ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ଫେବ୍ରୁଆରି ୧୨ ତାରିଖରେ ବିଧାନସଭାରେ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ସରକାର ଆସ୍ଥା ଭୋଟର ସମ୍ମୁଖୀନ ହେବାର ପାଞ୍ଚ ଦିନ ପୂର୍ବରୁ ନୂଆଦିଲ୍ଲୀରେ ଆଜି ଏହି ଭେଟଘାଟ ହୋଇଥିବା ଦେଖିବାକୁ ମିଳିଛି।
Chief Minister of Bihar, Shri @NitishKumar, met Prime Minister @narendramodi. pic.twitter.com/90j2edfVXE
— PMO India (@PMOIndia) February 7, 2024
ସୂଚନା ଥାଉକି, ଜେଡିୟୁ ମୁଖ୍ୟ ନୀତୀଶ କୁମାର ଏନଡିଏରେ ସାମିଲ ହୋଇ ବିଜେପି ସହ ବିହାରରେ ସରକାର ଗଠନ କରିବା ପରେ ପ୍ରଥମ ଥର ପାଇଁ ମୋଦୀଙ୍କୁ ଭେଟିଛନ୍ତି। ତେବେ ନୀତିଶଙ୍କ ସହ ଗତ ଜାନୁଆରି ୨୮ ତାରିଖରେ ବିହାର ମହାମେଣ୍ଟ ଛାଡିଥିବା ସମସ୍ତ ଜେଡିୟୁ ନେତା ତାଙ୍କର ଏହି ପ୍ରଥମ ଦିଲ୍ଲୀ ଗସ୍ତ ସମୟରେ ଭାରତୀୟ ଜନତା ପାର୍ଟି (ବିଜେପି)ର ଶୀର୍ଷ ନେତୃତ୍ୱଙ୍କୁ ଭେଟିବେ ବୋଲି ଜଣାପଡିଛି। ଏହା ପୂର୍ବରୁ ସୋମବାର ବିହାରର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଓ ବିଜୟ କୁମାର ସିହ୍ନା ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି।
ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିଜେପିର ଶୀର୍ଷ ନେତାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ବିହାର ରାଜ୍ୟସଭା ନିର୍ବାଚନ ସମ୍ପର୍କିତ ପ୍ରସଙ୍ଗରେ ଆଲୋଚନା ହୋଇପାରେ। ବର୍ତ୍ତମାନ ରାଜ୍ୟରେ ୬ଟି ରାଜ୍ୟସଭା ଆସନ ଖାଲି ପଡ଼ିଛି। ଖାଲି ପଡ଼ିଥିବା ଏହି ଆସନ ଗୁଡ଼ିକ ପାଇଁ ଫେବ୍ରୁଆରି ୨୭ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ।