fbpx
BSKY SKY
BSKY SKY

ପୂରଣ ହେବ ୬୦୨୫ଟି LTR ଶିକ୍ଷକ ପଦବୀ: ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କଲା ଗଣଶିକ୍ଷା ବିଭାଗ, ଖୁବଶୀଘ୍ର ପ୍ରକାଶ ପାଇବ ବିଜ୍ଞପ୍ତି

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବିଭିନ୍ନ ହାଇସ୍କୁଲମାନଙ୍କରେ ୬୦୨୫ଟି ଲିଭ୍ ଆଣ୍ଡ ଟ୍ରେନିଂ ରିଜର୍ଭ (ଏଲଟିଆର) ଶିକ୍ଷକ ପଦବୀ ପୂରଣ ହେବ । ଛୁଟି, ଟ୍ରେନିଂ ଓ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କାରଣରୁ ଶିକ୍ଷକଙ୍କ ଅନୁପସ୍ଥିତିକୁ ଭରଣା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ହାଇସ୍କୁଲଗୁଡ଼ିକରେ ମୋଟ ୪୦,୧୬୬ଟି ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦବୀ ରହିଛି । ଏହି ପଦବୀର ୧୫ ପ୍ରତିଶତ ଅର୍ଥାତ ୬୦୨୫ଟି ବିଭିନ୍ନ ବିଷୟର ଶିକ୍ଷକ ପଦବୀ ସୃଷ୍ଟି କରାଯିବ ।

ତେବେ ଏହା ମଧ୍ୟରେ ଏହି ଏଲଟିଆର ଶିକ୍ଷକ ପଦବୀ ପୂରଣ ନିମନ୍ତେ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଟିଜିଟି କଳାରେ ୧୯୮୪, ବିଜ୍ଞାନ ବର୍ଗର ପିସିଏମରେ ୧୦୨୦ ଓ ସିବିଜେଡରେ ୯୮୦, ହିନ୍ଦିରେ ୭୧୧, ସଂସ୍କୃତିରେ ୭୨୯, ପିଇଟିରେ ୬୮୧, ଉର୍ଦ୍ଦୁରେ ୧୪ ଓ ତେଲୁଗୁରେ ୬ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ । ଏଲଟିଆର ଶିକ୍ଷକଙ୍କୁ ରେଗୁଲାର ଶିକ୍ଷକଙ୍କ ପରି ସମାନ ଦରମା ପ୍ରଦାନ କରାଯିବ । ଏଜିଙ୍କ ମଞ୍ଜୁରୀ ମିଳିବା ପରେ ଖୁବଶୀଘ୍ର ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯିବ ।

ସୂଚନାଯୋଗ୍ୟ ଯେ, ଗତ ମାସ ୧୩ ତାରିଖରେ ଆଉ ୬୦୨୫ଟି ଏଲଟିଆର ପଦବୀ ସୃଷ୍ଟି ନେଇ ରାଜ୍ୟ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ରାଜ୍ୟର ଶିକ୍ଷା କ୍ଷେତ୍ରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ସମୟରେ ଗୁରୁତ୍ୱ ଦେଇଆସିଛନ୍ତି । ସେଥିପାଇଁ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଅନେକ ସମୟରେ ମୁଖ୍ୟମନ୍ତ୍ରୀ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦେଇଥାନ୍ତି । ତେବେ ଅନେକ ସମୟରେ ମାଧ୍ୟମିକ ସ୍କୁଲଗୁଡ଼ିକରେ ସ୍ୱାସ୍ଥ୍ୟଗତ, ପ୍ରଶିକ୍ଷଣ କାରଣରୁ ଶିକ୍ଷକମାନେ ଅନୁପସ୍ଥିତ ରହିବା ଫଳରେ ପିଲାଙ୍କର ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହୋଇଥାଏ । ତେଣୁ ରାଜ୍ୟ ସରକାର ଏହି ନୂଆ ନିଷ୍ପତ୍ତି ନେଇଥିଲେ ।

Get real time updates directly on you device, subscribe now.