ଲୁଟ୍ ପାଇଁ ନୂଆ ତରିକା, କ୍ୟାମେରା ମ୍ୟାନ ହୋଇ ଆସିଲେ ବାଇକ ନେଇ ଚାଲିଗଲେ

କେତେବେଳେ ଅତିଥି ତ ଆଉ କେତେବେଳେ କ୍ୟାମେରା ମ୍ୟାନ। ଲୁଟ୍ ପାଇଁ ଲୁଟେରାଙ୍କ ନୂଆ ଷ୍ଟାଇଲ୍। ବାହାଘର ଉପରେ ଫୋକସ୍।

ମୟୁରଭଞ୍ଜ: ଏବେ ଚାଲିଛି ବାହାଘର ସିଜିନ୍। ଆଉ ଏହି ବାହାଘରରେ କାହାକୁ ଫାଇଦା ହେଉ କି ନ ହେଉ ଲୁଟେରା ମାନଙ୍କୁ ବେଶ ଫାଇଦା ହେଉଛି। କାରଣ ଏବେ ଲୁଟର ମାଧ୍ୟମ ସାଜିଛି ବାହାଘର। ତେଣୁ ବିଭିନ୍ନ ବେଶରେ ବାହାଘର ମଣ୍ଡପକୁ ଆସୁଛନ୍ତି ଆଉ କାଇଦା କୌଶଳ ଦେଖି ଲୁଟ୍ କରି ଛୁ ମାରୁଛନ୍ତି।

ପୂର୍ବରୁ ଭୁବନେଶ୍ୱରରେ ଏକ ଡାକ୍ତର ଦମ୍ପତ୍ତିଙ୍କ ବାହାଘରରେ ଅତିଥୀ ହୋଇ ଆସି ଲୁଟି ନେଇଥିଲେ ଲକ୍ଷାଧିକ ଟଙ୍କା ସହ ସୁନା ଗହଣା। ଆଉ ଏବେ ଠିକ୍ ସେହିପରି ଉଦଳାରେ ବର ତରଫରୁ କ୍ୟାମେରା ମ୍ୟାନ ହୋଇ ଆସି ଲୁଟି ନେଇଛନ୍ତି ବାଇକ୍।

ଲୁଟର ନୂଆ ଫଣ୍ଡା: ବାହାଘର ଉପରେ ଲୁଟେରାଙ୍କ ଆଖି। ଭିଡ଼ର ସୁଯୋଗ ନେଇ ବୁଲାଇ ଦେଉଛନ୍ତି କଳା କନା। ଅତିଥି ବେଶରେ ହେଉ କିମ୍ୱା କ୍ୟାମେରା ମ୍ୟାନ ହୋଇ ଆସୁଛନ୍ତି। ଆଉ ସୁଯୋଗ ଦେଖି ଲୁଟ୍ କରି ଛୁ ମାରୁଛନ୍ତି।

ପୂର୍ବରୁ ସିନା ରାତି ଅଧରେ କାହା ଘରେ ପଶି କିମ୍ୱା ଚୋରଙ୍କ ଭଳି ଆସି ଲୁଟ୍ କରୁଥିଲେ। ଯଦ୍ୱାରା ଧରା ପଡିଯିବାର ଅନେକ ଆଶଙ୍କା ରହୁଥିଲା। ହେଲେ ଏବେ ଏମିତି ଚତୁରତାର ସହ ଚୋରି କରୁଛନ୍ତି। ନା କାହାର ସନ୍ଦେହ ହେବ ନା କେହି ଜାଣି ପାରିବେ। ସୁରୁଖୁରୁରେ ନିଜ କାମ ସାରି ଚାଲିଯିବେ।

ଲୁଟିନେଲେ ବାଇକ୍: ତେବେ ନିକଟରେ ଏହିପରି ଏକ ବାହାଘର ଯାହାକି ସ୍ମାର୍ଟସିଟିରେ ହେଉଥିଲା। ଆଉ ଏହି ବାହାଘର ଡାକ୍ତର ଦମ୍ପତ୍ତିଙ୍କର ହେଉଥିଲା। ଯେଉଁଠାକୁ ଅତିଥି ବେଶରେ ଆସି ବାହାଘରରେ ଉପହାରରେ ପାଇଥିବା ଲକ୍ଷାଧିକ ଟଙ୍କା ଆଉ ସୁନା ଗହଣା ଚୋରି କରିନେଇଥିଲେ ଦୁଇ ଲୁଟେରା।

ଠିକ୍ ସେହିପରି ମୁୟରଭଞ୍ଜର ଉଦଳାରେ ଗତକାଲି ରାତିରେ ଏକ ବାହାଘର ହେଉଥିଲା। ଯେଉଁଥିରେ ବର ପକ୍ଷରୁ ଆସିଥିଲେ କ୍ୟାମେରା ମ୍ୟାନ। ହେଲେ କେହି ଜାଣି ନଥିଲେ କି ଏହି କ୍ୟାମେରା ମ୍ୟାନ ହିଁ ଚୋର ବୋଲି।

ବରଯାତ୍ରୀ କନ୍ୟାଘରେ ପହଞ୍ଚିବା ପରେ ଭିଡ଼ର ସୁଯୋଗ ନେଇ କାରସାଦି ଆରମ୍ଭ କରିଥିଲା ଲୁଟେରା। ସୁବିଧା ସୁଯୋଗ ଦେଖି କନିଆର ଦାଦାଙ୍କ ବାଇକ୍ ଲୁଟିନେଲା। ଯାହାର ଲାଇଭ୍ ଭିଡିଓ ସିସିଟିଭିରେ କଏଦ ହୋଇଛି।

ସିସିଟିଭି ଫୁଟେଜ: ଏହି ଘଟଣା ଘଟିଛି ଉଦଳା ଥାନା ବୈରାଟପୁର ଗାଁରେ । ଗାଁର ସୁଶିଲ ମିଶ୍ରଙ୍କ ଝିଅ ବାହାଘର ହେଉଥିଲା। ଗତକାଲି ରାତିରେ ରେମୁଣା ଅଞ୍ଚଳରୁ ବରପକ୍ଷ ଆସିବା ସହିତ ତାଙ୍କ କ୍ୟାମେରା ମ୍ୟାନ ମଧ୍ୟ ଆସିଥିଲେ।

ସିସିଟିଭି ଆଧାରରେ  ବାହାଘର ସରିବା ପରେ କ୍ୟାମେରାମ୍ୟାନ ଭାବେ ଆସିଥିବା ଅନ୍ୟ ଯୁବକଙ୍କୁ ଅଟକ ରଖିବା ସହିତ ଏନେଇ ଉଦଳା ପୋଲିସକୁ ଖବର ଦେଇଥିଲେ ପରିବାର।  ପୋଲିସ ଏବେ ୪ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।