fbpx

ଓଡିଶାରେ ଅସମ୍ଭାଳ କରୋନା, ଲାଗିପାରେ ନାଇଟ୍ କର୍ଫ୍ୟୁ !

ଭୁବନେଶ୍ୱର,୨୦ ।୩(ଓଡିଶା ଭାସ୍କର) :ଅନେକ ଦିନର ବ୍ୟବଧାନ ପରେ ରାଜ୍ୟରେ ପୁଣି କରୋନା ସକ୍ରିୟ ହୋବାରେ ଲାଗିଛି । ଗତ ୨ ଦିନ ହେବ ରାଜ୍ୟରେ ଶହେ ଟପୁଛି କରୋନା ସଂକ୍ରମଣ ସଂଖ୍ୟା । ବଢ଼ୁଥିବା ମାମଲାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ କଟକଣାକୁ କଡାକଡି କରାଯାଇଛି ।

ଅନ୍ୟ ରାଜ୍ୟରେ କରୋନା ମୁକାବିଲା ପାଇଁ ଲକ-ଡାଉନ୍ ଓ ନାଇଟ କର୍ଫ୍ୟୁ ଜାରି ହୋଇଥିବା ଦେଖିବାକୁ ମିଳୁଛି । ଯଦି ଆଗକୁ ଓଡିଶାରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ନରୁହେ, ତେବେ ପରିସ୍ଥିତି ଦେଖି ପଦକ୍ଷେପ ନିଆଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଥିଲେ । ଲକ ଡାଉନ ଓ ନାଇଟ କର୍ଫ୍ୟୁ ଭଳି କଟକଣାରୁ ବଞ୍ଚିବା ପାଇଁ କୋଭିଡ ନିୟମ ପାଳନ କରିବାକୁ ରାଜ୍ୟ ସରକାର ପରାମର୍ଶ ଦେଉଛନ୍ତି ।

ଅନ୍ୟପଟେ ସରକାରୀ ଅଫିସରେ କୋଭିଡ୍ ନିୟମ କଡ଼ାକଡ଼ି ପାଳନ ପାଇଁ ଶୁକ୍ରବାର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଚିଠି ଲେଖିଥିଲା । ଏଥିସହ ସାର୍ବଜନୀନ ଭାବେ ହୋଲି ଓ ଦୋଳ ଉତ୍ସବ ପାଳନ ପାଇଁ ଏସଆରସି ରୋକ୍ ଲଗାଇଛନ୍ତି ।

ତେବେ ବଢ଼ୁଥିବା ସଂକ୍ରମଣ ମାମଲାକୁ ଦେଖି ରାଜ୍ୟ ସରକାର ପୁଣି ରାତ୍ରୀକାଳୀନ କର୍ଫ୍ୟୁ ଲଗାଇବାକୁ ବିଚାର କରୁଛନ୍ତି । ରାତ୍ରୀକାଳୀନ କର୍ଫ୍ୟୁ ସହ ବିଭିନ୍ନ ସଭା ସମିତି ଓ କାର୍ଯ୍ୟକ୍ରମ ପାଇଁ ୫୦୦ ଲୋକ ସାମିଲ୍ ଅନୁମତିକୁ କମାଇ ୨୦୦ କରିବାକୁ ସରକାର ବିଚାର କରୁଥିବା ସୂଚନା ମିଳିଛି । ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବା ପରେ ସରକାର କଟକଣା କୋହଳ କରିଥିଲେ ।

କରୋନା ମୁକାବିଲା ପାଇଁ ଗତ କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ଭିସି ଜରିଆରେ ଚାଲିଥିବା ଏହି ବୈଠକରେ ଓଡିଶାକୁ ଆଉ ଲକ ଡାଉନ୍ ଫେରିବନି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ । ଏହା ସହ ସେ କହିଥିଲେ ଯେ, ‘ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବା ସମସ୍ତଙ୍କ ଚେଷ୍ଟା ହେବା ଉଚିତ୍ । କୋଭିଡ ନିୟମ ମାନିବାରେ ଲୋକେ ଢିଲାପଣ ଦେଖାଉଛନ୍ତି । ବିଭିନ୍ନ ଦେଶ ଓ ରାଜ୍ୟରେ ସଂଖ୍ୟା ବଢିବା ପରେ ସତର୍କ ହେବା ଜରୁରୀ । ଏତେ ବିଶାଳ ଜନସଂଖ୍ୟାରେ ହର୍ଡ ଇମ୍ୟୁନିଟି ହାସଲ ସମ୍ଭବପର ନୁହେଁ । ଏହା ସମୟ ସାପେକ୍ଷ, ତେଣୁ ସତର୍କ ରହିବା ନିହାତି ଦରକାର । ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣରେ ଅଛି ।’

Get real time updates directly on you device, subscribe now.