ଭୁବନେଶ୍ୱର,୨୨ା୩: କଂଗ୍ରେସର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ ଶନିବାର ଏକ ବିସ୍ଫୋରକ ବୟାନ ଦେଇଛନ୍ତି । ନିରଞ୍ଜନ କହିଛନ୍ତି ବଦ୍ରି ପାତ୍ର ଏବଂ ରାଜା ଚକ୍ର ଏକ ଅଟନ୍ତି । କେହି ଅଲଗା ନୁହନ୍ତି । ଲୋକେ ଭଲ ଭାବେ ଜାଣିଛନ୍ତି ବଦ୍ରି କ’ଣ ରାଜା ଚକ୍ର କ’ଣ? ମୁଁ ସେମାନଙ୍କ ଆଭ୍ୟନ୍ତରୀଣ ବିଷୟରେ ପଶିବାକୁ ଚାହୁଁନି । ସବୁ କଥା ଲୋକେ ଜାଣିଛନ୍ତି । କୌଣସି କାରଣ ବଶତଃ ସେମାନେ ଟଣାଓଟରା ହେଉଛନ୍ତି ବୋଲି ନିରଞ୍ଜନ କହିଛନ୍ତି। ଅନ୍ୟପକ୍ଷରେ ନିରଞ୍ଜନଙ୍କ ଏପରି ବିସ୍ଫୋରକ ବୟାନରେ ରାଜ୍ୟ ରାଜନୀତିରେ ଅନେକ ଚର୍ଚ୍ଚା ହେଉଛି ।
ସୂଚନାଯୋଗ୍ୟ, କେନ୍ଦୁଝର ଗନ୍ଧମାର୍ଦ୍ଦନ ଓଏମସି ଖଣିରେ ଲୋଡିଂ ଦାୟିତ୍ୱ ନେଇଥିବା ବେଳେ କୋଟି ଟଙ୍କା ହେରଫେର ଅଭିଯୋଗ ହୋଇଥିଲା। କିଛି ଦିନ ପୂର୍ବରୁ ଶୁଆକାଟି ସ୍ଥିତ ଲୋଡିିଙ୍ଗ ଏଜେନ୍ସି କାର୍ୟ୍ୟାଳୟରେ EOW ପକ୍ଷରୁ ଚଢାଉ ହୋଇଥିଲା । ସେ ସମୟରେ ଏଜେନ୍ସି ସଭାପତି ଏବଂ ସମ୍ପାଦକଙ୍କୁ EOW ଅଧିକାରୀ ଉଠାଇ ନେଇ ପଳାଇଥିଲେ । ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ଜବତ ହୋଇଥିଲା । ପରେ ଖୋଲତାଡ଼ କରିବାରୁ ଏଥିରେ ପ୍ରାୟ ୫୦୦ କୋଟି ଟଙ୍କା ହେରଫେର ହୋଇଥିବା EOW ଜାଣିବାକୁ ପାଇଛି। ଏହି ସଂସ୍ଥା ସହ ଜଡ଼ିତ ୯ ଜଣଙ୍କୁ EOWରେ ହାଜର ହେବାକୁ ନୋଟିସ କରିଥିଲା ସେ ମଧ୍ୟରେ ରାଜ୍ୟ ଯୁବ ବିଜେଡି ଉପସଭାପତି ରାଜା ଚକ୍ରଙ୍କ ନାଁ ଥିଲା ।