fbpx

ବଦଳିବ ପାଗ, ପୁଣି ସକ୍ରିୟ ହେବ ଦୁର୍ବଳ ମୌସୁମୀ : ୫ରୁ ପ୍ରବଳ ବର୍ଷିବ

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌) : ସମ୍ପ୍ରତି ଶ୍ରାବଣ ମାସରେ ବର୍ଷାର ଦେଖାନାହିଁ । ପ୍ରଚଣ୍ଡ ଗରମରେ ସାରା ରାଜ୍ୟ ସିଝୁଛି । ତେବେ ଏସବୁ ଭିତରେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏକ ଆଶ୍ୱସ୍ତିକର ଖବର ଦେଇଛି । ଗୁରୁବାର ଠାରୁ ରାଜ୍ୟରେ ପାଗ ବଦଳିବା ସହ ତାତିରୁ ତ୍ରାହି ମିଳିବ । ସକ୍ରିୟ ହେବ ଦୁର୍ବଳ ମୌସୁମୀ ଟ୍ରାପ୍‌ଲାଇନ୍‌ । ଗୁରୁବାର ଠାରୁ ରାଜ୍ୟରେ ବର୍ଷା ହେବାକୁ ଥିବାବେଳେ ୫ ଓ ୬ ତାରିଖରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଦକ୍ଷିଣମୁହାଁ ମୌସୁମୀ ନିମ୍ନ ଚାପରେଖାରେ ଥିବାରୁ ୫ ତାରିଖରୁ ବର୍ଷା ପରିମାଣ ବୃଦ୍ଧି ପାଇବ । ୫ ତାରିଖରେ ୫ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାକୁ ଥିବାବେଳେ ୬ ତାରିଖରେ ୧୫ଟି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ବିଶେଷ କରି ମାଲକାନାଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି, ନୂଆପଡ଼ା, ବଲାଙ୍ଗିର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର ଓ କେନ୍ଦୁଝର ଆଦି ଜିଲ୍ଲାରେ ବିଜୁଳି ସହ ପ୍ରବଳ ବର୍ଷା ହେବ । ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

୫ ତାରିଖ ଦିନ ପ୍ରବଳ ବର୍ଷା ହେବାକୁ ଥିବାବେଳେ ମାଲକାନାଗିରି, କୋରାପୁଟ, ରାୟଗଡ଼ା, ଗଜପତି ଆଦି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ସେହିଭଳି ୬ ତାରିଖରୁ ବର୍ଷାର ପ୍ରଭାବ ବୃଦ୍ଧି ପାଇବ । ପୁରୀ, ଗଞ୍ଜାମ, ଖୋର୍ଦ୍ଧା, କନ୍ଧମାଳ ଓ କଳାହାଣ୍ଡି ଆଦି ଜିଳ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଏଥିସହ ରାଜ୍ୟର ବାକି ସ୍ଥାନରେ ମଧ୍ୟ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

ଜୁନ୍‌ ୧ରୁ ଅଗଷ୍ଟ ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସର୍ବମୋଟ୍‌ ୫୧୬.୩ ମିଲିମିଟର ବର୍ଷା ହୋଇି । ଏହି ସମୟ ଅବଧି ମଧ୍ୟରେ ସ୍ୱାଭାବିକ ଭାବେ ୫୭୨.୬ ମିଲିମିଟର ବର୍ଷା ହୋଇଥାଏ । ଅର୍ଥାତ୍‌ ୧୦ଧ ନିଅଣ୍ଟିଆ ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ବର୍ଷା ଅଭାବରୁ ଚାଷୀକୁଳ ହତାଶ ହୋଇପଡ଼ିଛନ୍ତି । ଚାଷଜମି ଶୁଖି ଫାଟିଗଲାଣି । ତଳିଗୁଡ଼ିକ ହଳଦିଆ ପଡ଼ିଲାଣି । କେତେକ ସ୍ଥାନରେ ଗଜାମରୁଡ଼ି ଆଶଙ୍କା ଦେଖାଦେଲାଣି । ତେଣୁ ବର୍ଷା ନହେଲେ ଆଗାମୀ ଦିନରେ ରାଜ୍ୟରେ ମରୁଡ଼ିର ଯଥେଷ୍ଟ ସମ୍ଭାବନା ରହିଛି ବୋଲି କୁହାଯାଇପାରେ । ତେବେ ପ୍ରବଳ ବର୍ଷା ନେଇ ସତର୍କ ରହିବା ପାଇଁ ସବୁ ଜିଲ୍ଲାପାଳଙ୍କୁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.