ନୂଆଦିଲ୍ଲୀ: ଗ୍ଲୋବାଲ ୱାର୍ମିଂ କାରଣୁ ବିଶ୍ୱର କିଛି ସହର ୨୦୫୦ ଓ ୨୧୦୦ ମଧ୍ୟରେ ଲୋପ ପାଇଯିବ । ତେବେ ସବୁଠାରୁ ଅଧିକ କ୍ଷତି ଆସନ୍ତା ୯ ବର୍ଷରେ ଦେଖିବାକୁ ମିଳିବ । ଏ ସମୟ ମଧ୍ୟରେ ବିଶ୍ୱର ୯ଟି ସହର ଜଳସ୍ତର ବୃଦ୍ଧି କାରଣରୁ ସମୁଦ୍ର ଗର୍ଭରେ ଲୀନ ହୋଇଯିବ ।
୧- ଆମଷ୍ଟରଡାମ, ନେଦରଲ୍ୟାଣ୍ଡସ: ନେଦରଲ୍ୟାଣ୍ଡସର ରାଜଧାନୀ ଆମଷ୍ଟରଡାମ କମ୍ ଉଚ୍ଚତାରେ ରହିଥିବାରୁ ଏହା ପ୍ରତି ବିପଦ ରହିଛି । ଏହା ନର୍ଥ ସି ନିକଟରେ ରହିଛି । ଜଳସ୍ତର ବୃଦ୍ଧିର ପ୍ରକୋପରୁ ରକ୍ଷା ପାଇଁ ଏହି ସହର ନୂତନ ଜ୍ଞାନ କୌଶଳ ଆପଣାଇବା ନେଇ ବିଶ୍ୱରେ ଖ୍ୟାତି ଲାଭ କରିଛି ।
୨- ବସ୍ରା, ଇରାକ: ଇରାକର ମୁଖ୍ୟ ବନ୍ଦରଯୁକ୍ତ ସହର ବସ୍ରା ଅଲ-ଅରବ ପରି ଏକ ବଡ଼ ନଦୀକୂଳରେ ଅବସ୍ଥିତ । ସହରଟି ଅନେକ କେନାଲ ଓ ସାଗରକୁ ନେଇ ସଂଯୁକ୍ତ ହୋଇଥିବାରୁ ସମୁଦ୍ର ଜଳସ୍ତର ବଢ଼ିଲେ ଏହାପ୍ରତି ବିପଦ ରହିଛି ।
୩- ନ୍ୟୁ ଓରଲିନ୍ସ, ୟୁଏସଏ: ଆମେରିକାର ନ୍ୟୁ ଓରଲିନ୍ସର ସହର ମଧ୍ୟରେ କେନାଲ ଓ ଜଳୀୟ ଶାଖା ବିସ୍ତାରିତ ହୋଇ ରହିଛି । ସମୁଦ୍ର ଜଳସ୍ତରରେ ବୃଦ୍ଧି ପାଇଲେ ଏହି ସହର ପ୍ରତି ବିପଦ ରହିଛି ।
୪- ଭେନିସ, ଇଟାଲି: ଇଟାଲିର ଭେନିସ ସହର ପାଣି ମଧ୍ୟରେ ନିର୍ମିତ ହୋଇଛି । ଏଠାରେ ପ୍ରତିବର୍ଷ ଭୟଙ୍କର ବନ୍ୟା ଆସିଥାଏ । ଗୋଟିଏ ପଟେ ସମୁଦ୍ର ଜଳସ୍ତର ବୃଦ୍ଧି ଓ ଅନ୍ୟପଟେ ଏହି ସହରଟି ତଳକୁ ତଳ ଡୁବି ଯାଉଥିବା ଦେଖାଯାଉଛି । ସମୁଦ୍ର ଜଳସ୍ତର ବଢ଼ିଲେ ୨୦୩୦ ମଧ୍ୟରେ ସହରଟି ପାଣିରେ ନିଶ୍ଚିହ୍ନ ହୋଇଯାଇପାରେ ।
୫- ହୋ ଚି ମିନ୍ ସିଟି, ଭିଏତନାମ: ଭିଏତନାମର ପୂର୍ବାଞ୍ଚଳରେ ଅବସ୍ଥିତ ଏହି ସହରଟି ସମ୍ପୂର୍ଣ୍ଣ ଭାବେ ସମତଳ ଅଟେ । ସମୁଦ୍ରର ଉଚ୍ଚତାରେ ଏହି ସହରଟି ରହିଥିବାରୁ ବହୁତ ବିପଦ ରହିଛି । ଭେନିସ ଓ ନ୍ୟୁ ଓରଲିନ୍ସ ସହର ପରି ଏହି ସହର ପାଣିରେ ଲିନ ହେବାର ଆଶଙ୍କା ରହିଛି ।
୬- କୋଲକାତା, ଭାରତ: ଭାରତର ପଶ୍ଚିମବଙ୍ଗର ରାଜଧାନୀ କୋଲକାତା ପ୍ରତି ଜଳସ୍ତର ବୃଦ୍ଧିର ବିପଦ ରହିଛି । ହୋ ଚି ମିନ ସିଟି ପରି ଏହି ସହର ମୌସମୀର ବର୍ଷା ଓ ହାଇ ଆଲର୍ଟ ସମସ୍ୟାରେ ଜର୍ଜରିତ । ଏହା ନିକଟରେ ଥିବା ଡେଲଟାଯୁକ୍ତ ଅଞ୍ଚଳ କ୍ଷତି ଘଟାଇବାର ସମ୍ଭାବନା ରହିଛି ।
୭- ବ୍ୟାଙ୍କଙ୍କ, ଥାଇଲାଣ୍ଡ: ପର୍ଯ୍ୟଟନ ପାଇଁ ପ୍ରସିଦ୍ଧି ଲାଭ କରିଥିବା ବ୍ୟାଙ୍କଙ୍କ ସହର ଗ୍ଲୋବାଲ ୱାର୍ମିଂ ଦ୍ୱାରା ଅଧିକ ପ୍ରଭାବିତ ହୋଇଥାଏ । ସମୁଦ୍ର ଜଳ ସ୍ତର ଠାରୁ ମାତ୍ର ୧.୫ ମିଟର ଉଚ୍ଚରେ ରହିଥିବାରୁ ବ୍ୟାଙ୍କଙ୍କ ପ୍ରତି ବିପଦ ରହିଛି ।
୮- ଜର୍ଜଟାଉନ, ଗୁଏନା: ବନ୍ୟା ଦାଉରୁ ରକ୍ଷା ପାଇଁ ଗୁଏନାର ରାଜଧାନୀ ଜର୍ଜ ଟାଉନର ଚତୁଃପାଶ୍ୱର୍ରେ କାନ୍ଥ ନିର୍ମାଣ କରାଯାଇଛି । ସହରର ଗୋଟିଏ ପାଶ୍ୱର୍ରେ ପ୍ରାୟ ୪୦୦ କିମି ଦୈର୍ଘ୍ୟ ବିଶିଷ୍ଟ ସମୁଦ୍ର ଅଞ୍ଚଳ ରହିଛି ।
୯- ସବାନା, ଆମେରିକା: ଆମେରିକାର ଜର୍ଜିଆରେ ଥିବା ସବାନା ସହର ତୋଫାନର ମୁଖ୍ୟ ସ୍ଥଳ । ଏଠାରେ ପ୍ରତ୍ୟେକ ବର୍ଷ ଅନେକ ପ୍ରକାର ତୋଫାନ ଦେଖିବାକୁ ମିଳିଥାଏ । ପ୍ରାକୃତିକ ଦୁର୍ବିପାକ ସହ ଲଢ଼େଇ କରୁଥିବା ଏହି ସହରକୁ ଚାରି ପାଖରୁ ସମୁଦ୍ର ଘେରି ରହିଛି । ସହରର ଉତ୍ତରରେ ସବାନା ନଦୀ ଓ ଦକ୍ଷିଣରେ ଓଗିଚୀ ନଦୀ ରହିଥିବାରୁ ଏହା ପ୍ରତି ବିପଦ ରହିଛି ।