fbpx

ଓଡ଼ିଶାରେ ଫଳିଲା ଷ୍ଟ୍ରବେରୀ: ହିମାଚଳ ପ୍ରଦେଶରୁ ଆସିଲା ଚାରା, ମାତ୍ର ୪୯ ଦିନରେ ଫଳ ପାଚିଲା, ଜିଲ୍ଲାପାଳଙ୍କ ଅଭିନବ ପ୍ରୟାସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମୟ ଥିଲା ଓଡ଼ିଶାରେ ଷ୍ଟ୍ରବେରୀ ଦେଖିବାକୁ ମିଳୁନଥିଲା । ରାଜ୍ୟର ଜଳବାୟୁ ଅତ୍ୟଧିକ ଉଷ୍ଣ ହୋଇଥିବାରୁ ଏହା ଷ୍ଟ୍ରବେରୀ ଚାଷ ପାଇଁ ଅନୁକୂଳ ହୋଇନଥାଏ । ତେଣୁ ଷ୍ଟ୍ରବେରୀକୁ ଏକ ବିଦେଶୀ ଫଳ ବୋଲି କୁହାଯାଉଥିଲା । ମାତ୍ର ସବୁ ସ୍ୱପ୍ନ ପୂରଣ ହୋଇଛି ଓ ଓଡ଼ିଶାରେ ଫଳିଛି ଷ୍ଟ୍ରବେରୀ । କଳାହାଣ୍ଡି ଜିଲ୍ଲାପାଳଙ୍କ ଅଭିନବ ପ୍ରୟାସ ପାଇଁ ଆଜି ଏହି ସଫଳତା ମିଳିପାରିଛି ।

ସୂଚନା ମୁତାବକ, କଳାହାଣ୍ଡି ଜିଲ୍ଲାପାଳଙ୍କ ଆଗ୍ରହ କ୍ରମେ ଲାଞ୍ଜିଗଡ଼ ସ୍ଥିତ କୁଟିଆ କନ୍ଧ ଉନ୍ନୟନ ସଂସ୍ଥାର ଆଦିମ ଜନଜାତି ସଶକ୍ତିକରଣ ଓ ଉନ୍ନତିକରଣ ପ୍ରୋଗ୍ରାମ ଦ୍ୱାରା ଷ୍ଟ୍ରବେରୀ ଚାଷ ସଫଳ ହୋଇଛି । ଜିଲ୍ଲାରେ ପ୍ରଥମ ଥର ପାଇଁ ଆଦିମ ଜନଜାତି କୁଟିଆ କନ୍ଧ ଜାତିର ଚାଷୀମାନେ ଏହି ଚାଷ ଆରମ୍ଭ କରିଛନ୍ତି । ରାଜ୍ୟ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଟେକ୍ନୋଲୋଜି ସହାୟତା ପ୍ରଦାନ କରାଯାଇଥିଲା । ଏହାର ବିକ୍ରି ପାଇଁ ମିଶନ ଶକ୍ତି ବିଭାଗ ପକ୍ଷରୁ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି)ର ଏକ ଟିମକୁ ଦାୟିତ୍ୱ ପ୍ରଦାନ କରାଯାଇଛି ।

ଲାଞ୍ଜିଗଡ଼ ବ୍ଲକର ନିୟମଗିରି ପାହାଡ଼ ତଳଦେଶରେ ଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା ବାରବୁଲୀ ଗାଁରେ ରହୁଥିବା କୁଟିଆ କନ୍ଧ ଚାଷୀ ଓ ମା’ ମଙ୍ଗଳା ଏସଏଚଜି ଏବେ ଚାଷ କରିବାରେ ସଫଳତା ହାସଲ କରିଛନ୍ତି । ୫ ଏକର ଜମିରେ ଚାଷ ପାଇଁ ୨୮ ଲକ୍ଷରୁ ଅଧିକ ଅର୍ଥ ମଞ୍ଜୁର କରାଯାଇଥିଲା । ମୋଟ ୧ ଲକ୍ଷ ଷ୍ଟ୍ରବେରୀ ଚାରା ଲଗାଯାଇଥିଲା । କୁଟିଆ କନ୍ଧ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରବନ୍ଧକ ଓ କୃଷି ଅଧିକାରୀମାନେ କୃଷି ବିଭାଗର ମିଳିତ ଉଦ୍ୟମରେ ହିମାଚଳ ପ୍ରଦେଶରୁ ଷ୍ଟ୍ରବେରୀ ଚାରା ଆସିଥିଲା । ଗତ ଜାନୁଆରୀ ମାସ ୧୦ ତାରିଖରେ ଏହାକୁ ରୋପଣ କରାଯାଇଥିବା ବେଳେ ଫେବୃଆରୀ ମାସ ୨୮ରେ ଏହାର ପ୍ରଥମ ପାଚିଲା ଫଳକୁ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ ଗ୍ରାମବାସୀ । ତେବେ ଷ୍ଟ୍ରବେରୀର ବିକ୍ରି ପାଇଁ ଓରମାସ ଓ ମିଶନଶକ୍ତି ବିଭାଗକୁ ଦାୟିତ୍ୱ ଦିଆଯାଇଛି । ଏହି ଚାଷ କରି ଏସଏଚଜି ଲକ୍ଷାଧିକ ଟଙ୍କା ଆୟ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

Get real time updates directly on you device, subscribe now.