fbpx

ଏଣିକି କରୋନା ରୋଗୀଙ୍କୁ ଦେଖି ପାରିବେ ସମ୍ପର୍କୀୟ: ମାଲକାନଗିରିରେ ଆରମ୍ଭ ହେଲା ଦେଶର ପ୍ରଥମ ‘ଇ-ସାକ୍ଷାତ’

ମାଲକାନଗିରି, ୮ା୫ (ଓଡିଶା ଭାସ୍କର): ରାଜ୍ୟରେ ଜାରି ରହିଥିବା କରୋନା ସଂକ୍ରମଣ ଯୋଗୁଁ ରୋଗୀ ଓ ସମ୍ପର୍କୀୟମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ରୋଗୀଙ୍କ ବିଷୟରେ ପରିବାରବର୍ଗ ତଥା ସମ୍ପର୍କୀୟମାନେ କୌଣସି ଭଲମନ୍ଦ ଖବର ପାଇ ପାରୁନଥିଲେ । ଏନେଇ ପୂର୍ବରୁ ବହୁବାର ଅଭିଯୋଗ ହୋଇଆସୁଥିଲା । ତେବେ ଏହି ସମସ୍ୟାର ସମାଧାନ ପାଇଁ ଆରମ୍ଭ ହୋଇଛି ‘ଇ-ସାକ୍ଷାତ’ ବ୍ୟବସ୍ଥା । ମାଲକାନଗିରି ଜିଲ୍ଲାରେ ପ୍ରଥମ ଥର ପାଇଁ ଏହି ଯୋଜନା ଆରମ୍ଭ କରାଯାଇଛି । ଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ଛକରେ ଏହାର ଶୁଭାରମ୍ଭ କରାଯାଇଛି । ଏଣିକି ସଂପର୍କୀୟମାନେ ସିଧାସଳଖ ରୋଗୀଙ୍କୁ ଦେଖିବା ସହ ବାର୍ତ୍ତାଳାପ କରିପାରିବେ ଓ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିପାରିବେ ।

ଭାରତବର୍ଷରେ ଏଭଳି ପଦକ୍ଷେପ କୌଣସି ସ୍ଥାନରେ ଆଜି ପର୍ଯ୍ୟନ୍ତ ଆରମ୍ଭ କରାଯାଇନାହିଁ । ତେବେ ଆଗାମୀ ଦିନରେ ଜିଲ୍ଲାର ପ୍ରତ୍ୟେକ ବ୍ଲକର କରୋନା ଚିକିତ୍ସା କେନ୍ଦ୍ରରେ ଏହି ବ୍ୟବସ୍ଥା କରାଯିବ । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏହି ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଯେ, ରାଜ୍ୟର ଅନ୍ୟ ଜିଲ୍ଲା ଅପେକ୍ଷା ମାଲକାନଗିରିରେ କୋଭିଡ୍ ସଂକ୍ରମଣ କମ୍ ରହିଛି । ଗତ ଦୁଇଦିନ ଧରି ଆକ୍ରାନ୍ତଙ୍କ ସଂଖ୍ୟା ଦୁଇଗୁଣ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ଆନ୍ଧ୍ର ଓ ତେଲେଙ୍ଗାନାରୁ ହଜାର ହଜାର ପ୍ରବାସୀ ଜିଲ୍ଲା ମଧ୍ୟକୁ ପ୍ରବେଶ କରିଥିବାରୁ ସୀମାନ୍ତରେ ଯାଞ୍ଚ କଡ଼ାକଡ଼ି କରାଯାଇଛି । ପ୍ରବାସୀଙ୍କ ପାଇଁ ମୋଟୁ ସୀମାରେ ୨୫ଟି ପ୍ରେରଣ କକ୍ଷର ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.