fbpx

କଲବଲ କରିବ ତାତି, ଆହୁରି ୫ ଦିନ ଯାଏଁ ପ୍ରଚଣ୍ଡ ଖରାରୁ ମିଳିବନି ଆଶ୍ୱସ୍ତି : ଜଳିବ ଉତ୍ତର ଓ ଆଭ୍ୟନ୍ତର ଓଡ଼ିଶା, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌ ) : ଗତ କିଛି ଦିନ ହେବ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି । ରାଜ୍ୟର ଅଧିକାଂଶ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି । ଏପରିକି କେତେକ ସହରରେ ୪୨ ଓ ୪୩ ଡିଗ୍ରୀ ଉପରେ ତାପମାତ୍ରା ରହୁଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି । ଲୋକେ ଦିନବେଳା ପଦାକୁ ବାହାରିବା ପାଇଁ ଭୟ କରୁଛନ୍ତି । ସକାଳ ୮ଟା ପରେ ତାତିର ପ୍ରବାହ ବେଶ୍‌ ଅନୁଭୂତ ହେଉଛି । ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହା ଜାରି ରହୁଛି । ତାତି ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଓ ଝାଞ୍ଜି ପବନ ଲୋକଙ୍କୁ ଅତିଷ୍ଠ କରି ପକାଉଛି । ଦିନ ୧୧ଟା ପରେ ଦୋକାନ ବଜାର ବନ୍ଦ ହେବା ସହ ରାସ୍ତାଘାଟ ଶୂନଶାନ୍‌ ହୋଇପଡ଼ୁଛି । ସତେ ଯେମିତି ଆକାଶରୁ ନିଆଁ ଝରୁଛି । ତାତିରୁ ତ୍ରାହି ନାହିଁ ।

ପାଣିପାଗ ବିଭାଗ ସୂଚନା ମୁତାବିକ, ଆସନ୍ତା ୩୦ ଯାଏଁ ତାତିରେ ରାଜ୍ୟବାସୀଙ୍କୁ କଲବଲ ହେବାକୁ ପଡ଼ିବ । ତତଲା କଢ଼େଇରେ ସିଝିବ ଉତ୍ତର, ପଶ୍ଚିମ ଓ ଆଭ୍ୟନ୍ତର ଓଡ଼ିଶା । ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ଏବେ ୫ ଦିନ ପାଇଁ ପାଗରେ କୌଣସି ପରିବର୍ତ୍ତନ ହେବାର ସୂଚନା ନାହିଁ । ଫଳରେ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।ସେଗୁଡ଼ିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ଅନୁଗୋଳ, ଦେଓଗଡ଼, ବଲାଙ୍ଗିର, ବରଗଡ଼ ଓ କେନ୍ଦୁଝର ।

ଏସବୁ ଭିତରେ ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ତୃତୀୟ ଥର ପାଇଁ ୪୦ ଡିଗ୍ରୀ ଉପରେ ରହିଛି। ଏହି ସହରର ତାପମାତ୍ରା ୪୦.୩ ଡିଗ୍ରୀ ଥିବା ସୂଚନା ମିଳିଛି । ବୁଧବାର ଦିନ ତମାମ ରାଜଧାନୀରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଲାଗିରହିଥିଲା । ଫଳରେ ଜନଜୀବନ ଅତିଷ୍ଠ ହୋଇପଡ଼ିଥିଲା । ବୁଧବାର ସୋନପୁର ୪୪.୫ ଡିଗ୍ରୀ ସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭାବେ ବିବେଚିତ ହୋଇଛି । ୨୩ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ୧୧ ସହରରେ ୪୩ ଡିଗ୍ରୀ ଉପରେ ଥିବାର ସୂଚନା ମିଳିଛି । ଅନୁଗୋଳରେ ୪୪.୧ ଡିଗ୍ରୀ, ଝାରସୁଗୁଡ଼ା ଓ ବଲାଙ୍ଗୀରରେ ୪୪, ସମ୍ବଲପୁରରେ ୪୩.୮, ବୌଦ୍ଧ ଓ ସୁନ୍ଦରଗଡ଼ରେ ୪୩.୫, ଝାରସୁଗୁଡ଼ାରେ ୪୩.୬, ହୀରାକୁଦରେ ୪୨.୬, କେନ୍ଦୁଝରରେ ୪୦.୪ ଡିଗ୍ରୀ ସେଲସିୟସ ଥିବା ରେକର୍ଡ କରାଯାଇଛି । ସେହିଭଳି ବାରିଦାରେ ୪୨.୬, ବରଗଡ଼ରେ ୪୩.୪, ଦେବଗଡ଼ରେ ୪୩, ଭବାନୀପାଟଣାରେ ୪୩ ଓ ଭୁବନେଶ୍ୱରରେ ୪୦.୩ ଡିଗ୍ରୀ ସେଲସିୟସ ରହିଥିବା ରେକର୍ଡ କରାଯାଇଛି ।

Get real time updates directly on you device, subscribe now.