fbpx

IND vs PAK: କେବଳ ବାବର ଆଜମ ନୁହନ୍ତି, ଟିମ୍ ଇଣ୍ଡିଆକୁ ଏହି ୫ ଖେଳାଳିଙ୍କ ପ୍ରତି ସାବଧାନ ରହିବାକୁ ପଡିବ

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଜି ମହା ଲଢେଇ ହେବାକୁ ଯାଉଛି। ଏସିଆ କପ୍ ୨୦୨୨ରେ ଦୁଇ ଦଳର ଏହା ପ୍ରଥମ ମୁକାବିଲା। ତେଣୁ ଦୁନିଆର କ୍ରିକେଟ୍ ପ୍ରେମୀଙ୍କ ନଜର ଏହି ମୁକାବିଲା ଉପରେ ରହିଛି। ଟି-୨୦ ବିଶ୍ଵ କପରେ ପାକିସ୍ତାନ ଭାରତକୁ ହରାଇଥିଲା। ତେଣୁ ଏବେ ପ୍ରତିଶୋଧ ନେବାର ସମୟ।

ପାକିସ୍ତାନ ଦଳରେ ଏମିତି ଅନେକ ଖେଳାଳି ଅଛନ୍ତି, ଯେଉଁମାନେ ଭାରତ ବିପକ୍ଷରେ ଦମଦାର ପ୍ରଦର୍ଶନ କରିବାର ସାମର୍ଥ୍ୟ ରଖିଛନ୍ତି। କେବଳ ଅଧିନାୟକ ବାବର ଆଜମ ଭାରତୀୟ ଦଳ ପାଇଁ ବିପଦ ନୁହନ୍ତି ବରଂ ଅନ୍ୟ ଖେଳାଳିଙ୍କ ଉପରେ ମଧ୍ୟ ଭାରତକୁ ନଜର ରଖିବାକୁ ପଡିବ। ଅଧିନାୟକ ବାବର ଆଜମଙ୍କ ବ୍ୟତୀତ ପାକିସ୍ତାନର କେଉଁ ଖେଳାଳିଙ୍କ ଉପରେ ନଜର ରଖିବାକୁ ପଡିବ। ଆସନ୍ତୁ ଜାଣିବା…

ଫକର ଜମାନ

ପାକିସ୍ତାନର ଫକର ଜମାନ ଟି-୨୦ ଦଳରେ ନମ୍ବର ୩ରେ ବ୍ୟାଟିଂ କରନ୍ତି। ବାବର-ଆଜମଙ୍କ ଯୋଡି ପରେ ସେ ଇନିଂସକୁ ଆଗକୁ ବଢାନ୍ତି। ତାଙ୍କର ରେକର୍ଡ ସେତେଟା ଉନ୍ନତ ନଥିଲେ ବି ଭାରତ ବିରୋଧରେ ତାଙ୍କ ବ୍ୟାଟ୍ ଗର୍ଜିଥାଏ। ତେଣୁ ତାଙ୍କ ବ୍ୟାଟ୍ ଉପରେ ମଧ୍ୟ ଭାରତୀୟ ବୋଲରଙ୍କୁ ଅଙ୍କୁଶ ଲଗାଇବାକୁ ପଡିବ।

ମହମ୍ମଦ ରିଜଓ୍ଵାନ

ମହମ୍ମଦ ରିଜଓ୍ଵାନଙ୍କ ଗଣତି ସଂପ୍ରତି ସବୁଠୁ ଦମଦାର ଟି-୨୦ ବ୍ୟାଟସମ୍ୟାନ ଭାବେ କରାଯାଉଛି। ଟି-୨୦ ବିଶ୍ଵ କପ୍ ୨୦୨୧ରେ ମଧ୍ୟ ସେ ଭାରତୀୟ ଦଳ ଉପରେ ଭାରି ପଡିଥିଲେ। ତାଙ୍କର ଟି-୨୦ ରେକର୍ଡ ଚମତ୍କାର ରହିଛି। ମହମ୍ମଦ ରିଜଓ୍ଵାନ ପାକିସ୍ତାନ ପକ୍ଷରୁ ୫୬ ମ୍ୟାଚ୍ ଖେଳି ୧୬୬୨ ରନ କରିଛନ୍ତି। ତାଙ୍କର ବ୍ୟାଟିଂ ହାର ୫୦ରୁ ଅଧିକ ରହିଛି। ଏଥିରୁ ଜାଣି ପାରୁଥିବେ ସେ କେଉଁ ଧରଣର ବ୍ୟାଟସମ୍ୟାନ।

ନସୀମ ଶାହ

୧୯ ବର୍ଷୀୟ ଏହି ଖେଳାଳି ପାକିସ୍ତାନର ଯୁବ ଦ୍ରୁତ ବୋଲରଙ୍କ ମଧ୍ୟରୁ ଜଣେ। ସେ ପ୍ରଥମ ଥର ଭାରତୀୟ ଦଳ ବିପକ୍ଷରେ ଖେଳିବେ। ସେ ପାକିସ୍ତାନ ସୁପର ଲିଗରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିଲେ। ନିକଟରେ ନେଦରଲାଣ୍ଡ ବିପକ୍ଷ ସିରିଜରେ ସେ ଭଲ ବୋଲିଂ କରିଥିଲେ। ସେ ଭାରତୀୟ ଦଳକୁ ଚକିତ କରି ପାରନ୍ତି।

ଶାଦାବ ଖାନ

ଶାଦାବ ଖାନ ପାକିସ୍ତାନର ଅନୁଭବୀ ବୋଲର। ସେ ୬୪ ଟି-୨୦ ଅନ୍ତର୍ଜାତୀୟ ମୁକାବିଲାରେ ୭୩ ଓ୍ଵିକେଟ୍ ହାସଲ କରିଛନ୍ତି। ସେ ବ୍ୟାଟିଂ ମଧ୍ୟ କରି ପାରନ୍ତି। ଶାଦାବଙ୍କ ନିକଟରେ ୟୁଏଇରେ ଖେଳିବାର ଯଥେଷ୍ଟ ଅନୁଭବ ରହିଛି। ଏମିତିରେ ସେ ଭାରତୀୟ ଦଳ ପାଇଁ ବିପଦ ସାଜି ପାରନ୍ତି।

ହାରିସ ରଉଫ

ଶାହିନ ଆଫ୍ରିଦିଙ୍କ ଅନୁପସ୍ଥିତିରେ ପାକିସ୍ତାନ ଦ୍ରୁତ ବୋଲରର ଆକ୍ରମଣର ନେତୃତ୍ଵ ନେବେ ହାରିସ ରଉଫ। ୨୮ ବର୍ଷୀୟ ରଉଫ ଟି-୨୦ ଅନ୍ତର୍ଜାତୀୟରେ ୪୨ ଓ୍ଵିକେଟ୍ ନେଇ ସାରିଛନ୍ତି। ସେ ମହଙ୍ଗା ସାବ୍ୟସ୍ତ ହୁଅନ୍ତି ହେଲେ ନିଜ ଦିନରେ ବିରୋଧୀ ଦଳକୁ ଚିତ୍ କରି ଦିଅନ୍ତି।

 

 

Get real time updates directly on you device, subscribe now.