fbpx

ଏହା ପରେ ଭାରତ ସୂର୍ଯ୍ୟ ଏବଂ ଶୁକ୍ର ଗ୍ରହକୁ ଯିବ, ଏମିତି କହିଲେ….

ଓଡିଶା ଭାସ୍କର; ଆଜି ଚନ୍ଦ୍ରରେ ପାଦ ଥାପି ସାରା ବିଶ୍ୱରେ ଇତିହାସ ରଚିଛି ଭାରତ । ଇସ୍ରୋର ଚନ୍ଦ୍ରଯାନ-୩ ନିରାପଦରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିଛି । ଇସ୍ରୋ ପଠାଇଥିବା ଚନ୍ଦ୍ରଯାନ ୩ର ଲ୍ୟାଣ୍ଡର ବିକ୍ରମ ନିର୍ଦ୍ଧାରିତ ସମୟ ସନ୍ଧ୍ୟା ୬.୦୪ ମିନିଟ୍‌ରେ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିଛି ।

ଇସ୍ରୋ ବୈଜ୍ଞାନିକଙ୍କ ସମସ୍ତ ପ୍ରଚେଷ୍ଠା ଓ ପରିଶ୍ରମର ଫଳ ଆଜି ଦେଶବାସୀଙ୍କୁ ମିଳିଛି । ଇସ୍ରୋ ବୈଜ୍ଞାନିକଙ୍କୁ ନେଇ ସାରା ଦେଶ ଗର୍ବ କରୁଥିବା ବେଳେ ବିଶ୍ୱର କୋଣ ଅନୁକୋଣରୁ ବର୍ତ୍ତମାନ ଶୁଭେଚ୍ଛାର ସୁଅ ଛୁଟୁଛି । ୨୦୧୯ ରେ ଭାରତ ତାର ଚନ୍ଦ୍ର ଅଭିଯାନରେ ବିଫଳ ହୋଇଥିବା ବେଳେ ଦୀର୍ଘ ୫ବର୍ଷର ଅକ୍ଳାନ୍ତ ପରିଶ୍ରମ ପରେ ଏବେ ଇସ୍ରୋର ଚନ୍ଦ୍ର ମିଶନ ଚନ୍ଦ୍ରଯାନ-୩ ସଫଳତାପୂର୍ବକ ଚନ୍ଦ୍ରରେ ଅବତରଣ କରିଛି । ଭାରତ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ସଫ୍ଟ ଲ୍ୟାଣ୍ଡିଂ କରି ବିଶ୍ୱର ପ୍ରଥମ ଦେଶ ଭାବେ ଇତିହାସ ରଚିଛି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଫ୍ଟ ଲ୍ୟାଣ୍ଡିଂର କିଛି ସମୟ ପୂର୍ବରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଇସ୍ରୋ ସହ ଯୋଡି ହୋଇଥିଲେ । ଚନ୍ଦ୍ରଯାନ-୩ ସଫଳତାର ସହ ସଫ୍ଟ ଲ୍ୟାଣ୍ଡିଂ କରିବା ପରେ ପ୍ରଧାନମନ୍ତ୍ରୀ ମୋଦି ତ୍ରିରଙ୍ଗା ଉଡାଇଥିଲେ । ଏହାସହ ମୋଦି ତାଙ୍କର ପ୍ରଥମ ବୟାନରେ ଏହା ଦେଶପାଇଁ ଗର୍ବର ମୁହୂର୍ତ୍ତ ବୋଲି କହିଛନ୍ତି । ଏହି ଐତିହାସିକ ମୁହୂର୍ତ୍ତକୁ ଅବିସ୍ମରଣୀୟ କହି ଏହା ବିକଶିତ ଦେଶର ଶଙ୍ଖ ନାଦ ବୋଲି ମତ ପ୍ରକାଶ କରିଛନ୍ତି । ଏହା ପରେ ଭାରତ ସୂର୍ଯ୍ୟ ଏବଂ ଶୁକ୍ର ଗ୍ରହକୁ ଯିବ ବୋଲି ପ୍ରଧାନମନ୍ତ୍ରୀ ମୋଦି ଏହି ଅବସରରେ କହିଛନ୍ତି ।

Get real time updates directly on you device, subscribe now.