fbpx

ଆହୁରି ୨ ଦିନ ପ୍ରବଳ ଜାଡରେ ଥରିବ ଓଡ଼ିଶା,୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ: ରାତି ଓ ପାହାନ୍ତିଆ ସମୟରେ ଯଥା ସମ୍ଭବ ଘରେ ରହିବାକୁ ପରାମର୍ଶ

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳ ଶୀତ ହେବ । ୩୧ ତାରିଖ ପର୍ଯ୍ୟନ୍ତ ରାତି ତାପମାତ୍ରା ସ୍ୱାଭାବିକ ଠାରୁ ୩ର ୫ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇପାରେ । ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଥିବା ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଜିଲ୍ଲାରେ ଶୀତ ଲହରୀ ଅନୁଭୂତ ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

ପାଣିପାଗ ବିଭାଗର ସୂଚନା ଅନୁସାରେ ୩୦ ତାରିଖ ସକାଳ ସାଢ଼େ ୮ଟା ଯାଏଁ ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ସମ୍ୱଲପୁର, ଦେବଗଡ଼, ଅନୁଗୋଳ, ବରଗଡ଼, ବଲାଙ୍ଗିର, ନୂଆପଡ଼ା, ସୋନପୁର, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ ଓ ନବରଙ୍ଗପୁର ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ଶୀତ ଅନୁଭୂତ ହେବ । ସେଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେହିପରି ୩୦ ତାରିଖ ସକାଳ ସାଢ଼େ ୮ଟାରୁ ୩୧ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଝାରସୁଗୁଡ଼ା, ବଲାଙ୍ଗିର, ବରଗଡ଼, ସୋନପୁର, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ଶୀତର ଲହର ଅନୁଭୂତ ହେବାର ସମ୍ଭାବନା ରହିଛି । ସେଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ପ୍ରବଳ ଶୀତକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ପାଣିପାଗ କେନ୍ଦ୍ର କହିଛି ରାତି ତଥା ପାହାନ୍ତିଆ ସମୟରେ ଯଥା ସମ୍ଭବ ଘରେ ରୁହନ୍ତୁ । ଶୀତରୁ ରକ୍ଷା ପାଇବା ପାଇଁ ଶୀତ ବସ୍ତ୍ର ସହ ଏକାଧିକ ପୋଷାକ ପିନ୍ଧନ୍ତୁ । ଗୃହ ପାଳିତ ପଶୁଙ୍କ ରହିବା ପାଇଁ ଖୋଲା ସ୍ଥାନ ପରିବର୍ତ୍ତେ ଘରେ ବ୍ୟବସ୍ଥା କରନ୍ତୁ । ରାତି ସମୟରେ ଦୁଇ ଚକିଆ କିମ୍ୱା ଅନ୍ୟ ଖୋଲା ଯାନବାହାନରେ ଯିବାଆସିବା କରନ୍ତୁ ନାହିଁ ।

ଶନିବାର ୧୦ ସହରର ରାତି ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିଲା । ଦାରିଙ୍ଗବାଡ଼ିରେ ୬.୦ ଡିଗ୍ରୀ, ଫୁଲବାଣୀରେ ୬.୦ ଡିଗ୍ରୀ, କେନ୍ଦୁଝରରେ ୮.୦ ଡିଗ୍ରୀ, ସୋନପୁରରେ ୮.୦ଡିଗ୍ରୀ, ଭବାନୀପାଟଣାରେ ୮.୦ଡିଗ୍ରୀ, ଝାରସୁଗୁଡ଼ାରେ ୮.୪ ଡିଗ୍ରୀ, କୋରାପୁଟରେ ୯.୦ ଡିଗ୍ରୀ, ନୟାଗଡ଼ରେ ୯.୦ ଡିଗ୍ରୀ, ବଲାଙ୍ଗିରରେ ୯.୦ ଡିଗ୍ରୀ ଓ ବୌଦ୍ଧରେ ୧୦.୦ ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି ।

Get real time updates directly on you device, subscribe now.