ନୂଆଦିଲ୍ଲୀ: କରୋନା ମହାମାରୀର ଦ୍ୱିତୀୟ ଲହର ମଧ୍ୟରେ ମହାରାଷ୍ଟ୍ର ଏବଂ ଗୁଜରାଟ ଭଳି ରାଜ୍ୟମାନଙ୍କରେ ବ୍ଲାକ ଫଙ୍ଗସ୍ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏଭଳି ସମୟରେ ହ୍ୱାଇଟ ଫଙ୍ଗସ ଭଳି ରୋଗ ମଧ୍ୟ ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ ବିହାର ପାଟଣାରେ ୪ ହ୍ୱାଇଟ ଫଙ୍ଗସ କେସ ସାମ୍ନାକୁ ଆସିଛି ।
ବିଶେଷଜ୍ଞଙ୍କ କହିବାନୁସାରେ ହ୍ୱାଇଟ ଫଙ୍ଗସ୍ ବ୍ଲାକ ଫଙ୍ଗସଠାରୁ ଅଧିକ ମାରାତ୍ମକ । କୁହାଯାଉଛି ହ୍ୱାଇଟ ଫଙ୍ଗସରେ ମଧ୍ୟ କରୋନା ଭଳି ଫୁସଫୁସକୁ ପ୍ରଭାବିତ କରିଥାଏ । ଏହା ପେଟ, କିଡନୀ, ବ୍ରେନ, ଚର୍ମ, ମୁହଁ ଏବଂ ଶରୀର ବିଭିନ୍ନ ଅଙ୍ଗକୁ ମଧ୍ୟ ଏହା ସଂକ୍ରମିତ କରିପାରେ ।
ପାଟଣାରେ ଏପର୍ଯ୍ୟନ୍ତ ଚାରିଟି ହ୍ୱାଇଟ ଫଙ୍ଗସ ମାମଲା ସାମ୍ନାକୁ ଆସିଛି । ପିଏମସିଏଚର ମାଇକ୍ରୋବାୟୋଲୋଜି ଡିପାର୍ଟମେଣ୍ଟର ମୁଖ୍ୟ ଡ.ଏସଏନ ସିଂହ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଚାରିଜଣ ରୋଗୀଙ୍କୁ କରୋନାର ଲକ୍ଷଣ ଦେଖାଯାଇଥିଲା ମାତ୍ର ସେମାନଙ୍କୁ କରୋନା ହୋଇନଥିଲ , ସେମାନଙ୍କର ସମସ୍ତ ଟେଷ୍ଟ ନେଗେଟିଭ ରହିଥିଲା । ତେବେ ପରେ ଟେଷ୍ଟ କରିବା ପରେ ଜଣାପଡିଥିଲା ସେମାନେ ହ୍ୱାଇଟ ଫଙ୍ଗସରେ ଆକ୍ରାନ୍ତ । ସେମାନଙ୍କୁ ଆଣ୍ଟି ଫଙ୍ଗଲ୍ ଔଷଧ ଦିଆଯାଇଥିଲା ଏବଂ ସେମାନେ ଠିକ ହୋଇଯାଇଥିଲେ । ତେବେ ଡାକ୍ତରଙ୍କ କହିବା ଅନୁସାରେ ହ୍ୱାଇଟ ଫଙ୍ଗସ ଦ୍ୱାରା ମଧ୍ୟ ଫୁସଫୁସ ସଂକ୍ରମିତ ହୋଇଥାଏ । ଏଚଆରସିଟି କରିବା ପରେ କରୋନା ଭଳି ସଂକ୍ରମଣ ଦେଖାଯାଇଥାଏ ।
ଡାକ୍ତରଙ୍କ କହିବା ଅନୁସାରେ ଯଦି ଏଚଆରସିଟି ରେ କରୋନା ଲକ୍ଷଣ ଦେଖାଯାଏ ତେବେ ହ୍ୱାଇଟ ଫଙ୍ଗସର ଯାଞ୍ଚ କରିବା ପାଇଁ ମ୍ୟୁକସ କଲଚର ଯାଞ୍ଚ କରିବା ଜରୁରୀ ଅଟେ । ସେ କହିଛନ୍ତି ରୋଗ ପ୍ରତିରୋଧକ ଶକ୍ତି କମ ହେଲେ ହ୍ୱାଇଟ ଫଙ୍ଗସ ହୋଇଥାଏ । ଯେଉଁମାନେ ଡାଇବେଟିସ କିମ୍ବା ଯେଉଁମାନେ ଲମ୍ବା ସମୟ ଧରି ଷ୍ଟେରଏଡ୍ ନେଉଛନ୍ତି ସେମାନଙ୍କୁ ଏହା ଅଧିକ କ୍ଷତି ପହଞ୍ଚାଇପାରେ ।