୁ, ହଷ୍ଟେଲ ଫେରିବୁ ନାହିଁ।