fbpx

ସତର୍କ କଲେ ବୈଜ୍ଞାନିକ: ଓଡ଼ିଶାରୁ ଚିହ୍ନଟ ହେଲା କରୋନାର ଏକ ନୂଆ ସବ୍ ଲିନିଏଜ୍

ନୂଆଦିଲ୍ଲୀ: ସାରା ଦେଶରେ ଏବେ କରୋନା ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । ବିଶେଷ କରି ଦିଲ୍ଲୀ ଓ ମହରାଷ୍ଟ୍ରରେ ଦୈନିକ ମୃତ୍ୟୁ ଉପରେ ରୋକ ଲାଗି ପାରୁନି । ତେବେ ଓଡ଼ିଶାରେ ଏବେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ଏନେଇ ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟ ଅନୁଷ୍ଠାନକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି ଲେଖାଯାଇ ମାସ୍କ ବାଧ୍ୟତାମୂଳକ କରିବାକୁ କୁହାଯାଇଛି । ଚିକିତ୍ସାଳୟମାନଙ୍କରେ ଡ୍ୟୁଟି କରୁଥିବା କର୍ମଚାରୀଙ୍କ ପାଇଁ ତୁଣ୍ଡି ବାଧ୍ୟତାମୂଳକ ବୋଲି କୁହାଯାଇଛି ।

ତେବେ ଏହା ମଧ୍ୟରେ ଓଡ଼ିଶାରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଓଡ଼ିଶାରୁ କରୋନାର ନୂଆ ସବ୍ ଲିନିଏଜ୍ ଚିହ୍ନଟ ହୋଇଛି । ଦେଶରେ ଏବେ ଓମିକ୍ରନର ସବ-ଭାରିଆଣ୍ଟ ଏକ୍ସବିବି.୧.୧୬ ଫଳରେ ସଂକ୍ରମଣ ବ୍ୟାପୁଛି । ଏହା ମଧ୍ୟରେ ଏହି ସବ-ଭାରିଆଣ୍ଟର ଆଉ ଏକ ସବ୍ ଲିନିଏଜ୍ ଏକ୍ସବିବି.୨.୩ ଚିହ୍ନଟ ହେବା ଏବେ ଚିନ୍ତାର ବିଷୟ ପାଲଟିଛି । ତେବେ ଏହି ନୂଆ ସବ୍ ଲିନିଏଜରେ ଅତିରିକ୍ତ ମ୍ୟୁଟେସନ ହୋଇଥିବା ଜଣାପଡ଼ିଛି । ତେବେ ଏହି ସବ-ଭାରିଆଣ୍ଟ ଏକ୍ସବିବି.୨.୩କୁ ନେଇ ବୈଜ୍ଞାନିକମନେ ସତର୍କ କରାଇଛନ୍ତି ।

ତେବେ ଜିନୋମ ସିକ୍ୱେନ୍ସିରେ ଗୋଟିଏ ଏକ୍ସବିବି.୨.୩ ଓ ୨ଟି ଏକ୍ସବିବି.୨.୩.୨କୁ ଠାବ କରାଯାଇଥିବା ସାର୍ସ-କୋଭ-୨ ଜେନୋମକ୍ସି କନସୋର୍ଟିୟମ ସୂତ୍ରରୁ ଜଣାପଡ଼ିଛି । ଚଳିତ ମାସରେ ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଆଇଏଲଏସ) ଓ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର (ଆରଏମଆରସି) ପକ୍ଷରୁ ୭୭ଟି ନମୂନାର ଜିନୋମ ସିକ୍ୱେନ୍ସିଂ କରାଯାଇଥିଲା । ତେବେ ସେଥିରୁ ୩୪ଟି ନମୂନାରୁ ଏକ୍ସବିବି.୧.୧୬ ଚିହ୍ନଟ ହୋଇଥିଲା ଓ ୮ଟିରେ ଏକ୍ସବିବି.୧.୧୬.୧ ଚିହ୍ନଟ ହୋଇଥିଲା ।

ଗତ ଜାନୁଆରୀରେ ଏକ୍ସବିବି.୧.୬ ସବ-ଭାରିଆଣ୍ଟକୁ ଚିହ୍ନଟ କରାଯାଇଥିବା ବେଳେ ମାର୍ଚ୍ଚ-ଏପ୍ରିଲରେ ରାଜ୍ୟରେ ସଂକ୍ରମଣ ବଢ଼ିବାରେ ଳାଗିଛି । ଏହି ସବ-ଭାରିଆଣ୍ଟ ଲୋକଙ୍କୁ ଅଧିକ ଗୁରୁତର କରାଉଥିବା ବେଳେ ଜଟିଳ ରୋଗ ଥିବା ଲୋକମାନେ ଏଥିରେ ବେଶି ସଂକ୍ରମିତ ହେଉଥିବା ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ କହିଛନ୍ତି ।

Get real time updates directly on you device, subscribe now.