fbpx

ଏଣିକି ବିନା ଇଣ୍ଟରନେଟରେ ୨୦୦ ଟଙ୍କା ପର୍ଯ୍ୟନ୍ତ କରିପାରିବେ ଅଫଲାଇନ୍ ଡିଜିଟାଲ୍ ପେମେଣ୍ଟ୍, ଜାଣନ୍ତୁ ଆରବିଆଇର ନୂଆ ନିୟମ

ନୂଆଦିଲ୍ଲୀ: ଅଫଲାଇନ୍ ପେମେଣ୍ଟ କାରବାର ପାଇଁ ସୋମବାର ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଏକ ନୂତନ ନିୟମ ଜାରି କରିଛି । ସ୍ବଳ୍ପ ମୂଲ୍ୟର ପେମେଣ୍ଟ୍ କରୁଥିବା ଗ୍ରାହକମାନଙ୍କୁ ଡିଜିଟାଲ୍ ପେମେଣ୍ଟ୍‌ ବ୍ୟବସ୍ଥାରେ ସାମିଲ କରିବା ଲାଗି ଅଫ୍‌ଲାଇନ୍ ପେମେଣ୍ଟ୍ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି । ଏହି ନୂତନ ନିୟମ ଅନୁସାରେ ଜଣେ ବ୍ୟକ୍ତି ସର୍ବାଧିକ ୨୦୦ ଟଙ୍କା ପର୍ଯ୍ୟନ୍ତ ଅଫଲାଇନ୍ ପେମେଣ୍ଟ କରିପାରିବ । ଆଉ ଏହି ପେମେଣ୍ଟ ଫେସ୍ ଟୁ କ୍ସ୍ ଅର୍ଥାତ୍ ସାମନା-ସାମନି ହିଁ ଥିବା ସମୟରେ କରାଯିବ । ତେବେ ଏହାର ପରୀକ୍ଷଣ ୨୦୨୦ ସେପ୍ଟେମ୍ବରରୁ ୨୦୨୧ ଜୁଲାଇ ମଧ୍ୟରେ କରାଯାଇଥିଲା । ସେଥିରୁ ଯେଉଁ ଶିକ୍ଷା ଓ ଅନୁଭୂତି ମିଳିଥିଲା ସେହି ଆଧାରରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଅଫ୍‌ଲାଇନ୍ ପେମେଣ୍ଟ୍‌ ଲାଗି ଫ୍ରେମ୍‌ୱର୍କ ଜାରି କରାଯାଇଛି।

ସୂଚନା ଯେ, ଅଫଲାଇନ୍ ପେମେଣ୍ଟ୍‌ ହେଉଛି ସେହି ବ୍ୟବସ୍ଥା ଯେଉଁଥିପାଇଁ ଇଣ୍ଟରନେଟ୍‌ କିମ୍ବା ଟେଲିକମ୍ ସଂଯୋଗ ଦରକାର ନାହିଁ। ଗ୍ରାହକମାନେ କାର୍ଡ, ୱାଲେଟ୍‌ ଓ ମୋବାଇଲ୍ ଫୋନ୍ ଜରିଆରେ ଏହି ‌ପେମେଣ୍ଟ୍‌ କରିପାରିବେ। ଏହି ବ୍ୟବସ୍ଥାରେ ଜଣେ ଗ୍ରାହକ ଥରକେ ସର୍ବାଧିକ ୨୦୦ ଟଙ୍କାର ପେମେଣ୍ଟ୍‌ କରିପାରିବେ ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଅର୍ଥାତ ବ୍ୟବସାୟୀ ଓ ଗ୍ରାହକଙ୍କ ଉପସ୍ଥିତିରେ ଏହି ପେମେଣ୍ଟ୍‌ ହେବ। କୌଣସି ଏକ ନିର୍ଦିଷ୍ଟ ସମୟରେ ମୋଟ କାରବାର ୨୦୦୦ ଟଙ୍କାରୁ ଅଧିକ ହେବ ନାହିଁ।

ବିଶେଷ କରି ଇଣ୍ଟରନେଟ୍ ଓ ଟେଲିକମ୍ ସଂଯୋଗ ଭଲ ଭାବେ ପହଞ୍ଚିନଥିବା ଦୁର୍ଗମ ଓ ଦୂରଦୂରାନ୍ତ ଅଞ୍ଚଳଗୁଡ଼ିକରେ ଡିଜିଟାଲ୍ ପେମେଣ୍ଟ୍‌ର ପ୍ରସାର କରିବା ଲାଗି ଅଫ୍‌ଲାଇନ୍ ପେମେଣ୍ଟ୍‌ର ପରିକଳ୍ପନା କରାଯାଇଛି । ଅଫ୍‌ଲାଇନ୍ ପେମେଣ୍ଟ୍‌ ସୁବିଧା ପ୍ରଦାନ କରିବାକୁ ଚାହୁଥିବା ସଂସ୍ଥାଗୁଡ଼ିକ ଲାଗି ରିଜର୍ଭ ବ୍ୟାଙ୍କ କେତେକ ସର୍ତ୍ତ ଧାର୍ୟ୍ୟ କରିଛି ଯାହା ସେମାନଙ୍କୁ ପାଳନ କରିବାକୁ ପଡ଼ିବ। ତାହା ହେଉଛି ଏହି ‌ପେମେଣ୍ଟ୍‌ ସୁବିଧା ଲାଗି ଗ୍ରାହକଙ୍କ ଅନୁମତି ନେବାକୁ ହେବ। ପେମେଣ୍ଟ୍‌ ହେବା ମାତ୍ରେ ଗ୍ରାହକଙ୍କ ନିକଟକୁ ତାହାର ଆଲର୍ଟ ପଠାଇବାକୁ ପଡ଼ିବ। ପ୍ରତି କାରବାରର ସୂଚନା ପଠାଇବା ଯଦିଓ ବାଧ୍ୟତାମୂଳକ ନୁହେଁ କିନ୍ତୁ ସେ ବିଷୟରେ ସେମାନେ ଯେଭଳି ସୂଚନା ପାଇପାରିବେ ତାହାର ବ୍ୟବସ୍ଥା କରିବାକୁ ପଡ଼ିବ।

Get real time updates directly on you device, subscribe now.