fbpx

ଜାନୁଆରୀ ୧ରୁ ଲାଗୁ ହେବ କ୍ରେଡିଟ୍-ଡେବିଟ୍ କାର୍ଡର ନୂଆ ନିୟମ, ଜାଣନ୍ତୁ କଣ ରହିଛି

ନୂଆଦିଲ୍ଲୀ: ଆପଣ ଯଦି କ୍ରେଡିଟ୍ କିମ୍ବା ଡେବିଟ୍ କାର୍ଡ ବ୍ୟବହାର କରୁଛନ୍ତି, ତାହେଲେ ଜାଣି ରଖନ୍ତୁ ଯେ, ନୂଆ ବର୍ଷରୁ ଅନଲାଇନ୍ କାର୍ଡ ପେମେଣ୍ଟ୍ ନିୟମ ବଦଳିଯିବ । ଡେବିଟ୍ ଓ କ୍ରେଡିଟ୍ କାର୍ଡର ସୁରକ୍ଷାକୁ ଦେଖି ନୁତନ ନିୟମ ଅଣାଯାଉଛି । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି ।

ଅନଲାଇନ୍ ପେମେଣ୍ଟକୁ ଅଧିକ ନିରାପଦ କରିବା ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ସମସ୍ତ ୱେବସାଇଟ୍ ଏବଂ ପେମେଣ୍ଟ ଗେଟୱେ ଦ୍ୱାରା ଗଚ୍ଛିତ ଗ୍ରାହକଙ୍କ ତଥ୍ୟକୁ ହଟାଇ ସେହି ସ୍ଥାନରେ ନେଣଦେଣ କରିବା ପାଇଁ ଏନକ୍ରିପ୍ଟ ଟୋକେନ୍ ର ବ୍ୟବହାର କରିବାକୁ କୁହାଯାଇଛି ।

ନୂତନ ନିୟମ ଅନୁଯାୟୀ, ଅନଲାଇନ୍ ସପିଂ ଏବଂ ଡିଜିଟାଲ୍ ପେମେଣ୍ଟ ସମୟରେ ବ୍ୟବସାୟିକ ୱେବସାଇଟ୍ କିମ୍ବା ଆପ୍ ଆପଣଙ୍କ କାର୍ଡର ବିବରଣୀ ସଂରକ୍ଷଣ କରି ପାରିବେ ନାହିଁ । ଏଥିସହିତ ଯେଉଁ ମର୍ଚେଣ୍ଟ ୱେବସାଇଟ୍ କିମ୍ବା ଆପରେ ଆପଣଙ୍କର କାର୍ଡର ସବିଶେଷ ତଥ୍ୟ ଗଚ୍ଛିତ ରହିଛି, ସେସବୁ ଡିଲିଟ୍ ହୋଇଯିବ । ନୂତନ ବର୍ଷରୁ, ଯଦି ଆପଣ ଆପଣଙ୍କର ଡେବିଟ୍-କ୍ରେଡିଟ୍ କାର୍ଡ ସହିତ ଅନଲାଇନ୍ ସପିଂ କରନ୍ତି କିମ୍ବା କୌଣସି ପେମେଣ୍ଟ ଆପ୍ ରେ ଡିଜିଟାଲ୍ ପେମେଣ୍ଟ ପାଇଁ କାର୍ଡ ବ୍ୟବହାର କରନ୍ତି, ତେବେ କାର୍ଡର ବିବରଣୀ ଗଚ୍ଛିତ ରହିବ ନାହିଁ ।

ଜାନୁଆରୀ ୧, ୨୦୨୨ ରୁ ଅନଲାଇନ୍ ପେମେଣ୍ଟ୍ କରିବା ସମୟରେ ଆପଣଙ୍କୁ ୧୬ ଡିଜିଟ୍ ଯୁକ୍ତ ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ ନମ୍ବର ସମେତ କାର୍ଡର ଅନ୍ୟାନ୍ୟ ତଥ୍ୟ ଦେବାକୁ ହେବ ନଚେତ୍ ଆପଣଙ୍କୁ ଟୋକେନାଇଜେସନ୍ ର ବିକଳ୍ପ ବାଛିବାକୁ ପଡ଼ିବ । ମାର୍ଚ୍ଚ ୨୦୨୦ ରେ ଆରବିଆଇ ନିର୍ଦ୍ଦେଶାବଳୀ ଜାରି କରି ଦର୍ଶାଯାଇଛି ଯେ ଡାଟା ସୁରକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ବ୍ୟବସାୟୀଙ୍କୁ ସେମାନଙ୍କ ୱେବସାଇଟରେ କାର୍ଡ ସୂଚନା ସଂରକ୍ଷଣ କରିବାକୁ ଦିଆଯିବ ନାହିଁ। ସେପ୍ଟେମ୍ବର ୨୦୨୧ ରେ ଆରବିଆଇ ଏହି ପ୍ରସଙ୍ଗରେ ନୂତନ ନିର୍ଦ୍ଦେଶନାମା ଜାରି କରି କମ୍ପାନୀଗୁଡିକୁ ବର୍ଷ ଶେଷ ସୁଦ୍ଧା ନିୟମ ମାନିବାକୁ ଏବଂ ସେମାନଙ୍କୁ ଟୋକେନାଇଜେସନ୍ ବିକଳ୍ପ ଦେବାକୁ କହିଥିଲା।

Get real time updates directly on you device, subscribe now.