fbpx

କଟକ-ଭୁବନେଶ୍ୱରରେ ୧୦ଟା ପରେ ବାଣ ଫୁଟାଇବା ମନା, ପ୍ରଦୂଷଣକୁ ଦୃଷ୍ଟିରେ ରଖି ସଚେତନ ରହିବାକୁ ଅନୁରୋଧ

ଓଡିଶା ଭାସ୍କର; ରାତି ପାହିଲେ ଦୀପାବଳୀ,ଯାହାକୁ ନେଇ ସାରା ଦେଶବାସୀ ଉତ୍ସାହିତ ରହିଛନ୍ତି । ଦୀପାବଳି କାଲି ରହିଥିବା ବେଳେ ଆଜି ଠାରୁ କିଛି ଲୋକ ଲୁଚାଇ ଛପାଇ ବାଣ ଫୁଟାଇବା ଆରମ୍ଭ କରିଦେଇଛନ୍ତି । ମାତ୍ର ବାୟୁ ଓ ଶବ୍ଦ ପ୍ରଦୂଷଣକୁ ଦୃଷ୍ଟିରେ ରଖି ସାରା ଦେଶରେ ବାଣ ଫୁଟାଇବା ଉପରେ ରୋକ୍‌ ଲଗାଇଛନ୍ତି ସୁପ୍ରିମକୋର୍ଟ। ଏଥିସହ ଏହାକୁ ନିୟନ୍ତ୍ରଣ କରିବାକୁ ଆବଶ୍ୟକ ପଦକ୍ଷେପ ନେବା ଲାଗି ମଧ୍ୟ ପରାମର୍ଶ ଦେଇଛନ୍ତି। କିନ୍ତୁ ଲୋକ ଏସବୁ ଜାଣିଶୁଣି ଲୁଚାଇ ଛପାଇ କିଛି କିଛି ଜାଗାରେ ବାଣ ଫୁଟାଉଥିବା ଦେଖିବାକୁ ମିଳୁଛି । ତେବେ ଏଭଳି ପରିସ୍ଥିତିରେ ଲୋକେ ସଚେତନ ହେବା ସହ ବାଣ ନ ଫୁଟାନ୍ତୁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ବିଷାକ୍ତ ବାୟୁକୁ ଶ୍ୱାସକ୍ରିୟାରେ ଗ୍ରହଣ କରିବା ଫଳରେ ଲୋକମାନେ ଅନେକ ଭୟଙ୍କର ରୋଗର ଶିକାର ହେଉଛନ୍ତି, ଏହି କଥାକୁ ସମସ୍ତେ ବୁଝିବା ନିହାତି ଆବଶ୍ୟକ ବୋଲି କୁହାଯାଇଛି ।

ସେପଟେ ପ୍ରଦୂଷଣକୁ ରୋକିବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଓ ପରାମର୍ଶ ଅନୁଯାୟୀ କଟକଣା ଜାରି କରିଛି କଟକ-ଭୁବନେଶ୍ୱର କମିଶନରେଟ ପୋଲିସ। ଦୀପାବଳିରେ ରାତି ୧୦ଟା ପରେ ଟୁଇନ୍‌ସିଟିରେ ବାଣଫୁଟାକୁ ବନ୍ଦ କରାଯାଇଛି। ପୁଣି ୧୨ ଡେସିବିଲ୍‌ଠାରୁ ଅଧିକ ଶବ୍ଦର ବାଣ ଫୁଟାଇଲେ କାର୍ୟ୍ୟାନୁଷ୍ଠାନ ହେବ ବୋଲି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହାସହ ସମସ୍ତେ ଗ୍ରୀନ୍‌ କ୍ରାକର ଫୁଟାଇବା ପାଇଁ ସେ ସହରବାସୀଙ୍କୁ ଅପିଲ କରିଛନ୍ତି। ଅନ୍ୟପଟେ ବେଆଇନ ବାଣ ଫୁଟା ରୋକିବା ପାଇଁ ମଧ୍ୟ ସ୍ୱତନ୍ତ୍ର ଟିମ୍‌ ଗଠନ ହୋଇଥିବା ପୋଲିସ କମିଶନରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ସେହିପରି ବାଣ ଫୁଟାଇବାକୁ ନେଇ ଅଗ୍ନିଶମ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯିବା ସହ ସତର୍କ ମଧ୍ୟ କରାଯାଇଛି। ସିଧାସଳଖ ହାତ ଦ୍ୱାରା ବାଣରେ ଅଗ୍ନି ସଂଯୋଗ କରନ୍ତୁ ନାହିଁ। ଗୃହପାଳିତ ପଶୁଙ୍କୁ ଦୂରେଇ ରଖନ୍ତୁ। ନିକଟରେ ପାଣି ବାଲ୍ଟି ଓ ବାଲି ରଖନ୍ତୁ। ବାଣ ଫୁଟାଇବା ସମୟରେ ସୂତା ବସ୍ତ୍ର ପରିଧାନ କରନ୍ତୁ। ଜନ ଗହଳି ସ୍ଥାନରେ ବାଣ ଫୁଟାନ୍ତୁ ନାହିଁ ବୋଲି କୁହାଯାଇଛି। ସେପଟେ ବାଣ ଦୋକାନ ଚାରିପଟେ ପଲିଥିନ ଓ ଦହନଶୀଳ ପଦାର୍ଥ ନ ରଖିବାକୁ ପରାମର୍ଶ ଦିଆଯାଇଛି। ଦୋକାନ ପରସ୍ପରଠାରୁ ଅତି କମରେ ୧୦ ଫୁଟ ଦୂରତା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । କୌଣସି ତେଲ, ଦୀପ, ଗ୍ୟାସ୍‌ ଦୀପ, ଖୋଲା ଲାଇଟ ବ୍ୟବହାର ନ କରିବାକୁ କୁହାଯାଇଛି।

Get real time updates directly on you device, subscribe now.