ନବବର୍ଷ ପାଇଁ ପୁରୀରେ କଟକଣା : ୬୦ ପ୍ଲାଟୁନ୍‌ ଫୋର୍ସ ମୁତୟନ

ଭିଡ଼ ନିୟନ୍ତ୍ରଣ ପାଇଁ ସହରର ପ୍ରମୁଖ ପ୍ରବେଶପଥ ସିଲ୍‌ କରାଯାଇଛି। ଚାରିଚକିଆ, ଦୁଇଚକିଆ, ବସ୍‌, ଅଟୋ ଆଦି ଯାନବାହନ ପାଇଁ ଭିନ୍ନ ଭିନ୍ନ ବ୍ୟବସ୍ଥା କରାଯାଇଛି। ଟ୍ରାଫିକ୍‌ ପରିଚାଳନା ପାଇଁ ଜିଲ୍ଲାରେ ୯୦ ଅଧିକାରୀଙ୍କ ସହ ୬୦ ପ୍ଲାଟୁନ୍‌ ଫୋର୍ସ ମୁତୟନ ହେବେ । 

ପୁରୀ : ଇଂରାଜୀ ନବବର୍ଷରେ  ଶ୍ରୀମନ୍ଦିର ଓ ବେଳାଭୂମିକୁ ଲକ୍ଷାଧିକ ପର୍ୟ୍ୟଟକଙ୍କ ସମାଗମ ହେବ। ଭିଡ଼କୁ ଦୃଷ୍ଟିରେ ରଖି ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ୍‌ ପରିଚାଳନା ପାଇଁ ଜିଲ୍ଲାରେ ୯୦ ଅଧିକାରୀଙ୍କ ସହ ୬୦ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯିବ।  ଯାତ୍ରୀଙ୍କ ସୁରକ୍ଷିତ ରହଣି ଓ ଅନ୍ୟାନ୍ୟ ବ୍ୟବସ୍ଥା ଉପରେ ଗୁରୁତ୍ବ ଦିଆଯାଇଛି। ନୋ ପାର୍କିଂ ଅବା ଅନ୍ୟ ଭିଡ଼ ଜାଗାରେ ଅଯଥା ଭିଡ଼ ନ କରିବା ପାଇଁ ବାରଣ କରାଯାଇଛି । ଭିଡ଼ ବେଳେ ପୁଲିସକୁ ସହଯୋଗ ପାଇଁ ୧୦୦ଜଣ ଯୁବ ସ୍ବେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଛି। ଏହି ଅବସରରେ ପୁରୀ ଏସ୍‌ପି ଶ୍ରୀ ଅଗ୍ରୱାଲ୍‌ କହିଛନ୍ତି, ପୁରୀକୁ ଯେଉଁମାନେ ଆସୁଛନ୍ତି, ସେମାନେ ଆମ ଅତିଥି।

ଅଟୋ ମନା

ଭିଡ଼କୁ ନଜରରେ ରଖି ସ୍ବତନ୍ତ୍ର ରୁଟ୍‌ ଚାର୍ଟ ପ୍ରସ୍ତୁତ ହୋଇଛି। ଭିଡ଼ ନିୟନ୍ତ୍ରଣ ପାଇଁ ସହରର ପ୍ରମୁଖ ପ୍ରବେଶପଥ ସିଲ୍‌ କରାଯାଇଛି। ଚାରିଚକିଆ, ଦୁଇଚକିଆ, ବସ୍‌, ଅଟୋ ଆଦି ଯାନବାହନ ପାଇଁ ଭିନ୍ନ ଭିନ୍ନ ବ୍ୟବସ୍ଥା କରାଯାଇଛି। ଭୁବନେଶ୍ବର ପାର୍ଶ୍ବରୁ ଆସୁଥିବା ଚାରିଚକିଆ ଗାଡ଼ି ପାଇଁ ଜେଲ୍‌ ରୋଡ୍‌, ବଡ଼ଦାଣ୍ଡ ଶରଧାବାଲିଠାରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ଏମାନେ ବାଟଗାଁ, ଚାରିନଳା, ଅଠରନଳା, କୁମ୍ଭାରପଡ଼ା ଥାନା ହୋଇ ଜେଲ୍‌ ରୋଡ୍‌ରେ ପାର୍କିଂ କରିବେ ଅବା ମେଡିକାଲ୍‌ ଛକ ହୋଇ ବଡ଼ଶଙ୍ଖ ଦେଇ ଯାଇ ଶରଧାବାଲିରେ ପାର୍କିଂ କରିବେ। ବ୍ରହ୍ମଗିରି ପାର୍ଶ୍ବରୁ ଆସୁଥିବା ଚାରିଚକିଆ ଗାଡ଼ି ମଙ୍ଗଳାଘାଟ ଛକରୁ ଡାହାଣ ପାର୍ଶ୍ବକୁ କଟିବେ। ଷ୍ଟର୍ଲିଂ ଛକ ଦେଇ ବେଳାଭୂମି ରାସ୍ତାରେ ପହଞ୍ଚିବେ। ଲାଇଟ୍‌ ହାଉସ୍‌ ଛକ ନିକଟରେ ପାର୍କିଂ କରିବେ। ଫେରିବା ବେଳେ ସେହି ବାଟରେ ଫେରିବେ। କୋଣାର୍କ ପାର୍ଶ୍ବରୁ ଆସୁଥିବା ଗାଡ଼ି ବାଇଦାସନଗର, ତୋଷାଳି ସ୍ୟାଣ୍ଡ୍‌ସ ଛକ, ଗ୍ରିଡ୍‌ ଷ୍ଟେସନ୍‌, ଭୂଦାନ ଛକ ହୋଇ ତାଳବଣିଆରେ ପାର୍କିଂ କରିବେ। ଫେରିବା ବେଳେ ସେହି ବାଟ ଦେଇ ଫେରିବେ। ଦୁଇଚକିଆ ଗାଡ଼ି ଅଠରନଳା, କୁମ୍ଭାରପଡ଼ା ଥାନା, ମେଡିକାଲ୍‌ ଛକ ଦେଇ ପୁରୀ ବଡ଼ଦାଣ୍ଡସ୍ଥିତ ମ୍ୟୁନିସିପାଲିଟି ମାର୍କେଟ୍‌ କମ୍ପ୍ଲେକ୍ସଠାରେ ପାର୍କିଂ କରିବେ। ଏହି ପାର୍କିଂରେ ଜାଗା ଅଭାବ ଦେଖାଦେଲେ, ମାର୍କେଟ୍‌ ଛକରୁ ମେଡିକାଲ୍‌ ଛକ ଭିତରେ ଗାଡ଼ି ପାର୍କିଂ କରିପାରିବେ।

ତାଳବଣିଆରୁ ବଡ଼ଦାଣ୍ଡକୁ ଆସୁଥିବା ଅଟୋ ୱାଟର୍‌ ୱାର୍କସ ରୋଡ୍‌, ଓଡ଼ିଶା ବେକରୀ, ରାମମନ୍ଦିର, ଘୋଡ଼ାବଜାର, ରେଡ୍‌କ୍ରସ ରୋଡ୍‌ ହୋଇ ମେଡିକାଲ୍‌ ଛକରେ ପହଞ୍ଚି ଯାତ୍ରୀଙ୍କୁ ଛାଡ଼ି ପୁଣି ସେହି ବାଟରେ ଫେରିବେ। ତାଳବଣିଆରୁ ସମୁଦ୍ରକୂଳକୁ ଯାଉଥିବା ଅଟୋ ପେଣ୍ଠକଟା ଛକ, ସିଟି ରୋଡ୍‌, ୟୁଥ୍‌ ହଷ୍ଟେଲ୍‌, ଅର୍ବାନ ହାଟ, ଜିଲ୍ଲା ସ୍କୁଲ, ଏସ୍‌ସିଏସ୍‌ କଲେଜ ହୋଇ ଟାଉନ୍‌ ହଲ୍‌ ଛକରେ ପହଞ୍ଚି ଯାତ୍ରୀଙ୍କୁ ଓହ୍ଲାଇବା ପରେ ପୁଣି ସେଠାରୁ ସେହି ରାସ୍ତାରେ ଫେରିବେ। ଶ୍ରୀମନ୍ଦିର ଚାରିପାଖରେ ଚାରିଚକିଆ ଚଳାଚଳରେ କଟକଣା ଲଗାଯାଇଛି। ବାଲିସାହି ରୋଡ୍‌ ସୋଲାଖିଆ ବରଗଛ ଛକଠାରୁ କୌଣସି ଅଟୋ ଶ୍ରୀମନ୍ଦିର ଆଡ଼କୁ ଆସି ପାରିବନି। ସେହିପରି ବିଶ୍ବେଶ୍ବରୀ ମନ୍ଦିର, ମୋଚିସାହି ଛକ, ବୃଷଭ ଛକଠାରୁ କୌଣସି ଅଟୋ ଶ୍ରୀମନ୍ଦିର ଆଡ଼କୁ ଆସିପାରିବେନି।

ଶୁଭାରମ୍ଭ ହେଲା ‘ସରାଇ’ ଆପ୍‌

ନୂଆବର୍ଷ ପୂର୍ବରୁ ଜିଲ୍ଲା ପୁଲିସ ପକ୍ଷରୁ ହୋଟେଲରେ ରହୁଥିବା ଯାତ୍ରୀ ତଥା ପର୍ୟ୍ୟଟକଙ୍କ ବିସ୍ତୃତ ବିବରଣୀ ପ୍ରଦାନ ପାଇଁ ‘ସରାଇ’ ଆପ୍‌ର ଶୁଭାରମ୍ଭ କରାଯାଇଛି। ପୁରୀ ଏସ୍‌ପି ବିନୀତ୍‌ ଅଗ୍ରୱାଲ୍‌ ଆଜି ଏହାର ଶୁଭାରମ୍ଭ କରିଛନ୍ତି। ଏହି ଆପ୍‌ର ବିଶେଷତ୍ବ ହେଉଛି, ଯେଉଁ ଯାତ୍ରୀମାନଙ୍କର ସମସ୍ତ ବିବରଣୀ ପୁଲିସ ପାଖରେ ରହିବ।ପୂର୍ବରୁ ହୋଟେଲରେ ଯେଉଁ ଯାତ୍ରୀମାନେ ରହୁଥିଲେ, ରେଜିଷ୍ଟର ଖାତାରେ ସେମାନଙ୍କ ସଂପର୍କିତ ଉଲ୍ଲେଖ ତଥ୍ୟ ପୁଲିସ ପାଖରେ ଜମା କରୁଥିଲେ। ଏହି ବ୍ୟବସ୍ଥାରେ ଅନେକ ହୋଟେଲ ମାଲିକ ଯାତ୍ରୀଙ୍କ ତଥ୍ୟ ଉଲ୍ଲେଖ ନ କରି ହୋଟେଲରେ ସେମାନଙ୍କୁ ରଖୁଥିଲେ। ଯାହା ଆପରାଧିକ କାର୍ୟ୍ୟକୁ ପ୍ରୋତ୍ସାହନ ଦେଉଥିଲା। ଏହାକୁ ରୋକିବା ଲାଗି ସରାଇ ଆପ୍‌କୁ ବିକଶିତ କରାଯାଇଛି। ଯାହାର ତଥ୍ୟ ସିଧାସଳଖ ପୁଲିସ ପାଖରେ ପହଞ୍ଚିବ। ଯେଉଁମାନେ ଏହି ତଥ୍ୟ ଦେବେନି ସେମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯିବ। ଏହି ଆପ୍‌ ଜରିଆରେ ଦିଆଯାଉଥିବା ଯାତ୍ରୀମାନଙ୍କର ସମସ୍ତ ତଥ୍ୟ ଗୋପନୀୟ ରହିବ ବୋଲି ଏସ୍‌ପି ଶ୍ରୀ ଅଗ୍ରୱାଲ ଆଶ୍ବାସନା ଦେଇଛନ୍ତି।