fbpx

୨ ଦିନ ଧରି ବିଭିନ୍ନ ଜିଲ୍ଳାରେ ବଜ୍ରପାତ ସହ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌) : ବେଶ୍‌ କିଛି ଦିନ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପରେ ଏବେ ରାଜ୍ୟର କେତେକ ଜିଲ୍ଲାରେ କାଳବୈଶାଖୀ ବର୍ଷା ଲାଗି ରହିଛି । ପଶ୍ଚିମାଝଡ଼ ପ୍ରଭାବରେ ଏହି ବର୍ଷା ହେଉଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ବିଭାଗ କହିଛି ଯେ, ୨ ଦିନ ଧରି ରାଜ୍ୟର ବିଭିନ୍ନ ଜିଲ୍ଲାରେ ବଜ୍ରପାତ ସହ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି ।

ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌.ଆର୍‌.ବିଶ୍ୱାସ ସୂଚନା ଦେଇଛନ୍ତି ଯେ, ଉତ୍ତର ଓଡ଼ିଶା, ଉପକୂଳ ଓ ଦକ୍ଷିଣ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୋଳ, ଦେବଗଡ଼, ଢେଙ୍କାନାଳ, କଟକ, ଯାଜପୁର, ଜଗତସିଂହପୁର ଜିଲ୍ଲାରେ ଝଡ଼ବର୍ଷାର ସମ୍ଭାବନା ରହିଛି । ସେହିପରି କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଓ କନ୍ଧମାଳେ ମଧ୍ୟ ଝଡ଼ବର୍ଷା ହୋଇପାରେ । କେତେକ ସ୍ଥାନରେ ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କି.ମି.ରହିବା ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ଆକଳନ କରିଛି । ବିଶେଷ କରି ଢେଙ୍କାନାଳ, କଟକ, ଯାଜପୁର ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସୋମବାର ବିଳମ୍ବିତ ରାତିରେ ପବନ ସହ ବର୍ଷା ହୋଇଥିବା ସୂଚନା ମିଳିଛି । ଫଳରେ ଗରମରେ ଆଉଟୁପାଉଟୁ ହେଉଥିବା ରାଜ୍ୟବାସୀଙ୍କୁ କିଛିଟା ଆଶ୍ୱସ୍ତି ମିଳିଛି ।

Get real time updates directly on you device, subscribe now.