ପୁଣି ବିବାଦରେ ଛନ୍ଦି ହେଲା ନେସଲେ, କମ୍ପାନିର ୭୦% ଖାଦ୍ୟ ଅସ୍ୱାସ୍ଥ୍ୟକର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣିଥରେ ବିବାଦ ଘେରରେ ନେସଲେ କମ୍ପାନି । ଫାଇନାନ୍ସିଆଲ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ କମ୍ପାନି ଏହାର ୭୦ ପ୍ରତିଶତ ଖାଦ୍ୟ ଓ ପାନୀୟ ସାମଗ୍ରୀ ସ୍ୱାସ୍ଥ୍ୟ ପାଇଁ ହାନିକାରକ ବୋଲି ସ୍ୱୀକାର କରିଛି । କମ୍ପାନିର ଏକ ଅନ୍ତରୀଣ ଅଡିଟ ରିପୋର୍ଟରେ ଏହାର ୭୦ ପ୍ରତିଶତ ସାମଗ୍ରୀ ସ୍ୱାସ୍ଥ୍ୟ ପାଇଁ ହାନିକାରକ ବୋଲି କହିଛି । କମ୍ପାନି ନିଜର ଭାବମୂର୍ତ୍ତିକୁ ସଜାଡ଼ିବାକୁ ଚେଷ୍ଟା କରିଛି । ପୂର୍ବରୁ ମ୍ୟାଗିରେ ସୀସାର ପରିମାଣ ଅଧିକ ରହିଥିବା ନେଇ ବିବାଦ ଘେରକୁ ଆସିଥିଲା ।

ନେସଲେ କମ୍ପାନି ହେଉଛି ବିଶ୍ୱର ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରୁଥିବା ଏକ ବଡ଼ କମ୍ପାନି । କମ୍ପାନି କିଟକାଟ ଚକୋଲେଟ, ଆଇସକ୍ରିମ, ଦୁଗ୍ଧ ଜାତୀୟ ସାମଗ୍ରୀ, କଫି, ମ୍ୟାଗି ନୁଡଲ୍ସ ଇତ୍ୟାଦି ସାମଗ୍ରୀ ତିଆରି କରିଥାଏ ଏହି କମ୍ପାନି । ଏହି ନୂଆ ବିବାଦ ଦେଖାଦେବା ପରେ କମ୍ପାନି କେତେ ପୁଷ୍ଟିକର ସାମଗ୍ରୀ ରହିଛି ତା’ର ପରୀକ୍ଷା କରୁଛି । ସମଗ୍ର ରଣନୀତି ବଦଳାଇବା ସହ ଲୋକଙ୍କ ମଧ୍ୟରେ ପୁଣି ଆଦୃତ ହେବାକୁ ପ୍ରସ୍ତୁତି ଚାଲିଛି । ରିପୋର୍ଟରେ କୁହାଯାଇଛି ଅଷ୍ଟ୍ରେଲିଆର ହେଲ୍ଥ ଷ୍ଟାର ରେଟିଂ ସିଷ୍ଟମରେ ନେସଲେର ୩୭ ପ୍ରତିଶତ ଖାଦ୍ୟ ଏବଂ ପାନୀୟ ଜଳର ରେଟିଂ ୩.୫ ରହିଛି । ଏହି ସିଷ୍ଟମ ଅଧୀନରେ ଉତ୍ପାଦର ମଲ୍ୟାୟନ ମୋଟ ୫ ଷ୍ଟାର ଦିଆଯାଏ । ଏହି ରେଟିଂକୁ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ମାନ୍ୟତା ଦିଆଯାଏ ।

କମ୍ପାନି କହିଛି ଯେ ଏମିତି କିଛି ଉତ୍ପାଦକୁ ଯେତେ ଚେଷ୍ଟାକଲେ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ସଂପୂର୍ଣ୍ଣ ଅନୁକୂଳ କରିହେବ ନାହିଁ । ତେବେ ଲୋକମାନେ କିଭଳି ସୁରକ୍ଷିତ ଓ ସନ୍ତୁଳିତ ଖାଦ୍ୟ ପାଇବେ ତାହାଉପରେ ଗୁରୁତ୍ୱ ଦିଆଯାଉଛି ବୋଲି କମ୍ପାନିର ମୁଖପାତ୍ର କହିଛନ୍ତି । କମ୍ପାନି କହିଛି ପୂର୍ବରୁ କୌଣସି ଉତ୍ପାଦ ଉପରେ ଅଭିଯୋଗ ଆସିଲେ ପୋର୍ଟଫୋଲିଓ ବଦଳାଇବାକୁ ପଡିଥାଏ ।

ସୂଚନାଯୋଗ୍ୟ ଯେ କମ୍ପାନି ଗତ ୭ ବର୍ଷ ମଧ୍ୟରେ ଚିନି ଏବଂ ସୋଡିୟମର ବ୍ୟବହାରର ପରିମାଣ ୧୪-୧୫ ପ୍ରତିଶତ କମ କରିଛି । କମ୍ପାନି କହିଛି ଏହାର ୭୦ ପ୍ରତିଶତ ଖାଦ୍ୟ ପଦାର୍ଥ, ୯୬% ପାନୀୟ, ୯୯ ପ୍ରତିଶତ ଚିନି ଓ ବେକେରୀ ପ୍ରଡକ୍ଟ ଏବଂ ଆଇସ୍କ୍ରିମ୍ ସ୍ୱାସ୍ଥ୍ୟର ମାନଦଣ୍ଡକୁ ପୂରଣ କରୁନାହିଁ। କିନ୍ତୁ କଫି ସ୍ୱାସ୍ଥ୍ୟର ମାନଦଣ୍ଡ ପୂରଣ କରୁଛି ବୋଲି କହିଛି। ସେହିପରି ୬୦ ପ୍ରତିଶତ ଦୁଗ୍ଧଜାତ ଦ୍ରବ୍ୟ ଏବଂ ୮୨% ଜଳ ଉତ୍ପାଦ ସ୍ୱାସ୍ଥ୍ୟ ପାଇଁ ୩.୫ର ଗୁଣାତ୍ମକ ପୂରଣ କରୁଛି।