fbpx

OCS Update: ଓଡ଼ିଆ କିମ୍ବା ଇଂରାଜୀ ଭାଷାକୁ ବିକଳ୍ପ ଭାବେ ଚୟନ କରିପାରିବେ ପ୍ରାର୍ଥୀ, ୨୦୨୨-୨୩ ପରୀକ୍ଷା ପାଇଁ ହେବ ଲାଗୁ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପ୍ରଶାସନିକ ସେବା (ଓଏସିଏସ) ଆଶାୟୀଙ୍କ ପାଇଁ ଏକ ବଡ଼ ଖୁସି ଖବର । ଓସିଏସ୍ ୨୦୨୨-୨୩ ପରୀକ୍ଷା ପାଇଁ ଅନଲାଇନରେ ଆବେଦନ କରିଥିବା ପ୍ରାର୍ଥୀମାନେ ଇଂରାଜୀ କିମ୍ବା ଓଡ଼ିଆ ଭାଷାକୁ ବିକଳ୍ପ ଭାବେ ଚୟନ କରିପାରିବେ । ମାତ୍ର ଆବେଦନ ପତ୍ରରେ ଓଡ଼ିଆ କିମ୍ବା ଇଂରାଜୀକୁ ବିକଳ୍ପ ଭାବେ ଥରେ ଉଲ୍ଲେଖ କରିସାରିବା ପରେ ପରବର୍ତ୍ତୀ ସମୟରେ ଏହାକୁ ଆଉ ପରିବର୍ତ୍ତନ କରିହେବ ନାହିଁ । ଏ ବାବଦରେ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି ।

ଓପିଏସସି ପକ୍ଷରୁ ଜାରି ଏହି ବିଜ୍ଞପ୍ତି ପରେ ଏବେ ଓସିଏସ ଆଶାୟୀଙ୍କ ଦ୍ୱନ୍ଦ୍ୱ ହଟିଯାଇଛି । ଏଣିକି ପ୍ରାର୍ଥୀମାନେ ଓସିଏସ ୨୦୨୨-୨୩ ପରୀକ୍ଷାରେ ପ୍ରିଲିମିନାରୀ, ମୁଖ୍ୟ ଲିଖିତ ପରୀକ୍ଷା ଓ ସାକ୍ଷାତକାର ପାଇଁ ଇଂରାଜୀ କିମ୍ବା ଓଡ଼ିଆ ଭାଷାକୁ ବିକଳ୍ପ ଭାବେ ଚୟନ କରିପାରିବେ । ଏହି ନିୟମ ପ୍ରବନ୍ଧ ଲେଖିବା ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ । ମାତ୍ର ଭାଷା ବିଷୟରେ ଏହି ବିକଳ୍ପ ରହିବ ନାହିଁ ବୋଲି କୁହାଯାଇଛି । ନିକଟରେ ପ୍ରକାଶ ପାଇଥିବା ଓସିଏସ ବିଜ୍ଞପ୍ତିକୁ ନେଇ ବହୁ ଆଶାୟୀ ହତାଶ ହୋଇଥିଲେ । ଏହାପରେ ଛାତ୍ରଛାତ୍ରୀମାନେ ଆପତ୍ତି ଉଠାଇଥିଲେ । ଏବେ ସମସ୍ତ ଆଶାୟୀଙ୍କୁ ରାଜ୍ୟ ସରକାର ଆଶ୍ୱସ୍ତିକର ଖବର ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଓଡ଼ିଆ ଭାଷାରେ ଓସିଏସ୍ ପରୀକ୍ଷା ହେବା ନେଇ ଗତ ଅକ୍ଟୋବର ୨୩ ତାରିଖରେ ଓପିଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଭାଷାଭିତ୍ତିକ ପରୀକ୍ଷା ବ୍ୟତୀତ ଅନ୍ୟ ବିଷୟର ପରୀକ୍ଷା ଓଡ଼ିଆ ଓ ଇଂରାଜୀରେ କରାଯିବ ବୋଲି କୁହାଯାଇଥିଲା । ଗତ ୨୦୧୭ରେ ଇଂରାଜୀ ପ୍ରଶ୍ନପତ୍ର ଓଡ଼ିଆରେ ଲେଖିବାକୁ ଅନୁମତି ଦିଆଯାଇଥିଲା । ମାତ୍ର ସଚେତନତା ଅଭାବରୁ ପ୍ରାର୍ଥୀମାନେ ଏନେଇ ଅବଗତ ହୋଇ ପାରିନଥିଲେ । ତେଣୁ ପରେ ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।

Get real time updates directly on you device, subscribe now.