ଏଣିକି ଖ୍ରୀଷ୍ଟମାସରେ ପିଲାଙ୍କୁ ସାଣ୍ଟା କ୍ଲଜ୍ ବେଶ କରିପାରିବେ ନାହିଁ, ନେବାକୁ ପଡ଼ିବ ଅଭିଭାବକଙ୍କ ଅନୁମତି

ଭୋପାଲ: ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ପାଇଁ ସବୁଠାରୁ ବଡ଼ ଓ ପବିତ୍ର ପର୍ବ ଖ୍ରୀଷ୍ଟମାସ । ଅଧିକାଂଶ ସ୍କୁଲରେ ଶୀତ ଅବକାଶ ପୂର୍ବରୁ ଏହି ପର୍ବ ପାଳନ କରାଯାଇଥାଏ । ଏଥିପାଇଁ ସାଣ୍ଟା କ୍ଲଜ୍ ହେବା ପାଇଁ ପିଲାଙ୍କ ମନରେ ଉତ୍ସାହ ଦେଖାଦେଇଥାଏ । ସ୍କୁଲ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ କରାଯାଏ । ବର୍ତ୍ତମାନ କିନ୍ତୁ ଖ୍ରୀଷ୍ଟିଆନ୍ ପର୍ବ ଅବସରରେ କୌଣସି ଛାତ୍ରଛାତ୍ରୀଙ୍କୁ ସାଣ୍ଟା କ୍ଲଜ୍ ଭାବେ ବେଶ କରିବା ପୂର୍ବରୁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଅଭିଭାବକଙ୍କ ଅନୁମତି ନେବାକୁ ପଡ଼ିବ ବୋଲି ଶିଶୁ ଅଧିକାର ସଂରକ୍ଷଣ ଆୟାଗ ନିର୍ଦ୍ଦେଶ ଦେଇଛନ୍ତି । ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଆୟୋଗ କହିଛି ।

ବାସ୍ତବରେ ଖ୍ରୀଷ୍ଟମାସ ଅବସରରେ ସ୍କୁଲରେ ଆୟୋଜିତ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥାନ୍ତି । ଅନେକ ସାଣ୍ଟା କ୍ଲଜ୍ ବେଶ ଧାରଣ କରିଥାନ୍ତି । କିନ୍ତୁ ମଧ୍ୟପ୍ରଦେଶ ଶିଶୁ ଅଧିକାର ସଂରକ୍ଷଣ ଆୟୋଗ ସ୍କୁଲ ଶିକ୍ଷା ବିଭାଗ ଏବଂ ପ୍ରଦେଶର ସମସ୍ତ ଜିଲ୍ଲା କଲେକ୍ଟରଙ୍କୁ ଏକ ପତ୍ର ଜାରି କରି ନିର୍ଦ୍ଦେଶ ଦେଇଛନ୍ତି କି କୌଣସି ସ୍କୁଲରେ ଖ୍ରୀଷ୍ଟମାସ ଉତ୍ସବ ପାଳନ ସମୟରେ ଛାତ୍ରଛାତ୍ରୀଙ୍କୁ ସାଣ୍ଟା ବେଶ କରିବା ପୂର୍ବରୁ ସେମାନଙ୍କ ମାତା ପିତା କିମ୍ବା ଅଭିଭାବକଙ୍କ ଲିଖିତ ଅନୁମତି ନେବାକୁ ପଡ଼ିବ । ଶିଶୁ ଅଧିକାର ସଂରକ୍ଷଣ ଆୟୋଗର ସଦସ୍ୟ ଅନୁରାଗ ପାଣ୍ଡେଙ୍କ କହିବାନୁଯାୟୀ ଏହି ନିୟମର ଉଲଂଘନ ହେଲେ, କୌଣସି ଅଭିଯୋଗ କିମ୍ବା ବିବାଦ ଉପୁଜିଲେ ଉକ୍ତ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥିପାଇଁ ଉକ୍ତ ବିଦ୍ୟାଳୟ/ ସଂସ୍ଥା ଦାୟୀ ହେବେ । ତେବେ ଦେଖିବାକୁ ବାକି ରହିଲା ଖ୍ରୀଷ୍ଟମାସ ପର୍ବ ଉପଲକ୍ଷେ ରାଜ୍ୟରେ ସ୍କୁଲରେ ପିଲାଙ୍କ ଡ୍ରେସିଂ କୋଡ ଉପରେ କଣ ପ୍ରଭାବ ପଢ଼ୁଛି ଏବଂ ଏହି ନିୟମ କେତେଦୂର କାର୍ଯ୍ୟକାରୀ ହେଉଛି । ଏହା ପୂର୍ବରୁ ୨୦୨୩ରେ ଏଭଳି ଏକ ନିର୍ଦ୍ଦେଶ ଜାରି କରାଯାଇଥିଲା ।