ସୁଶାସନ ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର, ଗରିବ କଲ୍ୟାଣ ଉଦ୍ଦେଶ୍ୟରେ ହେବ ବ୍ଲକ ବିଭାଜନ
ବ୍ଲକ ସଂଖ୍ୟା ବଢ଼ିଲେ ରାଜ୍ୟରେ ସୁଶାସନ ହେବ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଏ ସମ୍ପର୍କରେ ପଞ୍ଚାୟତରାଜ ବିଭାଗ ଏବଂ ସଚିବଙ୍କ ସହ ବୈଠକ ସରିଛି । କମିଶନ ଗଠନ ପରେ ବ୍ଲକ ବିଭାଜନ କାର୍ଯ୍ୟ ଆଗକୁ ବଢ଼ିବ ।
ଭୁବନେଶ୍ୱର: ରାଜ୍ୟରେ ଖୁବଶୀଘ୍ର ଆରମ୍ଭ ହେବ ବ୍ଲକ ବିଭାଜନ କାର୍ଯ୍ୟ । ଏ ନେଇ ସୂଚନାଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ରାଜ୍ୟରେ ବ୍ଲକ ବଢ଼ିବାର ଆବଶ୍ୟକତା ରହିଛି । ଏ ସମ୍ପର୍କରେ ପଞ୍ଚାୟତରାଜ ବିଭାଗ ସହିତ ଆଲୋଚନା ହୋଇଥିବାବେଳେ ୨ଟି ରାଉଣ୍ଡରେ ସଚିବଙ୍କ ସହିତ ମଧ୍ୟ ପର୍ଯ୍ୟାଲୋଚନା ହୋଇସାରିଥିବା କହିଛନ୍ତି ମନ୍ତ୍ରୀ ।
ସୁଶାସନ ଏବଂ ଗରିବ କଲ୍ୟାଣ ପାଇଁ ବ୍ଲକ ବିଭାଜନର ଆବଶ୍ୟକତା ରହିଛି । ନୂଆ ବ୍ଲକ ଗଠନ ପାଇଁ କମିଶନ ମଧ୍ୟ ଗଠନ କରାଯିବ, ଯାହା ନୂଆ ବ୍ଲକର ମାନଦଣ୍ଡ ତିଆରି କରିବେ । ଏହାଦ୍ୱାରା ସୁରୁଖୁରୁରେ ବ୍ଲକଗୁଡ଼ିକର ବିଭାଜନ ହୋଇପାରିବ ।
ଯାଜପୁର ବଡ଼ଚଣାରେ ସର୍ବାଧିକ ୪୩ଟି ପଞ୍ଚାୟତ ଅଛି । ଭୋଗରାଇ, ବୋରିଗୁମ୍ମା, ଦଶମନ୍ତପୁର ଏବଂ ମୋହନାରେ ୩୯ଟି ପଞ୍ଚାୟତ ରହିଛି । ଝାରସୁଗୁଡ଼ା ଲଖନପୁରରେ ଅଛି ୩୩ଟି ପଞ୍ଚାୟତ ।
୨୦୧୭ ବିଜେଡି ସରକାରବେଳେ ୫୦୦ ନୂଆ ପଞ୍ଚାୟତ ଗଠନ ହୋଇଥିଲା । ବିରୋଧୀ ଦଳର ୨୪ ବର୍ଷର ଶାସନକାଳରେ ନୂଆ ବ୍ଲକ ଗଠନ ନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ । ୧୯୫୮ ମସିହାରେ ରାଜ୍ୟରେ ୧୨୪ଟି ବ୍ଲକ ରହିଥିଲା । ୧୯୬୧ରେ ଏହା ବଢ଼ି ୨୧୪ରେ ପହଞ୍ଚିଥିଲା । ୧୯୮୪ରେ ରାଜ୍ୟର ବ୍ଲକ ସଂଖ୍ୟା ୩୧୪ ହୋଇଥିଲା ।