fbpx

ଦେଶରେ ୧୫-୨୦ ଦିନରେ କେମିତି ଦୂର ହେବ ଭ୍ୟାକ୍ସିନର ଅଭାବ, ପ୍ରସ୍ତାବ ଦେଲେ ରୋଡ୍ ମ୍ୟାନ ନୀତିନ ଗଡକରୀ

ନୂଆଦିଲ୍ଲୀ ୧୯ ।୦୫: କରୋନାର ଦ୍ୱିତୀୟ ଲହରରେ ଦେଶର ସ୍ୱାସ୍ଥ୍ୟବସ୍ଥା ଭୁଷୁଡି ପଡିଛି । ଅନେକ ରାଜ୍ୟରେ ଭ୍ୟାକ୍ସିନର ଅଭାବ ଏବେ ବି ଜାରି ରହିଛି । ଏହାକୁ ନେଇ କେନ୍ଦ୍ର ଓ ବିରୋଧୀ ଦଳ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି । ଏହା ମଧ୍ୟରେ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଟିକା ଅଭାବ କେମିତି ଦୂର କରାଯାଇ ପାରିବ ସେ ନେଇ ଏକ ବଡ ପ୍ରସ୍ତାବ ଦେଇଛନ୍ତି । ଗଡକରୀ କହିଛନ୍ତି, ମାତ୍ର ୧୫ ରୁ ୨୦ ଦିନ ଭିତରେ ଭ୍ୟାକ୍ସିନର ଅଭାବ ଦୂର କରାଯାଇ ପାରିବ । ଦେଶରେ ଭ୍ୟାକ୍ସିନ ପ୍ରସ୍ତୁତ ପାଇଁ ଅନ୍ୟ କମ୍ପାନୀକୁ  ଲାଇସେନ୍ସ ମିଳିବା ଉଚିତ୍ । ଯାହା ଫଳରେ ଉତ୍ପାଦନ ବୃଦ୍ଧି କରାଯାଇ ପାରିବ । କିଛି ଦିନ ପୂର୍ବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଏହି ପ୍ରସ୍ତାବ ଦେଇଥିଲେ ।

ନୀତିନ ଗଡକରୀ କେନ୍ଦ୍ର ମନ୍ତ୍ରୀ ମନସୁଖ ମଡାଭିଆଙ୍କୁ କହିଛନ୍ତି, ଯେବେ ଚାହିଦା ବଢେ, ଯୋଗାଣରେ ସମସ୍ୟା ଆସିଥାଏ । ଭ୍ୟାକ୍ସିନ କମ୍ପାନୀ ଗୋଟିଏ ପରିବର୍ତେ ୧୦ ଜଣକୁ ଲାଇସେନ୍ସ ଦେବା ଉଚିତ୍ ଏବଂ ତା ବଦଳରେ ରୟାଲଟି ନିଅନ୍ତୁ । ପ୍ରତି ରାଜ୍ୟରେ ପ୍ରଥମରୁ ହିଁ ୨-୩ ଲାବୋରାଟୋରୀ ରହିଛି । ସେମାନଙ୍କ ପାଖରେ ଟିକା ପ୍ରସ୍ତୁତ ପାଇଁ ଭିତିଭୂମି ମଧ୍ୟ ରହିଛି । ଫର୍ମୁଲା ପ୍ରସ୍ତୁତ କରି ସେମାନଙ୍କ ସହ ସମନ୍ୱୟ ରଖି ଭ୍ୟାକ୍ସିନ ଉତ୍ପାଦନ କରାଯାଇ ପାରିବ । ଏହିପରି ୧୫ ରୁ ୨୦ ଦିନ ଭିତରେ ଅଧିକ ମାତ୍ରାରେ ଭ୍ୟାକ୍ସିନ ଉତ୍ପାଦନ କରି ଦେଶରୁ ଟିକାର ଅଭାବ ଦୂର କରାଯାଇ ପାରିବ ବୋଲି ନୀତିନ ଗଡକରୀ କହିଛନ୍ତି ।

ଭ୍ୟାକ୍ସିନ ରପ୍ତାନକାରୀଙ୍କୁ ନେଇ ଗଡକରୀ କହିଛନ୍ତି, ପ୍ରଥମେ ଦେଶକୁ ପର୍ଯ୍ୟାପ୍ତ ଭ୍ୟାକ୍ସିନ ଯୋଗାଇବା ପରେ ଯାଇ ବିଦେଶକୁ ରପ୍ତାନୀ କରନ୍ତୁ । ଯଦି ଆପଣଙ୍କୁ ମୋର ପ୍ରସ୍ତାବ ଉଚିତ୍ ଲାଗୁଛି ତେବେ ନିଶ୍ଚୟ ବିଚାର କରନ୍ତୁ ।

ଭ୍ୟାକ୍ସିନର ଅଭାବକୁ ଦୃଷ୍ଟିରେ ରଖି ଗତ ଦିନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ । ସେ କହିଥିଲେ, ଦେଶରେ ଯଦି ଅନ୍ୟ କମ୍ପାନୀକୁ ଭ୍ୟାକ୍ସିନ ପ୍ରସ୍ତୁତ ପାଇଁ ଫର୍ମୁଲା ଦିଆଯାଏ ତେବେ ଆବଶ୍ୟକ ମୁତାବକ ଟିକା ଉତ୍ପାଦନ ହୋଇ ପାରିବ । ଏଥିରେ ବ୍ୟାପକ ଭାବେ ଟିକାକରଣ କରାଯାଇ ପାରିବ ।

Get real time updates directly on you device, subscribe now.