fbpx

ଓଡିଶାରେ ଆଉ ଏକ ସଫଳତାର ଅଧ୍ୟାୟ: ଏବେ ମାଲକାନାଗିରିରେ ମିଳିବ ବିମାନ ସୁବିଧା

ମାଲକାନାଗିରି: ଓଡିଶାର ବିକାଶଧାରାରେ ଯୋଡି ହେଲା ଆଉ ଏକ ନୂଆ ଅଧ୍ୟାୟ । ଉପାନ୍ତ ଅଞ୍ଚଳକୁ ମିଳିବ ଏକ ବଡ ଉପହାର ଏବଂ ନୂଆ ପରିଚୟ । ଏଣିକି ମାଲକାନାଗିରି ସହରରୁ ଆରମ୍ଭ ହେବ ବିମାନ ସେବା । ଏଥିପାଇଁ ଏଠାରେ ଏୟାରଷ୍ଟ୍ରିପ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଯାଇଛି । ଯାହା ଫଳରେ ଖୁବଶୀଘ୍ର ଏଠାକାର ଲୋକଙ୍କୁ ବିକାଶର ଆଉ ଏକ ସ୍ୱାଦ ମିଳିବ । ଯାହାକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ, ୨୦୦୬ ମସିହାରେ ମାଲକାନାଗିରି ପାଇଁ ବିମାନ ସେବାର ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଗତ ୧୨ ତାରିଖରୁ ଏହାର କାର୍ଯ୍ୟ ଆରମ୍ଭ ହୋଇଛି । ମୋଟ ୩୩ କୋଟି ଟଙ୍କା ବ୍ୟୟରେ ଜିଲ୍ଲାର ୯୫ ହେକ୍ଟର ଜମିରେ ନିର୍ମାଣ ହେବ ଏକ ଏୟାରଷ୍ଟ୍ରିପ । ତେବେ ଆସନ୍ତାବର୍ଷ ଡିସେମ୍ବର ସୁଦ୍ଧା ଏହାକୁ ଶେଷ କରିବା ପାଇଁ ଲକ୍ଷ୍ୟ ରହିଛି । ତେବେ ସବୁଠୁ ବଡ ଚିନ୍ତାର ବିଷୟ ପାଲଟିଛଇ ଏୟାରଷ୍ଟ୍ରିପ ହେବାକୁ ଥିବା ସ୍ଥାନରେ ଏବେ ବି ଜନବସତି ଏବଂ ଚାଷଜମି ରହିଛି । ତେଣୁ ନିର୍ମାଣ କାର୍ଯ୍ୟ ବିଳମ୍ବ ହେଉଥିବା ଜାଣିବାକୁ ମିଳିଛି । ତେବେ ତୁରନ୍ତ ଏହାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛି ଜିଲ୍ଲା ପ୍ରଶାସନ ।

୨୦୦୬ ମସିହାରୁ ଏହି ପ୍ରକଳ୍ପ ବିଷୟରେ ଆଲୋଚନା ହୋଇଥିଲେ ବି ବିସ୍ଥାପିତଙ୍କୁ ଥଇଥାନ ପ୍ରକ୍ରିୟା ମଧ୍ୟ ଶେଷ ହୋଇଛି । କିନ୍ତୁ କୌଣସି କାରଣବଶତଃ ଏହି ନିର୍ମାଣ କାର୍ଯ୍ୟ ଏବେ ପର୍ଯ୍ୟନ୍ତ ଆରମ୍ଭ ହୋଇ ପାରି ନଥିଲା । ଏବେ କିନ୍ତୁ ଏଠାରେ ଫସଲ ଏବଂ ୨୨ଶହ ଗଛକୁ ନେଇ ରହିଥିବା ଜଙ୍ଗଲ କଟାଯାଇ ଏୟାରଷ୍ଟ୍ରିପ କାର୍ଯ୍ୟ ଆରମ୍ଭ ହୋଇଛି । ତେଣୁ ଖୁବଶୀଘ୍ର ଏଠାକାର ଲୋକମାନେ ବିମାନ ସେବା ପାଇପାରିବେ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.