fbpx

ସ୍ୱାତୀ ମାଲିୱାଲ କେସ୍‌ରେ ସାମ୍ନାକୁ ଆସିଲେ ନିର୍ଭୟାଙ୍କ ମା’, କେଜ୍ରିୱାଲଙ୍କୁ ଦେଲେ ଏପରି ପରାମର୍ଶ

ନୂଆଦିଲ୍ଲୀ: ଦିଲ୍ଲୀ ମହିଳା କମିଶନ ପୂର୍ବତନ ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲ ତାଙ୍କ ସମର୍ଥନରେ ଭିଡିଓ କରିଥିବାରୁ ନିର୍ଭୟାଙ୍କ ମା’ଙ୍କୁ ଧନ୍ୟବାଦ ଦେଇଛନ୍ତି । ସ୍ୱାତୀ କହିଛନ୍ତି ନିର୍ଭୟାଙ୍କ ମା’ ଦେଶରେ ନ୍ୟାୟ ପାଇଁ ଏକ ଦୀର୍ଘ ଲଢେଇ ଲଢିଛନ୍ତି । ସେ ମୋ ସମର୍ଥନରେ ଭିଡିଓ କରିଥିବାରୁ ମୁଁ ତାଙ୍କୁ ଅନ୍ତରରୁ ଧନ୍ୟବାଦ ଦେଉଛି ।

ନିର୍ଭୟାଙ୍କ ମା’ଙ୍କୁ ମନେ ପକାଇ ସ୍ୱାତୀ କହିଛନ୍ତି ଯେଉଁ ସମୟରେ ମୁଁ ବଳାତ୍କାରୀଙ୍କୁ ଦଣ୍ଡ ଦେବା ଲାଗି ଅନଶନ କରୁଥିଲି ସେହି ସମୟରେ ସେ ବି ମୋ ସହ ରହିଥିଲେ । ଆଜି ମୋ ସମର୍ଥନରେ ସେ ଏହି ଭିଡିଓ କରିଥିବାରୁ ହୃଦୟ ଭରି ଯାଇଛି । ସେ କହିଛନ୍ତି ମୋତେ ସମର୍ଥନ କରିଥିବାରୁ ଏବେ କିଛି ନେତା ତାଙ୍କୁ ବିଜେପି ଏଜେଣ୍ଟ ବୋଲି କହିବାକୁ ପଛାଇବେ ନାହିଁ ।

ନିର୍ଭୟାଙ୍କ ମା’ ଆଶାଦେବୀ ଏକ ଭିଡିଓରେ କହିଛନ୍ତି ସ୍ୱାତୀଙ୍କ ସହ ଯାହା ହୋଇଛି ବହୁତ ଭୁଲ୍ ହୋଇଛି । ସେ ସ୍ୱାତୀଙ୍କୁ ବହୁତ ଭଲ ଭାବେ ଜାଣିଛନ୍ତି ବୋଲି କହିଛନ୍ତି । ତାଙ୍କ ସହ ବହୁ ସମୟରେ ସାକ୍ଷାତ ହୋଇଛି ଓ ଆମେ ସାଙ୍ଗ ହୋଇ ବହୁକାମ ବି କରିଛୁ । ମୋ ଝିଅ ମାମଲାରେ ସେ ବହୁତ ସାହାଯ୍ୟ କରିଛନ୍ତି । ମୁଁ ମହିଳାଙ୍କ କେସ୍ ବିଷୟରେ ତାଙ୍କ ସହ କଥା ହୋଇଥିଲି । ସେ ତାଙ୍କ ସାଧ୍ୟ ମୁତାବିକ ମୋତେ ସାହାଯ୍ୟ କରିଛନ୍ତି । ଆଶା ଦେବୀ କହିଛନ୍ତି ଏତେ ଶକ୍ତିଶାଳୀ ମହିଳା ଯଦି ସୁରକ୍ଷିତ ନୁହେଁ ତେବେ ସାଧାରଣ ମହିଳା କିପରି ସୁରକ୍ଷିତ ରହିପାରିବେ । ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ।

Get real time updates directly on you device, subscribe now.