fbpx

ସିମ୍ କାର୍ଡ ବିକ୍ରି ପାଇଁ କେନ୍ଦ୍ର ଦୂର ସଞ୍ଚାର ବିଭାଗ ଜାରି କଲା ନୂଆ ନିୟମ: ଅକ୍ଟୋବର ୧ରୁ ଲାଗୁହେବ କଟକଣା

ନୂଆଦିଲ୍ଲୀ: ସିମ୍ କାର୍ଡ ବିକ୍ରି ପାଇଁ କେନ୍ଦ୍ର ଦୂର ସଞ୍ଚାର ବିଭାଗ ପକ୍ଷରୁ ନୂଆ ନିୟମ ଜାରି କରାଯାଇଛି । ଟେଲିକମ ଠକେଇ, ଫୋନ କଲ ଓ ମେସେଜ ଫ୍ରଡ ମାମଲା ସାମ୍ନାକୁ ଆସିବା ପରେ ଏହି ନିୟମ ଲାଗୁ କରାଯାଇଛି । ଜଣେ ବ୍ୟକ୍ତିଙ୍କ ପରିଚୟ ପତ୍ର ବ୍ୟବହାର କରାଯାଇ ହଜାର ହଜାର ସଂଖ୍ୟାରେ ସିମ୍ କାର୍ଡ ଜାରି କରାଯାଇଥିବା ପ୍ରମାଣ ମିଳିଛି ।

ଏହି ଠକାମି ବୃଦ୍ଧି ପାଉଥିବାରୁ କେନ୍ଦ୍ର ସରକାର ଏନେଇ ପଦକ୍ଷେପ ଗ୍ରହଣ କରିଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ୬୬ ହଜାର ଫ୍ରଡ ହ୍ୱାଟସଆପ୍ ଆକାଉଣ୍ଟକୁ ବ୍ଲକ କରାଯିବା ସହ ୬୭ ହଜାର ସିମ୍ କାର୍ଡ ଡିଲରଙ୍କୁ କଳାତାଲିକାଭୁକ୍ତ କରାଯାଇଛି । ଏଥିସହ ୫୨ ଲକ୍ଷ ଫୋନ ସଂଯୋଗକୁ ନିଷ୍କ୍ରିୟ କରାଯାଇଛି ଓ ଠକମାନଙ୍କ ବିରୋଧରେ ୩୦୦ ଏଫଆଇଆର ପଞ୍ଜିକୃତ କରାଯିବା ସହ ଠକମାନେ ବ୍ୟବହାର କରୁଥିବା ପାଖାପାଖି ୮ ଲକ୍ଷ ବ୍ୟାଙ୍କ ୱାଲେଟ ଆକାଉଣ୍ଟକୁ ସିଜ୍ କରିଦିଆଇଛି । କେନ୍ଦ୍ର ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏନେଇ ସୂଚନା ଦେଇଛନ୍ତି ।

ବେଆଇନ ଭାବେ ବିକ୍ରି ହେଉଥିବା ସିମ୍ କାର୍ଡକୁ ଚେକ୍ କରିବା ଏହି ନିୟମର ଲକ୍ଷ୍ୟ ରହିଛି । ଅକ୍ଟୋବର ମାସ ପହିଲାରୁ ଏହି ନୂଆ ନିୟମ କାର୍ଯ୍ୟକାରୀ ହେବ । ତେଣୁ ସେପ୍ଟେମ୍ବର ୩୦ ତାରିଖ ପୂର୍ବରୁ ଟେଲିକମ୍ ଅପରେଟରମାନେ ସମସ୍ତ ‘ପଏଣ୍ଟ ଅଫ୍ ସେଲ (ପୋସ)ରେ ପଞ୍ଜିକରଣ କରିବାକୁ ବିଭାଗ ପକ୍ଷରୁ ଜାରି ମାର୍ଗଦର୍ଶିକାରେ କୁହାଯାଇଛି । ଟେଲିକମ୍ ଅପରେଟରଙ୍କ ନିକଟରେ ପଞ୍ଜୀକୃତ ହୋଇନଥିବା ଡିଲରମାନେ ସିମ୍ କାର୍ଡ ବିକ୍ରି କଲେ ୧୦ ଲକ୍ଷ ଟଙ୍କାର ଜରିମାନା ଲାଗୁହେବ ବୋଲି ବିଭାଗ ପକ୍ଷରୁ ଘୋଷଣା କରାଯାଇଛି ।

Get real time updates directly on you device, subscribe now.