BMC ଜାରିକଲା ଚେତାବନୀ: ଖଣ୍ଡଗିରି ଯାତ୍ରାରେ ଅଶ୍ଲୀଳ ପ୍ରଦର୍ଶନ କଲେ ଅଧାରୁ ଯାତ୍ରା ବନ୍ଦ, ଅଧିକ ପାର୍କିଂ ଫି’ ନେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ ଖଣ୍ଡଗିରି ମେଳା । ୯ ଦିନ ଧରି ଚାଲିବାକୁ ଥିବା ଏହି ମେଳାକୁ ନେଇ ଏବେଠାରୁ ରାଜଧାନୀ ଚଳଚଞ୍ଚଳ ହୋଇଉଠିଥିବା ବେଳେ ଏହାର ସୁରକ୍ଷା ଓ ସୁପରିଚାଳନା ନେଇ ଭୁବନେଶ୍ୱର ମହାନିଗମ (ବିଏମସି) ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ଖଣ୍ଡଗିରି ଯାତ୍ରାରେ ଅଶ୍ଲୀଳ ପ୍ରଦର୍ଶନ କଲେ ଯାତ୍ରା ବନ୍ଦ ହେବ ବୋଲି ବିଏମସି ପକ୍ଷରୁ ଚେତାବନୀ ଜାରି କରାଯାଇଛି ।

ବିଏମସି ମୁତାବକ, ଯାତ୍ରା ପରିବେଷଣରେ ସମ୍ପୂର୍ଣ୍ଣ ଭାବେ ସଂଯମତା ଅବଲମ୍ବନ କରିବାକୁ ପଡ଼ିବ । ଯଦି ଅଶ୍ଲୀଳ ପ୍ରଦର୍ଶନ କରାଯାଏ, ତେବେ ଅଧାରୁ ଯାତ୍ରାକୁ ବନ୍ଦ କରିଦିଆଯିବ । ଖଣ୍ଡଗିରି ଯାତ୍ରାକୁ ନେଇ ଗତକାଲି ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ବିଏମସି ପକ୍ଷରୁ ଏଭଳି ତାଗିଦ୍ କରାଯିବା ସହିତ ପାର୍କିଂ, ପରିମଳ ଉପରେ ଫୋକସ୍ କରାଯାଇଛି । ଏନେଇ ବିଏମସି ଅତିରିକ୍ତ କମିଶନରଙ୍କ ନେତୃତ୍ୱରେ ଏକ ଟିମ୍ କ୍ଷେତ୍ର ପରିଦର୍ଶନ କରିବା ସହ ଖଣ୍ଡଗିରି ଅଞ୍ଚଳ ବୁଲି ଦେଖିଥିଲେ ।

ସେହିପରି ମେଳାରେ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର, ଅସ୍ଥାୟୀ ଷ୍ଟଲ ପ୍ରଦାନ କରିବା ଓ ସେମାନଙ୍କ ଠାରୁ ଫି’ ଆଦାୟ କରିବା, ବ୍ୟବସାୟୀଙ୍କଠାରୁ ରାଜସ୍ୱ ଆଦାୟ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ କୁହାଯାଇଛି । ଦର୍ଶକଙ୍କ ପାଇଁ ପାଣି, ଅସ୍ଥାୟୀ ଶୌଚାଳୟ ବ୍ୟବସ୍ଥା କରାଯିବା ସହିତ ପରିମଳ ପ୍ରତି ଧ୍ୟାନ ଦେବାକୁ କୁହାଯାଇଛି । ଓଏସଆରଟିସି ଷ୍ଟାଣ୍ଡରେ ମାଗଣାରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ପାର୍କିଂ ଦେୟ ପ୍ରଥମ ୨ ଘଣ୍ଟାକୁ ୨ ଚକିଆ ପାଇଁ ୧୦ ଟଙ୍କା ଓ ୪ ଚକିଆ ପାଇଁ ୨୦ ଟଙ୍କା ରହିଛି । ଧାର୍ଯ୍ୟ ଦରଠାରୁ ଅଧିକ ଆଦାୟ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।