ଘୋଷଣାରେ ଅଟକିଥିଲା ବିଜେଡ଼ି, ମୋହର ମାରିବେ ମୋହନ ସରକାର; ଗଠନ ହେବ ନୂଆ NAC

ରଜରେ ଘୋଷଣା ହୋଇପାରେ ନୂଆ ଏନଏସି । 12ରୁ ଅଧିକ ନୂଆ ଏନଏସି ଘୋଷଣା କରି ପାରନ୍ତି ମୁଖ୍ୟମନ୍ତ୍ରୀ । ଏନେଇ ସୂଚନା ଦେଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।

ଭୁବନେଶ୍ବର: ରଜରେ ଘୋଷଣା ହୋଇପାରେ ନୂଆ ଏନଏସି । 12ରୁ ଅଧିକ ନୂଆ ଏନଏସି ଘୋଷଣା କରି ପାରନ୍ତି ମୁଖ୍ୟମନ୍ତ୍ରୀ । ଏନେଇ ସୂଚନା ଦେଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ତେବେ ଦିନେ ଦୁଇ ଦିନ ଭିତରେ ଏନେଇ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ ।

ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟବାସୀଙ୍କ ପାଇଁ ଯୋଜନା ପେଡି ନେଇ ଆସୁଛନ୍ତି ସରକାର । ଏହା ଭିତରେ ବହୁ ପ୍ରତିକ୍ଷିତ ଏନଏସସି ଘୋଷଣା କରିବାକୁ ଯୋଜନା ହୋଇଛି । ରଜ ଅବସରରେ ରାଜ୍ୟର ସହରାଞ୍ଚଳ ବୃଦ୍ଧିର ନିଅଁ ପଡିବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟରେ 12ରୁ ଅଧିକ ଏନଏସସି ଘୋଷଣା ହେବ । ଆସନ୍ତୁ ନଜର ପକାଇବା, ତାଲିକାରେ ଥିବା କିଛି ଏନଏସସି ଉପରେ ।

ପାଲଲହଡ଼ା, ଧୁଷୁରୀ, ତିହିଡ଼ି, ସାଲେପୁର, ଚିତ୍ରଡ଼ା, ବେତନଟୀ ସହ ଆଉ ଦାବି ହେଉଥିବା କିଛି ଅଞ୍ଚଳ ଏହି ତାଲିକାରେ ସାମିଲ ହେବ । ସ୍ଥାନୀୟ ଦାବୀ ଅଞ୍ଚଳ ଦାବୀ ପରେ ନଗର ଉନ୍ନୟନ ବିଭାଗ ଏ ତାଲିକାକୁ ପଞ୍ଚାୟତିରାଜ ବିଭାଗର ଆବଶ୍ୟକୀୟ ମଞ୍ଜୁରୀ ପାଇଁ ପଠାଇଥିଲେ । ଏବେ ମଞ୍ଜୁରୀ ପରେ ଦିନେ କିମ୍ବା ଦୁଇ ଦିନ ଭିତରେ ମୁଖ୍ୟମନ୍ତ୍ରୀ ଘୋଷଣା ଏନଏସି ଗୁଡିକର ନାଁ ଘୋଷଣା କରିବେ ବୋଲି ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ।

କେବଳ ଏତିକି ନୁହେଁ ତାଲିକାଭୁକ୍ତ ହୋଇଥିବା ଏନଏସି ଗୁଡିକୁ ମୁନସିପାଲିଟୀ କରିବା ପାଇଁ ମଧ୍ୟ ପକ୍ରିୟା ଆରମ୍ଭ ହୋଇଛି । ଭଞ୍ଜନଗର ଓ ପୋଲସରା ଏନଏସିକୁ ମୁନସିପାଲିଟୀ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଥିବା ଜଣାପଡିଛି । ତେବେ ନୂଆ ସରକାର ଜାଣିଶୁଣି ପୁରୁଣା ସରକାର ଘୋଷଣା କରିଥିବା ତାଲିକାକୁ ବନ୍ଦ ରଖିଥିବା ଅଭିଯୋଗ ଆଣିଛି ବିଜେଡି ।

ନିର୍ବାଚନ ପୂର୍ବରୁ ତତ୍କାଳୀନ ବିଜେଡି ସରକାର 23 ଜିଲ୍ଳାର 57ଟି ନୂଆ ଏନଏସି ପାଇଁ ଘୋଷଣା କରିଥିଲେ । 6ଟି ଏନଏସିକୁ ମ୍ୟୁନିସିପାଲିଟି କରିବାକୁ ଘୋଷଣା ହୋଇଥିଲା । କିନ୍ତୁ ଏଥିପାଇଁ ସରକାରୀ ସ୍ତରରେ ବିଧିବିଦ୍ଧ ଭାବେ କୌଣସି ପ୍ରକ୍ରିୟା ଆରମ୍ଭ ହୋଇନଥିଲା । ଏବେ 12 ଏନଏସି ଘୋଷଣା ପରେ ଅନ୍ୟ ଏନଏସି ଘୋଷଣା ପାଇଁ ବାଟ ଫିଟିବ ବୋଲି ଆଶା କରାଯାଉଛି ।

ବର୍ତ୍ତମାନ 17 ପ୍ରତିଶତ ସହରାଞ୍ଚଳ ରହିଛି । ଏହାକୁ 30 ପ୍ରତିଶତ ବୃଦ୍ଧି ପାଇଁ ଯୋଜନା ରଖିଛନ୍ତି ମୋହନ ସରକାର । ସେହି ଅନୁସାରେ ନୂଆ ଏନଏସି, ମୁନସିପାଲଟି ଗଠନ ପାଇଁ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି ।