ମୋଦୀ ସରକାରଙ୍କ ଉପହାର! ଏବେ JEE Main ଓ ଅନ୍ୟାନ୍ୟ ପ୍ରତିଯୋଗିତାମୂଳକ ପରୀକ୍ଷାର କୋଚିଂ ମାଗଣାରେ ମିଳିବ, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଦେଶରେ ଜେଇଇ ମେନ୍ ଓ ଅନ୍ୟାନ୍ୟ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର । ଏବେ ଏହି ଛାତ୍ରଛାତ୍ରୀମାନେ IIT ଓ IISc ପ୍ରଫେସରମାନଙ୍କଠାରୁ ମାଗଣାରେ କୋଚିଂ ନେଇ ପାରିବେ । ଆସନ୍ତା ସୋମବାର ଦିନ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଏକ ପ୍ଲାଟଫର୍ମ ଲଞ୍ଚ କରିବ । ଉକ୍ତ ପ୍ଲାଟଫର୍ମରେ IIT ଓ IISc ପ୍ରଫେସରମାନଙ୍କ ଦ୍ୱାରା ରେକର୍ଡ ଭିଡିଓ ଅପଲୋଡ୍ କରାଯିବ ।

ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC) ଅଧ୍ୟକ୍ଷ ଜଗଦୀଶ କୁମାର ଏ ବାବଦରେ ସୂଚନା ପ୍ରଦାନ କରିଛନ୍ତି । ସେ କହିଛନ୍ତି, ଆସନ୍ତା ୬ ତାରିଖରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା SATHEE  (Self Assessment Test and Help for Entrance Exams) ନାମକ ଏକ ପ୍ଲାଟଫର୍ମ ଲଞ୍ଚ କରାଯିବ । ଉକ୍ତ ପୋର୍ଟାଲରେ ଜେଇଇ ମେନ ସହ ଅନ୍ୟାନ୍ୟ ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି ପାଇଁ IIT ଓ IISc ପ୍ରଫେସରମାନଙ୍କର ଅଧ୍ୟାପନା ଅପଲୋଡ୍ କରାଯିବ । IIT କାନପୁର ସହାୟତାରେ ଏହି ପୋର୍ଟାଲ ପ୍ରସ୍ତୁତ କରାଯାଇଛି ।

ୟୁଜିସି ଅଧ୍ୟକ୍ଷ କହିଛନ୍ତି, ପ୍ରତିକୂଳ ପରିସ୍ଥିତି ତଥା ଆର୍ଥିକ ଦୁର୍ବଳ ପରିବାରରୁ ଆସିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହି ପ୍ଲାଟଫର୍ମ ଡିଜାଇନ୍ କରାଯାଇଛି । କୋଚିଂର ଉଚ୍ଚ ଦାମ୍ କାରଣରୁ ଗରିବ ପରିବାରର ପିଲାମାନେ ଠିକ୍ ଭାବେ ପ୍ରସ୍ତୁତି କରିପାରୁ ନାହାନ୍ତି । ଏହି କାରଣରୁ ସେମାନଙ୍କର ସ୍ୱପ୍ନ ପୂରଣ ହୋଇପାରୁନାହିଁ । ଏହି ଛାତ୍ରଛାତ୍ରୀମାନେ ଏଣିକି ସହଜରେ ଉଚ୍ଚଶିକ୍ଷା ଗ୍ରହଣ କରିବା ସହ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ଅର୍ଜନ କରିପାରିବେ । ସେଥିପାଇଁ ହିଁ SATHEE ପୋର୍ଟାଲ ଲଞ୍ଚ କରାଯାଇଛି । ଏହି ପୋର୍ଟାଲରେ ଅପଲୋଡ୍ ହୋଇଥିବା ଭିଡିଓକୁ ଦେଖି ଓ ଶୁଣି ପିଲାମାନେ ସହଜରେ ପରୀକ୍ଷା ପାଇଁ ପ୍ରସ୍ତୁତି କରିପାରିବେ ।