ନୂଆଦିଲ୍ଲୀ: ଦୂରସଞ୍ଚାର ମନ୍ତ୍ରାଳୟ ଦ୍ୱାରା ପରିଚାଳିତ ହେଉଥିବା ୫ଜି ପରୀକ୍ଷଣ ଯୋଜନା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଡିସେମ୍ବର ୩୧ ତାରିଖ ସୁଦ୍ଧା ଏହି ପରୀକ୍ଷଣ ଶେଷ ହେବ ବୋଲି ଆଶା କରାଯାଉଛି । ଏୟାରଟେଲ, ଜିଓ ଏବଂ ଭୋଡାଫୋନ୍ ଆଇଡିଆ ସମେତ ଟେଲିକମ୍ ଅପରେଟରମାନେ ଗୁରୁଗ୍ରାମ, ବେଙ୍ଗାଲୁରୁ, କୋଲକାତା, ମୁମ୍ବାଇ, ଚଣ୍ଡୀଗଡ଼, ଦିଲ୍ଲୀ, ଜାମନଗର, ଅହମ୍ମଦାବାଦ, ଚେନ୍ନାଇ, ହାଇଦ୍ରାବାଦ, ଲକ୍ଷ୍ନୌ , ପୁଣେ ଏବଂ ଗାନ୍ଧିନଗରରେ ୫ଜି ଟ୍ରାଏଲ୍ ସାଇଟ୍ ବା ୫ଜି ପରୀକ୍ଷଣ ସ୍ଥଳ ସ୍ଥାପନ କରିଛନ୍ତି । ଅର୍ଥାତ ଏହି ୧୩ଟି ସହରରେ ପ୍ରଥମେ ୫ଜି ସେବା ଆରମ୍ଭ ହେବ ।
୨୦୨୧ ର ସଫଳତା ବିଷୟରେ ସୂଚନା ପ୍ରଦାନ କରି ଦୂରସଞ୍ଚାର ମନ୍ତ୍ରାଳୟ କହିଛି ଯେ ଟେଲିକମ୍ କ୍ଷେତ୍ରରେ ଭାରତ ନେଟରୁ ଆରମ୍ଭ କରି ମାଓବାଦୀ ପ୍ରଭାବିତ ଅଞ୍ଚଳରେ ଅଧିକ ସଂଖ୍ୟକ ମୋବାଇଲ୍ ଟାୱାର ସ୍ଥାପନ କରାଯାଇଛି । ସେହିପରି ଟେଲିକମ୍ କ୍ଷେତ୍ରରେ ୨୦୧୪ ରୁ ୨୦୨୧ ମଧ୍ୟରେ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ବିନିଯୋଗ ପ୍ରାୟ ୧୫୦ ପ୍ରତିଶତ ବୃଦ୍ଧି ପାଇ ୧,୫୫,୩୫୩ କୋଟିରେ ପହଞ୍ଚିଛି, ଯାହା ୨୦୦୨ ରୁ ୨୦୧୪ ମଧ୍ୟରେ ୬୨,୩୮୬ କୋଟି ଥିଲା ।