fbpx

‘ଆଉ ନାହିଁ ମିଡ୍‌ନାଇଟ୍ ଅପରେଶନ ଭୟ’, ପୁଣି ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମନ୍ତ୍ରୀମଣ୍ଡଳ ଅଦଳବଦଳ ପରେ ଆଜି ନୂଆ ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ କରିବେ। ପଞ୍ଚାୟତ ଏବଂ ପୌର ନିର୍ବାଚନ ପରେ ଦଳରେ ଏତେଟା ଆଉ ଅନ୍ତକନ୍ଦଳ ଦେଖାଯାଉ ନାହିଁ। ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ଆଉ ମିଡ୍‌ନାଇଟ୍ ଅପରେଶନ ଭୟ ନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ପୁଣିଥରେ ବିଦେଶ ଗସ୍ତ କରୁଥିବା ସୂଚନା ମିଳିଛି। ପୁଣି ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଉପରେ ଭରଷା କରି ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ। ଆସନ୍ତା ୨୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ୧୦ ଦିନିଆ ବିଦେଶ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଥିବା ବିଶେଷ ସୂତ୍ରରୁ ଜଣାପଡିଛି।

ଦୀର୍ଘ ୨୫ ବର୍ଷ ମଧ୍ୟରେ ଏହା ହେବ ନବୀନଙ୍କ ଦ୍ଵିତୀୟ ବିଦେଶ ଗସ୍ତ। ଏହି ସମୟରେ ସେ ଇଟାଲୀ ଓ ଦୁବାଇ ଯାତ୍ରା କରିବେ। ମିଳିଥିବା ସୂଚନା ମୁତାବକ ମୁଖ୍ୟମନ୍ତ୍ରୀ ନିଜ ବନ୍ଧୁମାନଙ୍କ ସହ ଆସନ୍ତା ୨୧ରେ ଇଟାଲୀ ଗସ୍ତରେ ଯିବେ। ତାଙ୍କ ସହ କେତେଜଣ ନୂଆ ମନ୍ତ୍ରୀ ମଧ୍ୟ ଯିବେ। ସେଠାରୁ ସେ ଦୁବାଇ ଗସ୍ତ କରି ଓଡ଼ିଶା ସରକାରଙ୍କ ପକ୍ଷରୁ ଅୟୋଜିତ ବିଜ୍‌ନେସ୍ ମିଟ୍‌ରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ।

ଦୁବାଇରେ ମୁଖ୍ୟମନ୍ତ୍ରୀଙ୍କ ସହ ବିଭିନ୍ନ ମନ୍ତ୍ରୀ ଓ ସଚିବମାନେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ସହ ବିଦେଶ ଗସ୍ତରେ ସମୟରେ ତାଙ୍କର ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ ମଧ୍ୟ ଯିବେ ବୋଲି ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ୧୯୯୭ରେ ରାଜନୀତିରେ ପାଦ ରଖିବା ପରଠାରୁ ବିଦେଶ ଗସ୍ତରେ ଯାଇ ନ ଥିଲେ। ଶେଷଥର ପାଇଁ ୨୦୧୨ ମେ’ରେ ଲଣ୍ଡନରେ ବିଜ୍‌ନେସ୍ ମିଟ୍ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ କିନ୍ତୁ ତତ୍କାଳୀନ ରାଜ୍ୟସଭା ସଦସ୍ୟ ପ୍ୟାରିମୋହନ ମାହାପାତ୍ରଙ୍କ ମିଡନାଇଟ୍ ଅପରେଶନ ଯୋଗୁ ମୁଖ୍ୟମନ୍ତ୍ରୀ ନିଜ ଗସ୍ତକୁ କାଣ୍ଟଛାଣ୍ଟ କରି ଫେରିଥିଲେ।

 

 

Get real time updates directly on you device, subscribe now.